ଆଇଆଇଏଫଏଲ୍‌ ଫାଇନାନ୍ସରୁ ଲୁଟ୍‌ର ପର୍ଦ୍ଦାଫାସ୍‌, ଆସିଷ୍ଟାଣ୍ଟ ମ୍ୟାନେଜର୍‌ ସହ ୬ ଗିରଫ

ବିଗ୍‌ ବିଙ୍କ ‘ଆଁଖେ’ ସିନେମା ଷ୍ଟାଇଲରେ କରିଥିଲେ ଯୋଜନା

କଟକ: କଟକ ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସରୁ ହୋଇଥିବା ଚର୍ଚ୍ଚିତ ଡକାୟତି ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ୍‌। ଏହି ମାମଲା‌ରେ ପୁଲିସ୍‌ ୬ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ସଂସ୍ଥାର ଆସିଷ୍ଟାଣ୍ଟ ମ୍ୟାନେଜର୍‌ କିଶନନଗର ଥାନା ଭରଣାପୁରର ଲାଲା ଅମ୍ରିତ ରାୟ, ରଂଜନ ବେହେରା ଓରଫ ବାପୁ, ରାଜକିଶୋର ସାହୁ, ପ୍ରକାଶ ସାହୁ ଓରଫ ବିଜୁ, ପ୍ରଦୀପ୍ତ ବେହେରା ଓରଫ ପଦିଆ ଓ ସନ୍ତୋଷ ଭୋଇ। ଏହି ମାମଲାରେ ସମ୍ପୃକ୍ତ ଆଇଆଇଏଫ୍‌ଏଲ୍‌ର ଅନ୍ୟତମ ଆସିଷ୍ଟାଣ୍ଟ ମ୍ୟାନେଜର୍‌କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ପୁଲିସ ଡକାୟତି ବେଳେ ବ୍ୟବହାର କରାଯାଇଥିବା ପ୍ଲାଷ୍ଟିକ ବନ୍ଧୁକ ଓ ଚୋରି ହୋଇଥିବା ସୁନା ଅଳଙ୍କାରରୁ ୨.୫ କିଲୋ ସୁନା ଜବତ କରିଛି।

ଆଜି ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଦେଇଥିବା ସୂଚନା ଅନୁଯାୟୀ ‘ଆଁଖେ’ ସିନେମା ଷ୍ଟାଇଲ୍‌ରେ ଅଭିଯୁକ୍ତମାନେ ଏହି ଡକାୟତି କରିଥିଲେ। ଆସିଷ୍ଟାଣ୍ଟ ମ୍ୟାନେଜର୍‌ ଅମ୍ରିତର ପିଲାଦିନର ସାଙ୍ଗ ରଞ୍ଜନ ଏବେ କିଶନନଗର ଅଞ୍ଚଳରେ ଆଶ୍ରମ ଖୋଲି ବାବା ସାଜିଛି। ଏହି ଛଦ୍ମବେଶୀ ବାବା ନିର୍ଦ୍ଦେଶ ଅନୁସା‌ରେ ଆଶ୍ରମର ୪ ଜଣ ଭକ୍ତ ଉକ୍ତ ସଂସ୍ଥାରୁ ସୁନା ଅଳଙ୍କାର ଲୁଟିବାକୁ ପ୍ଲାଷ୍ଟିକ୍‌ ବନ୍ଧୁକ ଧରି ଆସିଥିଲେ। ତେବେ ସହକାରୀ ପ୍ରବନ୍ଧକ ଅମ୍ରିତ ଏହି କାଣ୍ଡର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ଡକାୟତମାନଙ୍କ ପଛରେ ରହି ପରିଚାଳନା କରାଉଥିଲା।

କେମିତି ଡକାୟତି କରିଥିଲେ
ପ୍ରଥମେ ଅମ୍ରିତ ବାବା ରଞ୍ଜନ ସହ ଯୋଗାଯୋଗ କରିଥିଲା। ବାବା ରଞ୍ଜନ ନିଜ ଚାରି ଭକ୍ତ କିଶନନଗର ବିଶ୍ବନାଥପୁରର ରାଜକିଶୋର, ବିଜୁ, ପଦିଆ, ସାଲେପୁର ବହୁଗ୍ରାମର ବାପୁଙ୍କୁ ଏହି ଡକାୟତିରେ ନିୟୋଜିତ କରିଥିଲା। ଅପରାଧରେ ସମ୍ପୂର୍ଣ୍ଣ ନୂଆ ଏହି ଚାରି ବ୍ୟକ୍ତି ୧୬ ତାରିଖରେ କଟକ ଚୌଦ୍ବାର ଥାନା ଅନ୍ତର୍ଗତ ବୈଦେଶ୍ବର ମନ୍ଦିରରେ ବସି ଯୋଜନା ପ୍ରସ୍ତୁତ କରିବା ସହିତ ନୟାସଡ଼କ ଆସି ସ˚ସ୍ଥାର ଆଖପାଖରେ ବୁଲି ଦେଖିଥିଲେ। ଯୋଜନା ମୁତାବକ, ଦୁଇଟି ବାଇକ୍‌ (ପଲସର‌୍‌ ଏବ˚ ହୋଣ୍ତା ଡ୍ରିମ୍‌ ୟୋଗା) ଗାଡ଼ିରେ ଗତ ୧୯ ତାରିଖ ସକାଳ ପ୍ରାୟ ୯ଟା ୫୦ରେ ଆଇଆଇଏଫଏଲ୍‌ର ଉକ୍ତ ଶାଖାରେ ଚାରି ଦୁର୍ବୃତ୍ତ ପହଞ୍ଚିଥିଲେ ଓ ଯୋଜନା ମୁତାବକ କର୍ମଚାରୀଙ୍କୁ ଖେଳଣା ବନ୍ଧୁକ ଦେଖାଇ ୬ କେଜି ଓଜନର ସୁନା ଅଳଙ୍କାର ଏବ˚ ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। କର୍ମଚାରୀମାନଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ଲୁଟି ନେଇଥିଲେ। ପୁଲିସ ଏହି ଘଟଣାରେ ଦୋକାନ ବାହାରେ ଲାଗିଥିବା ସିସି କ୍ୟାମେରା ଓ ସ˚ସ୍ଥା କର୍ମଚାରୀଙ୍କ ଲୁଟ୍‌ ହୋଇଥିବା ମୋବାଇଲ୍‌ ଟ୍ରାକି˚ କରିଥିଲା। ସ˚ସ୍ଥା କର୍ମଚାରୀଙ୍କ ବୟାନ ବି ଭିନ୍ନ ଭିନ୍ନ ଥିଲା। କିଏ କହୁଥିଲା ଲୁଟେରା ଦଳ ହିନ୍ଦୀ ଭାଷାରେ କଥା ହେଉଥିଲେ ତ ଆଉ କିଏ କହୁଥିଲେ ଓଡ଼ିଆରେ।

ଧରାପଡ଼ିଯିବା ଭୟରୁ ଡକାୟତି
ଅମ୍ରିତ ୫ବର୍ଷ ହେବ ଏହି ଶାଖାରେ କାମ କରୁଥିଲା। ସେ କୌଶଳକ୍ରମେ ଗ୍ରାହକଙ୍କ ସୁନା ଅଳଙ୍କାର ବଜ୍ରକବାଟିସ୍ଥିତ ମଣପୁରମ୍‌ ଫାଇନାନ୍ସ ଲିମି‌ଟେଡ୍‌ ଶାଖାରେ ରଖୁଥିଲା। ମଣପୁରମ୍‌ ଶାଖାରେ ଅମ୍ରିତର ବଡ଼ ଭାଇ ଲାଲା ରଞ୍ଜନ ରାୟ ମ୍ୟାନେଜର ଭାବେ କାମ କରୁଥିଲା। ଦୁଇ ଭାଇ ମିଶି ଏଭଳି କେଳେଙ୍କାରୀ ଚଳାଇଥିଲେ। ମଣପୁରମ୍‌ରେ ସୁନା ବନ୍ଧକ ରଖି ଅମ୍ରିତ ସେଠାରୁ ଋଣ ଆକାରରେ ଟଙ୍କା ଆଣୁଥିଲା। କେବଳ ଏତିକି ନୁହେଁ, ଆଇଆଇଏଫ୍‌ଏଲ୍‌ରେ ସୁନା ବନ୍ଧକ ରଖି ଟଙ୍କା ନେଉଥିବା ଗ୍ରାହକ ପରବର୍ତ୍ତୀ ସମୟରେ ଯେତେବେଳେ ଟଙ୍କା ଫେରସ୍ତ କରି ସୁନା ନେଉଥିଲେ, ଫେରସ୍ତ ଟଙ୍କାରୁ ସୁଧ ଟଙ୍କା ସ˚ସ୍ଥାର ଆକାଉଣ୍ଟରେ ଜମା ହେଉଥିବା ବେଳେ ମୂଳ ଟଙ୍କା ନିଜେ ଲୁଟି ନେଇଥିଲା। ଏହି କେଳେଙ୍କାରୀରେ ଅମ୍ରିତ ସହିତ ସ˚ସ୍ଥାର ଅନ୍ୟ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର ବି ସାମିଲ ଥିଲା। ଗତ ୧୮ ତାରିଖରେ ନୂଆ ଅଡିଟର‌୍‌ ଅଡିଟ୍‌ କରିବାକୁ ଆସିଥିଲେ। ଏଥିରେ ଅମ୍ରିତ ଏବଂ ଉକ୍ତ ସହଯୋଗୀ ଫସି ଯିବାର ଆଶଙ୍କା ଥିବାରୁ ସେମାନେ ନିଜେ ଲୁଟ୍‌ ଯୋଜନା ପ୍ରସ୍ତୁତ କରିଥିଲେ ଓ ଲୁଟେରାଙ୍କ ମୁଣ୍ତରେ ଅଠା ବୋଳିବାକୁ ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିଲେ।

ପୁଲିସ ସନ୍ଦେହରେ ପ୍ରଥମେ ଲାଲା ଅମ୍ରିତ ରାୟ
ଅମ୍ରିତର ବଡ଼ଭାଇ ରଞ୍ଜନକୁ ସୁନା କେଳେଙ୍କାରୀ ମାମଲାରେ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଥିଲା। ମଣପୁରମ୍‌ ଶାଖାରେ ମ୍ୟାନେଜର ଥିବା ରଞ୍ଜନ ସୁନା ବନ୍ଧକ ନ ରଖି ବି ୧୦ ଜଣ ଗ୍ରାହକଙ୍କୁ ୪୦ ଲକ୍ଷ ଟଙ୍କାର ଋଣ ଦେବା ଭଳି ଜାଲିଆତି ଅଭିଯୋଗରେ ୨୦୧୯‌ ମସିହାରେ ମଙ୍ଗଳାବାଗ ଥାନା ପୁଲିସ ହାତରେ ଗିରଫ ହୋଇଥିଲା। ଏଥିରେ ସାନ ଭାଇ ଲାଲା ଅମ୍ରିତ ରାୟ ବି ସାମିଲ ଥିଲା। କିନ୍ତୁ ସେ ହାଇକୋର୍ଟରୁ ଆଗୁଆ ଜାମିନ୍‌ ପାଇଯିବାରୁ ଗିରଫ ହେବାରୁ ବର୍ତ୍ତି ଯାଇଥିଲା। ଏଭଳି ଘଟଣା ପୁଲିସ ନଜରକୁ ଆସିବା ପରେ ଲାଲା ଅମ୍ରିତକୁ ପୁଲିସ ପ୍ରଥମେ ଉଠାଇ ନେଇଥିଲା। ପରେ ଅମ୍ରିତର ସାଙ୍ଗ ରଞ୍ଜନ ଏବ˚ ୪ ଲୁଟେରାଙ୍କୁ ସୋମବାର କାବୁ କରାଯାଇଥିଲା।

ଏହି ଡକାୟତି ମାମଲାରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ପୁଲିସର ହସ୍ତଗତ କରିଛି। ସ˚ସ୍ଥାରେ ଯେଉଁ ସିସି କ୍ୟାମେରା ଲାଗିଥିଲା, ତାହା ଅଚଳ ଥିବାରୁ ମୁମ୍ବାଇରେ ଥିବା ଆଇଆଇଏଫ୍‌ଏଲ୍‌ କଣ୍ଟ୍ରୋଲ ରୁମ୍‌ କଟକର ଏହି ଶାଖା ଉପରେ ନଜର ରଖି ପାରୁନଥିଲା। ଆଲାରାମ୍‌ ମଧ୍ୟ ଅଚଳ ଥିଲା। ଗତ ଜାନୁଆରିରୁ ଡିଜିଟାଲ୍‌ ଲକର‌୍‌କୁ ଭାଙ୍ଗି ଦିଆଯାଇଥିଲା। ପ୍ରତ୍ୟେକ ଦିନ ଏହି ଲକର‌୍‌ ଅଫିସ ଖୋଲିବା ପରେ ମୁମ୍ବାଇ କଣ୍ଟ୍ରୋଲ ରୁମରୁ ଆସୁଥିବା ଓଟିପି ମାଧ୍ୟମରେ ଖୋଲୁଥିଲା। କିନ୍ତୁ ଲକର‌୍‌ ଭାଙ୍ଗି କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଲୁଟିବା ପାଇଁ ଯୋଜନା କରାଯାଇଥିଲା। ସେହିଭଳି ବନ୍ଧୁକଧାରୀ ସୁରକ୍ଷା କର୍ମଚାରୀ ଘଟଣାର ୧୫ ଦିନ ପୂର୍ବରୁ ଛୁଟିରେ ଥିଲେ। ପୁଲିସ କମିସିନର ସୁଧା˚ଶୁ ଷଡ଼ଙ୍ଗୀ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ˚ସ୍ଥାରୁ ନିର୍ଦ୍ଦିଷ୍ଟ ଭାବେ କେତେ ସୁନା ଓ ଟଙ୍କା ନିଜ କର୍ମଚାରୀମାନେ ହଡ଼ପ୍‌ କରିଛନ୍ତି, ତାହା ତଦନ୍ତ ସାପେକ୍ଷ। ଏମାନେ କିଛି ସୁନା ନେଇ ମଣପୁରମ୍‌ ଗୋଲ୍ଡ ସଂସ୍ଥା‌ରେ ରଖିଛନ୍ତି। ପୁରା କାରବାରର ଅଡିଟ୍‌ କରାଯିବ ବୋଲି କମିସନର୍‌ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

 

ସମ୍ବନ୍ଧିତ ଖବର