ଏଟିଏମ୍ କାର୍ଡ଼ ଜରିଆରେ ଲୁଟ୍‌ : ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ୨୫ ହଜାର

ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧୀନ ଦୋପଟି ସାହିରେ ରହୁଥିବା ଜଣେ ମହିଳାଙ୍କ ଆକାଉଣ୍ଟରୁ ଆଜି ୨୫ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ମହିଳା ହେଲେ, ସ୍ଥାନୀୟ ଦୋପଟି ସାହିରେ ଘରଭଡ଼ା ନେଇ ରହୁଥିବା ଆନନ୍ଦ ଦାସଙ୍କ ପତ୍ନୀ ଲିଲି ଦାସ (୪୭)। ଏ ସଂପର୍କରେ ଲିଲି ଆଜି ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ଲିଲିଙ୍କ ଏଟିଏମ୍‌ କାର୍ଡ ବ୍ୟବହାର କରି ଦୁର୍ବୃତ୍ତ ସ୍ଥାନୀୟ ଷ୍ଟେଟ୍‌ ବ୍ୟାଙ୍କ କାର୍ଯ୍ୟାଳୟରେ ଥିବା ଏଟିଏମ୍‌ ଓ ନୂଆପଲ୍ଲୀସ୍ଥିତ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଛି। ଏଟିଏମ୍‌ କେନ୍ଦ୍ରରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ପୁଲିସ୍‌ ଲୁଟେରାକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସୂଚନା ମୁତାବକ, ଆନନ୍ଦ ଗୁପ୍‌ଚୁପ୍‌ ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି। ବ୍ୟବସାୟ ବଢ଼ାଇବା ପାଇଁ ତାଙ୍କ ପତ୍ନୀ ଗତ ୭ ତାରିଖରେ ସ୍ଥାନୀୟ ଏଟିଏମ୍‌କୁ ଟଙ୍କା ଉଠାଇବା ଲାଗି ପୁଅ ସହ ଯାଇଥିଲେ। ଏଟିଏମ୍‌ରୁ ୧୫ହଜାର ଟଙ୍କା ଉଠାଇ ଘରକୁ ମା’ ପୁଅ ଦୁହେଁ ଚାଲିଚାଲି ଫେରୁଥିବା ବେଳେ ବାଟରେ ତାଙ୍କର ଏଟିଏମ୍‌ କାର୍ଡଟି ହଜି ଯାଇଥିଲା। ତେବେ ଲିଲି ଉକ୍ତ ଏଟିଏମ୍‌ କାର୍ଡ ଉପରେ ସିକ୍ରେଟ୍‌ ନମ୍ବର ଲେଖିଥିବାରୁ କେହି ଦୁର୍ବୃତ୍ତ ସହଜରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲା।

ସମ୍ବନ୍ଧିତ ଖବର