ପିଏମ୍‌ଜିରେ ଚାକିରି ବାହାନାରେ ଦୁଇ ଭାଇଙ୍କୁ ୨୫ ଲକ୍ଷ ଟଙ୍କାର ଚୂନ

ଜାଲ ନିଯୁକ୍ତିପତ୍ର ଦେଇଥିଲା, ଗୁଜରାଟରେ କରାଇଥିଲା ତାଲିମ, ଠକାମିର ଶିକାର ହୋଇଛନ୍ତି ଅନେକ ଯୁବକ

ଭୁବନେଶ୍ବର : ସମ୍ପର୍କୀୟଙ୍କ ପଡ଼ୋଶୀ। ସେଇଠୁ ଆରମ୍ଭ ହୋଇଥିଲା ଚିହ୍ନା ପରିଚୟ। ସ୍ନାତକ ପାଠ ସାରି ବେକାର ବସିଥିବା ଦୁଇ ଭାଇଙ୍କୁ ପିଏମଜି(ପୋଷ୍ଟ ମାଷ୍ଟର ଜେନେରାଲ) କାର୍ଯ୍ୟାଳୟରେ ଚାକିରି କରାଇ ଦେବାକୁ ଲୋଭ ଦେଖାଇଥିଲା। ଜାଲ୍ ନିଯୁକ୍ତିପତ୍ର ଦେଇ ଠକିନେଲା ପ୍ରାୟ ୨୫ ଲକ୍ଷ ଟଙ୍କା। ଖାଲି ନିଯୁକ୍ତିପତ୍ର ନୁହେଁ ଗୁଜରାଟରେ ତାଲିମ ମଧ୍ୟ ଦିଆଯାଇଛି। ଜଣେ ନୁହେଁ ଏମିତି ଏକାଧିକ ବେକାର ଯୁବକଙ୍କୁ ଚୂନ ଲଗାଇଛି ଠକ। ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। କିନ୍ତୁ ଠକ ଦେବୀ ପ୍ରସାଦ ବିଶ୍ବାଳ ଫେରାର ଥିବା ଜଣାପଡ଼ିଛି। ଜାଲ୍ ନିଯୁକ୍ତିପତ୍ର ଠାରୁ ଆରମ୍ଭ କରି ଗୁଜରାଟରେ ତାଲିମ ପର୍ଯ୍ୟନ୍ତ ଠକେଇରେ ଏକାଧିକ ସଦସ୍ୟଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ସୌମ୍ୟରଞ୍ଜନ ଦାସ ବଡ଼ଗଡ଼ ବ୍ରିଟ୍ କଲୋନି ଅଞ୍ଚଳରେ ରୁହନ୍ତି। ଠକେଇ କରିଥିବା ଦେବୀ ପ୍ରସାଦ ବିଶ୍ବାଳର ଘର ଯାଜପୁର ହୋଇଥିବା ବେଳେ ସେ ପଟିଆ ଅଞ୍ଚଳରେ ରୁହେ। ସୌମ୍ୟରଞ୍ଜନଙ୍କ ବାପାଙ୍କ ସମ୍ପର୍କୀୟଙ୍କ ଘର ପାଖରେ ଦେବୀପ୍ରସାଦର ଘର। ସେଠାରୁ ଆରମ୍ଭ ଚିହ୍ନା ପରିଚୟ। ୨୦୨୦ ଅଗଷ୍ଟରେ ସୌମ୍ୟରଞ୍ଜନ ତାଙ୍କ ବାପାଙ୍କୁ ନେଇ ରେଳ ଷ୍ଟେସନ ଯାଇଥିବା ବେଳେ ଦେବୀ ପ୍ରସାଦ ସହ ଦେଖା ହୋଇଥିଲା। ପୁଅ କଣ କରୁଛନ୍ତି ବୋଲି ଦେବୀପ୍ରସାଦ ସୌମ୍ୟରଞ୍ଜନଙ୍କ ବାପାଙ୍କୁ ପଚାରିଥିଲା। ବିଏସସି ପାସ୍ କରିବା ପରେ ଦୁଇ ପୁଅ ବେକାର ଅଛନ୍ତି ବୋଲି ସେ କହିଥିଲେ। ପିଏମଜିରେ ଚାକିରି ଅଛି ବାୟୋଡାଟା ସହ ଦେଢ଼ ଲକ୍ଷ ଟଙ୍କା ଆଣି ଆସିବାକୁ କହିଥିଲା ଦେବୀ ପ୍ରସାଦ। ସୌମ୍ୟରଞ୍ଜନ ଓ ତାଙ୍କ ଭାଇଙ୍କର ବାୟୋଡାଟା ସହ ୧ ଲକ୍ଷ ଟଙ୍କା ଦେଇଥିଲେ। ବାକି ୫୦ ହଜାର ଟଙ୍କା ଦେବୀ ପ୍ରସାଦ କହିବା ମୁତାବକ ଜଣେ ମହିଳାଙ୍କ ଆକାଉଣ୍ଟକୁ ପଠାଇଥିଲେ। ସେହିପରି କିଛିଦିନ ପରେ ଅଫିସ୍ ପ୍ରୋସେସିଂ ଫି ବାବଦରେ ଆଉ ୨୫ ହଜାର ଟଙ୍କା ମାଗି ନେଇଥିଲା ଠକ।

୫ ଲକ୍ଷ ଟଙ୍କା ଦେଲେ ଅଫିସ୍ ଅର୍ଡର ମିଳିବ ବୋଲି କହିଥିଲା ଦେବୀ ପ୍ରସାଦ। ଅକ୍ଟୋବରରେ ସେମାନେ ୩ ଲକ୍ଷ ଟଙ୍କା ଦେଇଥିଲେ। କିଛିଦିନ ପରେ ପିଏମଜି ଅଫିସକୁ ଡାକି ଅର୍ଡର ଦେବା ପରେ ଆଉ ୨ ଲକ୍ଷ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିଲେ। ଉପର ଅଫିସର ରାଜି ହେଉ ନାହାନ୍ତି କହି ଆଉ ଦେଢ଼ ଲକ୍ଷ ଟଙ୍କା ମାଗି ନେଇଥିଲା ଦେବୀପ୍ରସାଦ। ୨ ଲକ୍ଷ ଟଙ୍କା ନଗଦ ଆକାରରେ ଦେଲେ ନିଯୁକ୍ତିପତ୍ର ମିଳିବ ବୋଲି କହିଥିଲା ଦେବୀପ୍ରସାଦ। ପାଖରେ ଆଉ ଟଙ୍କା ନ ଥିବାରୁ ସୌମ୍ୟରଞ୍ଜନଙ୍କ ବାପା ସୁଧରେ ଆଣି ଦେଇଥିଲେ। ଏହା ପରେ ନିଯୁକ୍ତିପତ୍ର, ଅଫିସ କାଗଜପତ୍ର ଦେଇ ଦୁଇ ଭାଇଙ୍କ ସହ ଅନ୍ୟ ଯୁବକଙ୍କୁ ମଧ୍ୟ ତାଲିମ ପାଇଁ ଗୁଜରାଟ ପଠାଇଥିଲା। ଏ ବାବଦରେ ଦୁଇ ଭାଇଙ୍କ ଠାରୁ ୫ ଲକ୍ଷ ୬୨ ହଜାର ଟଙ୍କା ନେଇଥିଲା। ଚାକିରି ବାବଦରେ ବିଭିନ୍ନ ସମୟରେ ପ୍ରାୟ ୨୫ ଲକ୍ଷ ଟଙ୍କା ନେଇ ଯାଇଥିଲା। ଗୁଜରାଟରୁ ଫେରି ଯେତେବେଳେ ପିଏମଜି ଅଫିସକୁ ଦୁଇ ଭାଇ ଯୋଗ ଦେବାକୁ ଯାଇଥିଲେ ସେତେବେଳେ ବିଭିନ୍ନ ଆଳ ଦେଖାଇଥିଲା ଦେବୀପ୍ରସାଦ। ୨୦୨୧ ଜୁନରୁ ୨୦୨୨ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ କାରଣରୁ ଅସୁସ୍ଥ ଥିବା କହି ଦିନ ଗଡ଼ାଇ ଚାଲିଥିଲା ଦେବୀ ପ୍ରସାଦ। ଗତ ୫ ତାରିଖରେ ଦୁଇ ଭାଇ ନିଯୁକ୍ତିପତ୍ର ଧରି ପିଏମଜି ଅଫିସକୁ ଯାଇଥିବା ବେଳେ ତାହା ଜାଲ୍ ବୋଲି ଜଣାପଡ଼ିଥିଲା। ସେଥିରେ ଥିବା ଲୋଗୋ, ଦସ୍ତଖତ ସବୁ କିଛି ଜାଲ୍ ଥିଲା। ସେହିପରି ପିଏମଜି ଅଫିସରେ ଦେବୀପ୍ରସାଦ ନାଁରେ କୌଣସି କର୍ମଚାରୀ ନ ଥିବା ଅଧିକାରୀ ସଫେଇ ଦେଇଥିଲେ। ଏହା ପରେ ଦୁଇ ଭାଇ ତା ନମ୍ବରକୁ ଫୋନ୍ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲା। ଫୋନ୍ ସୁଇଚ୍ ଅଫ୍ କରି ଦେଇଥିଲା। ଠକାମିର ଶିକାର ହୋଇଥିବା ଜାଣିବା ପରେ ସୌମ୍ୟରଞ୍ଜନ ଥାନାର ଦ୍ବାରସ୍ଥ ହୋଇଥିଲେ।

କେବଳ ଦୁଇ ଭାଇ ନୁହଁନ୍ତି ଆହୁରି ଏକାଧିକ ଠକେଇର ଶିକାର ହୋଇଛନ୍ତି। ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କର ସାଙ୍ଗ ବଳରାମ ସେନାପତି ମଧ୍ୟ ସମାନ ଠକ ହାବୁଡ଼ରେ ପଡ଼ିଛନ୍ତି। ଜାଲ୍ ନିଯୁକ୍ତିପତ୍ର ଦେଇ ବଳରାମଙ୍କ ଠାରୁ ଦୁଇଟି ପର୍ଯ୍ୟାୟରେ ୬ ଲକ୍ଷ ୧୦ ହଜାର ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ଯୁବକ ମଧ୍ୟ ଠକେଇର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର