ବେକରେ କଟୁରି ଲଗାଇ ଘରୋଇ ଫାଇନାନ୍‌ସ କର୍ମଚାରୀଙ୍କଠାରୁ ଲୁଟ୍‌

ବାଲିପାଟଣା : ସୋମବାର ପୁଣି ଜଣେ ଘରୋଇ ଫାଇନାନ୍‌ସ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ଲୁଟ୍‌ର ଶିକାର ହୋଇଛନ୍ତି। ତେବେ ଏଥର ଲୁଟ୍‌ର ଶିକାର ହୋଇଛନ୍ତି ବର୍ଷାରାଣୀ ସ୍ବାଇଁ ନାମକ ଜଣେ ମହିଳା କର୍ମଚାରୀ। ସ୍ଥାନୀୟ ସରାଟଶାସନ ନିକଟରେ ୨ ଜଣ ଦୁର୍ବୃତ୍ତ ତାଙ୍କ ବେକରେ କଟୁରି ଲଗାଇ ପ୍ରାୟ ୩୨ ହଜାର ଟଙ୍କା ଥିବା ବ୍ୟାଗ୍‌କୁ ଝାମ୍ପି ନେଇଛନ୍ତି।

ସୂଚନାନୁସାରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ବନ୍ଧନର କର୍ମଚାରୀ ବର୍ଷାରାଣୀ ଆଜି ଚଣାହଟ୍ଟା ଓ ସରାଟଶାସନ ଅଞ୍ଚଳର କେତୋଟି ମହିଳା ସଂଗଠନରୁ ଟଙ୍କା ଆଦାୟ କରି ବାଳକାଟି ଫେରୁଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ସେ ତାଙ୍କ ସ୍କୁଟି (ଓଡ଼ି ୦୨ ଏସି ୨୬୧୮) ଯୋଗେ ଆଙ୍କୁଶପୁର କେନାଲ ବନ୍ଧରେ ସରାଟଶାସନ ଭୋଇ ସାହିକୁ ଯାଉଥିଲେ। ଗୋଟିଏ ବାଇକ୍‌ରେ ଥିବା ୨ ଜଣ ଦୁର୍ବୃତ୍ତ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଅଟକାଇଥିଲେ। ବର୍ଷା ସ୍କୁଟି ଅଟକାଇବା ମାତ୍ରେ ଜଣେ ଦୁର୍ବୃତ୍ତ ତାଙ୍କୁ ଧକ୍କା ମାରିଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲେ। ଏତିକିବେଳେ ଦୁର୍ବୃତ୍ତମାନେ ସ୍କୁଟି ଡିକି ଖୋଲି ଟଙ୍କା ବ୍ୟାଗ୍‌ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ବର୍ଷ ତଳୁ ଉଠି ପଡ଼ି ସାହସର ସହ ସେମାନଙ୍କୁ ପ୍ରତିରୋଧ କରିଥିଲେ। ବର୍ଷା ଟଙ୍କା ବ୍ୟାଗ୍‌ ନଛାଡ଼ିବାରୁ ହଠାତ୍ ଜଣେ ଦୁର୍ବୃତ୍ତ ଅଣ୍ଟାରୁ କଟୁରି ବାହାର କରି ତାଙ୍କ ବେକରେ ଲଗାଇ ଦେଇଥିଲା ଓ ଚୁପ୍‌ଚାପ ଠିଆ ହେବାକୁ ଧମକ ଦେଇଥିଲା। ଭୟରେ ବର୍ଷା ବ୍ୟାଗ୍‌ ଛାଡ଼ିଦେଇଥିଲେ। ଦୁର୍ବୃତ୍ତମାନେ ବ୍ୟାଗ୍‌ ନେଇ ଅଠାନ୍ତର ଦିଗରେ ଫେରାର୍ ହୋଇଯାଇଥିଲେ। ପ୍ରକାଶ ଥାଉ କି, ଗତ ମେ ୨୩ରେ ଭାରତ ଫାଇନାନ୍‌ସ କର୍ମଚାରୀଙ୍କୁ ଗିରିଙ୍ଗ ରାସ୍ତାରେ କଟୁରି ଦେଖାଇ ଦୁର୍ବୃତ୍ତମାନେ ଏକ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର