ନିଶା ଦେଇ ନାବାଳକଙ୍କୁ ଲୁଟ୍

ଭୁବନେଶ୍ବର : ବୁଧବାର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ କନ୍ଧମାଳର ଜଣେ ନାବାଳକ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି। ଗୁରୁବାର ଦିନ ତାଙ୍କୁ ତମାଣ୍ଡୋ ଥାନା ପୁଲିସ ଉଦ୍ଧାର କରି ରୁଚିକା ଶିଶୁ ସୁଧାର ଗୃହରେ ଛାଡ଼ିଛି।

ପୁଲିସ ସୂଚନାନୁଯାୟୀ ବୁଧବାର ରାତିରେ ନାବାଳକଜଣକ ହାଇଦ୍ରାବାଦରୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଫେରିଥିଲେ। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କିରାମା ଗାଁକୁ ଯିବା ପାଇଁ ରାତିରେ ବସ୍ ନଥିଲେ ବି ସେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ଅଟୋ ଯୋଗେ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ସେ ବରମୁଣ୍ଡାରେ ଭୋର୍ ପର୍ଯ୍ୟନ୍ତ ବସ୍‌କୁ ଅପେକ୍ଷା କରିଥିଲେ। ଭୋର୍‌ ସମୟରେ ଦୁଇ ଜଣ ଯୁବକ ତାଙ୍କ ପାଖକୁ ଆସି କଥାବାର୍ତ୍ତା ହୋଇଥିଲେ ଓ ସେମାନେ ବି ବ୍ରାହ୍ମଣୀଗାଁ ଯିବେ ବୋଲି କହିଥିଲେ। ଏମିତି କଥାବାର୍ତ୍ତାରେ ସେମାନେ ତାଙ୍କୁ ଫୁସୁଲାଇ ଚା’ ପିଇବା ପାଇଁ ଡାକିନେଇଥିଲେ। ଚା ପିଇବା ପରେ ସେ ଆଉ କିଛି ଜାଣିପାରିନଥିଲେ। ସେ ବେହୋସ୍ ହୋଇଯିବା ପରେ ଲୁଟେରାମାନେ ତାଙ୍କ ମୋବାଇଲ ଫୋନ୍‌ ଓ ୨୫ ଶହ ଟଙ୍କା ନେଇଯାଇଥିଲେ।

ସମ୍ବନ୍ଧିତ ଖବର