ନିଦ ହଜାଇଲେ ଲୁଟେରା ଗ୍ୟାଙ୍ଗ୍: ଗୋଟିଏ ଦିନରେ ୮ ଦୋକାନରୁ ଚୋରି, ଘରେ ପଶି ଲୁଟିନେଲେ ଟଙ୍କା ଓ ସୁନାଗହଣା

ଭୁବନେଶ୍ବର: ଦିନରେ ତାଲା ଝୁଲୁଥିବା ଘରକୁ ଟାର୍ଗେଟ୍ କଲେ ଏବଂ ରାତିରେ ୮ରୁ ଅଧିକ ଦୋକାନ ତାଡ଼ି ଲୁଟିଲେ। ଅପରାହ୍ଣ ୫ଟାରୁ ଭୋର୍‌ ୫ଟ‌ା ମଧ୍ୟରେ ଏଭଳି ସିରିଜ୍ ଚୋରି କରି ଏକ ଲୁଟେରା ଗ୍ୟାଙ୍ଗ୍‌ ଆତଙ୍କ ଖେଳାଇଥିବାବେଳେ ପୁଲିସର ନିଦ ହଜାଇ ଦେଇଛି। ଏଭଳି ଲୁଟ୍ ପଛରେ ଗୋଟିଏ କି ଏକାଧିକ ଲୁଟେରା ଗ୍ୟାଙ୍ଗ୍ ସଂପୃକ୍ତ ତାହା ଜା‌ଣିବା ଲାଗି ପୁଲିସ ତଦନ୍ତ କରୁଛି।

ବୁଧବାର ଅପରାହ୍ଣରେ ଖଣ୍ଡଗିରି ଥାନା ଡେଲ୍‌ଟା କଲୋନିରେ ଜଣଙ୍କ ଘରେ ପଶି ଦୁଇଜଣ ଦୁର୍ବୃତ୍ତ ସୁନାଗହଣା ଓ ଟଙ୍କା ଚୋରି କରି ନେଇଛନ୍ତି। ଲୁଟ୍ ଗହଣା ଓ ଟଙ୍କାର ମୂଲ୍ୟ ପ୍ରାୟ ୨ରୁ ୩ଲକ୍ଷ ଟଙ୍କା ହେବ ବୋଲି ଥାନାରେ ଅଭିଯୋଗ ହୋଇଛି। ସନ୍ଧ୍ୟା ପ୍ରାୟ ୫ଟା ବେଳେ ଡେଲ୍‌ଟା ସରକାରୀ ଉଚ୍ଚ ବିଦ୍ୟାଳୟର ମହିଳା କେୟାର ଟେକର୍‌ ଦୁଇଜଣ ଦୁର୍ବୃତ୍ତଙ୍କୁ ଜଣଙ୍କ ଘରର ଗେଟ୍‌ ଡେଇଁ ଗା଼ଡି ଧରି ଦ୍ରୁତଗତିରେ ପଳାଉଥିବା ଦେଖିଥିଲେ। ଦୁର୍ବୃତ୍ତଙ୍କ ହାବଭାବ ଦେଖି ସେ ଗେଟ୍ ସମ୍ମୁଖକୁ ଯିବାରୁ ଘରର କବାଟ ଗ୍ରିଲ୍ ଓ କବାଟ ମୁକୁଳା ଥିବା ଦେଖିଥିଲେ। ଏହା ପରେ ସଙ୍ଗେ ସଙ୍ଗେ ଘର ମାଲିକଙ୍କୁ ଫୋନ୍ କରି ଜଣାଇଥିଲେ। ଅଫିସ୍‌ରୁ ଆସି ମହିଳା ଦେଖିବାରୁ ତାଙ୍କ ଘର ତାଲା ଦୁର୍ବୃତ୍ତ କାଟିବା ସହିତ ଆଲ୍‌ମିରାର ସିକ୍ରେଟ୍ ଚାମ୍ବରରୁ ହଳେ ସୁନା ଚୁଡ଼ି, ସୁନା ହାର ଓ ଟଙ୍କା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବ‌ା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏକ କଳାରଙ୍ଗରେ ପଲସର୍‌ରେ ଦୁଇଜଣ ଚୋର ଫେରାର୍ ହେଉଥିବା ସମୟରେ ଜଣେ ମହିଳା କେଆରଟେକର୍‌ ଦେଖିଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି। ପୂର୍ବରୁ ଡେଲ୍‌ଟା ସରକାରୀ ସ୍କୁଲ୍‌ରୁ ଏକାଧିକ ଥର ସିଲିଂ ଫ୍ୟାନ୍, ପିଲାଙ୍କ ପାଇଁ ରୋଷେଇ ପାଇଁ ଆସିଥିବା ହାଣ୍ଡି, କଡ଼େଇ ଏହି ଭଳି ୫୦ରୁ ୬୦ହଜାର ଟଙ୍କାର ଜିନିଷ ଲୁଟ୍ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ବୁଧବାର ରାତିରେ ଖଣ୍ଡଗିରି ଥାନା ଡେଲ୍‌ଟା ଛକକୁ ଲାଗିଥିବା ଜଗନ୍ନାଥ ମନ୍ଦିର ଲେନ୍‌ରେ ଥିବା ୮ଟି ଦୋକାନରୁ ଏକ ଗ୍ୟାଙ୍ଗ୍ ସିରିଜ୍ ଚୋରି କରିଛନ୍ତି। ସିମେଣ୍ଟ୍ ଦୋକାନଠାରୁ ଆରମ୍ଭ କରି ଛକ ମୁଣ୍ଡରେ ଥିବା ପାନ ଦୋକାନକୁ ବି ଛାଡ଼ି ନାହାନ୍ତି ଦୁର୍ବୃତ୍ତ। ପାନଦୋକାନରୁ ଟଙ୍କା, ଗୁଟ୍‌ଖା ବସ୍ତା, ସିଗାରେଟ୍ ପ୍ୟାକେଟ୍ ଚୋରି କରିଥିବା ଏକ ଜଳଖିଆ ଦୋକାନରୁ ଟଙ୍କା ଚୋରି କରିଥିବା ଜଣାପଡ଼ିଛି। ଏମିତି ୮ଟି ଦୋକାନରୁ ଚୋରି କରିବାରେ ସଫଳ ହୋଇଥିବା ବେଳେ ଗୋଟିଏ ସିମେଣ୍ଟ ଓ ସ୍ନାକ୍ସ ଦୋକାନର ତାଲା ତାଡ଼ିବାକୁ ଉଦ୍ୟମ କରି ଦୁର୍ବୃତ୍ତ ବିଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର