ପୁରୁଣା ଭୁବନେଶ୍ବର: ତିନି ଦିନର ଛକାପଞ୍ଝା ପରେ ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଥିଲା ଏବଂ ପ୍ରଭୁ ଉପାସ ରହିବାରୁ ମୁକୁଳିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରା ଆହୂତ ବୈଠକରେ ଏଣିକି ମାସିକିଆ ବୈଠକ ହେବା ପାଇଁ ସ୍ଥିର ହେବାରୁ ଏହି ବିବାଦର ଅନ୍ତ ଘଟିଥିଲା। ତେଣୁ ସକାଳ ପ୍ରାୟ ସାଢ଼େ ୧୧ଟାରୁ ନୀତି ଆରମ୍ଭ କରାଯାଇଥିଲା। ମଙ୍ଗଳ ଆଳତୀ ଓ ଅବକାଶ ପରେ ଠାକୁରଙ୍କ ବେଶ କରାଯାଇ ନୀତି କରାଯାଇଥିଲା। ଏହା ପରେ ଭକ୍ତମାନେ ସାହାଣମେଲା ଦର୍ଶନ ଲାଭ ପାଇଥିଲେ।
ମନ୍ଦିର ପ୍ରଶାସନର ସୂଚନାନୁସାରେ ଆଜି ଭୁବନେଶ୍ୱର ସର୍କିଟ୍ ହାଉସ୍ରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡୁ ନିଯୋଗ ଓ ସମର୍ଥା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଓ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ନୀତି ବିଭ୍ରାଟକୁ ନେଇ ଉପୁଜିଥିବା ବିବାଦର ସମାଧାନ କରାଯାଇଥିଲା।
ଏଣିକି ପ୍ରତି ମାସରେ ଥରେ ବୈଠକ ବସିବ ଏବଂ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଜିର ବୈଠକରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ନିଯୋଗର ମୁଖ୍ୟମାନେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଜାନୁଆରି ୧ ତାରିଖ ରବିବାର ଦିନ ଭୋଗ ମଣ୍ଡପରେ ପୂଜା ଚାଲିଥିବା ବେଳେ ଜଣେ ସେହି ସମୟର ଅଣସେବାୟତ ସେଠାକୁ ଚାଲିଯିବାରୁ ଭୋଗ ମାରା ହୋଇଯାଇଥିଲା। ଏହାକୁ ନେଇ ସେବାୟତମାନଙ୍କ ଭିତରେ ଉପୁଜିଥିବା ବିବାଦର ସମାଧାନ ହୋଇପାରିନଥିଲା। ଫଳରେ ନୂଆ ବର୍ଷ ଆରମ୍ଭରୁ ମନ୍ଦିରରେ ସୃଷ୍ଟି ହୋଇଥିବା ବିଭ୍ରାଟ ପାଇଁ ପ୍ରଭୁ ତିନିଦିନ ହେଲା ଉପାସରେ ରହିବାକୁ ବାଧ୍ୟ ହୋଇଥିଲେ।