ମହାପ୍ରଭୁ ଜଗନ୍ନାଥ ନିର୍ଦ୍ଦିଷ୍ଟ ଜାତି କି ଧର୍ମର ନୁହନ୍ତି, ଜଗନ୍ନାଥଙ୍କ ଭକ୍ତ ଅଫତାବ ହୁସେନ୍‌ଙ୍କୁ ସମ୍ବର୍ଧନା

ଭୁବନେଶ୍ବର: ସୂର୍ଯ୍ୟ ଓ ଜହ୍ନ ଯେପରି କୌଣସି ଜାତି, ଧର୍ମ କି ବର୍ଣ୍ଣର ନୁହନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଠିକ୍‌ ସେହିପରି। ସେ ଜାତି, ଧର୍ମ କି ବର୍ଣ୍ଣର ନାଥ ନୁହନ୍ତି, ବରଂ ଜଗତର ନାଥ। ମହାପ୍ରଭୁ ଅପ୍ରତିମ ଓ ଅଦ୍ବୈତ। ଜଳ ପାନ କରିବା ପାଇଁ ଯେପରି ପାତ୍ର ଏକ ମାଧ୍ୟମ, ମହାପ୍ରଭୁଙ୍କୁ ଜାଣିବାକୁ ମୂର୍ତି ତତ୍ତ୍ବ ଏକ ମାଧ୍ୟମ ବୋଲି କହିଛନ୍ତି ଜଗନ୍ନାଥଙ୍କ ଭକ୍ତ ଅଫତାବ ହୁସେନ୍‌। ରଥଯାତ୍ରା ହେ‌ବା ନେଇ ସୁପ୍ରିମକୋର୍ଟରେ ପିଟିସନ୍‌ ଦାୟର କରି ଚର୍ଚ୍ଚାକୁ ଆସିଥିବା ଜଗନ୍ନାଥଙ୍କ ଏହି ମୁସଲିମ୍‌ ଭକ୍ତ ହୁସେନ୍‌ ‘ସର୍ବ ଦିବ୍ୟମାନ ମହାପ୍ରଭୁ ଜଗନ୍ନାଥ’ ଶୀର୍ଷକ ବିଷୟରେ ବକ୍ତବ୍ୟ ରଖି ଏହା କହିଛନ୍ତି। ଶିବାନନ୍ଦ ଶତବାର୍ଷିକୀ ବାଳକ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏକ ଆଲୋଚନାଚକ୍ରରେ ସମ୍ବର୍ଧିତ ହୁସେନ୍‌ କହିଥିଲେ, କରି କରାଉ ଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ। ସବୁ ଲୀଳାଖେଳା ସେଇ ମହାପ୍ରଭୁ ହିଁ କରାଇଛନ୍ତି। ସେ ମନ୍ତ୍ର କି ତନ୍ତ୍ରରେ ନୁହେଁ ବରଂ ଭାବରେ ଡାକିଲେ ଯେ ଓ କରନ୍ତି; ଏହା ମୋ’ର ନିଜସ୍ବ ଅନୁଭବ ବୋଲି ସେ କହିଥିଲେ।

ସ୍କୁଲ୍‌ର ମ୍ୟାନେଜିଂ କମିଟି ସଦସ୍ୟ ରାଜୀବ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ସଭାପତି ପ୍ରଫେସର୍‌ ସୁରେନ୍ଦ୍ର ନାଥ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ମହାପ୍ରଭୁଙ୍କର ଗୋଟିଏ ଇଷ୍ଟ ରୂପ ଆଉ ଗୋଟେ ରାଷ୍ଟ୍ର ରୂପ। ସେ ସ୍ବୟଂ ବିଚିତ୍ର ଠାକୁର ଏବଂ ତାଙ୍କ ଲୀଳା ମଧ୍ୟ ବିଚିତ୍ର। ସ୍କୁଲ୍‌ର ସମ୍ପାଦକ ସ୍ବାମୀ ଶିବଚିଦାନନ୍ଦ ସରସ୍ବତୀ, ଡ. ଶାନ୍ତନୁ କୁମାର ରଥ, ବିଜୟ କୁମାର ମହାନ୍ତି ଓ ଅଫତାବ ହୁସେନଙ୍କ ଗୁରୁ ବଂଶୀଧର ସାହୁ ବକ୍ତବ୍ୟ ରଖିଥିଲେ। ସ୍କୁଲ୍‌ର ଯୁଗ୍ମ ସମ୍ପାଦକ ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ଶେଷରେ ସ୍କୁଲ୍‌ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ରତିକାନ୍ତ ମହାରଣା ଜଗନ୍ନାଥାଷ୍ଟକଂ ଗାନ କରିଥିଲେ।

ସମ୍ବନ୍ଧିତ ଖବର