ଗର୍ଭଗୃହରେ ଜରି ପାଲ, ତଥାପି ବର୍ଷାରେ ଭିଜୁଛନ୍ତି ପ୍ରଭୁ ରାମେଶ୍ବର

ପୁରୁଣା ଭୁବନେଶ୍ବର: ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘ ବର୍ଷ ହେଲା ମନ୍ଦିରରେ ବର୍ଷା ପାଣି ଗଳୁଛି। ଗର୍ଭଗୃହରେ ପ୍ରଭୁ ବର୍ଷା ପାଣିରେ ଭିଜୁଛନ୍ତି। ତେଣୁ ଠାକୁରଙ୍କୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଜରି ପାଲ ଟଣାହୋଇଛି। ଠାକୁରଙ୍କ ମୁଣ୍ଡ ଉପରେ ଟଣା ହୋଇଛି ଜରି ପାଲ। ତଥାପି ବର୍ଷାରେ ଭିଜୁଛନ୍ତି ପ୍ରଭୁ। ଏମିତି ସ୍ଥିତିରେ ମନ୍ଦିରରେ ପୂଜାର୍ଚ୍ଚନା କଲା ବଳେ ସେବାୟତମାନେ କିଭଳି ସମସ୍ୟାରେ ପଡ଼ୁଥିବା ସହଜରେ ଅନୁମେୟ। ଏହା ହେଉଛି ଏକାମ୍ର କ୍ଷେତ୍ର ପ୍ରଭୁ ଶ୍ରୀରାମେଶ୍ବର ମନ୍ଦିରର ଅବସ୍ଥା।

ଶ୍ରୀରାମେଶ୍ବର ମନ୍ଦିର ନିର୍ମାଣ ପଛରେ ରହିଛି ଗୌରବମୟ ପୌରାଣିକ କାହାଣୀ। ଭଗବାନ ରାମଚନ୍ଦ୍ରଙ୍କ ଦ୍ବାରା ପୂଜିତ ଶିବଲିଙ୍ଗ ଏହି ମନ୍ଦିରରେ ପୂଜା ପାଉଛନ୍ତି। ମନ୍ଦିରର କାରୁକାର୍ଯ୍ୟ ଏକାମ୍ର କ୍ଷେତ୍ରର ଅନ୍ୟ ପ୍ରସିଦ୍ଧ ମନ୍ଦିରମାନଙ୍କ ଭଳି ଚିତ୍ତାକର୍ଷକ। ଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିର ରୁକୁଣା ରଥଯାତ ସହ ପ୍ରତ୍ୟକ୍ଷ ଭା‌ବେ ଜଡ଼ିତ।

ରୁକୁଣା ରଥଯାତ ବେଳେ ପ୍ରଭୁ ଲିଙ୍ଗରାଜଙ୍କ ବିଗ୍ରହ ଏହି ମନ୍ଦିର ପରିସରସ୍ଥ ଏକ ସ୍ବତନ୍ତ୍ର ସିଂହାସନ ଥିବା ମନ୍ଦିରରେ ୫ ଦିନ ପାଇଁ ଅବସ୍ଥାନ କରନ୍ତି। କୁହାଯାଏ ୧୨ ଶହ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ରାଜୁତି ସମୟରେ ଏହି ମନ୍ଦିରର ନିର୍ମାଣ କରାଯାଇଥିଲା। କିନ୍ତୁ ଏବେ ଏହି ମନ୍ଦିରର ଅବସ୍ଥା ବିପଦରେ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ରକ୍ଷଣାବେକ୍ଷଣ କରିବାରେ ଅବହେଳା କରୁଥିବା ଅଭିଯୋଗ ହୋଇଆସୁଛି। ଏବେ ଏହି ମନ୍ଦିରର ଗର୍ଭଗୃହରେ ର୍ବଷା ପାଣି ଗଳୁଛି। ଅଷ୍ଟାୟତନର ମୁଖ୍ୟ ଦେବତା ମହାପ୍ରଭୁ ଶ୍ରୀରାମେଶ୍ବର ବର୍ଷା ପାଣିରେ ଭିଜୁଛନ୍ତି। ତେଣୁ ସେବାୟତମାନେ ଗର୍ଭଗୃହରେ ଏକ ଜରି ପାଲ ଟାଙ୍ଗି ଠାକୁରଙ୍କୁ ପୂଜାର୍ଚ୍ଚନା କରୁଛନ୍ତି।

ବର୍ଷା ଋତୁ ତମାମ ପାଣି ଧାର ଗଳୁଥିବା ଯୋଗୁଁ ମନ୍ଦିରର ପଥର ଦୁର୍ବଳ ହେବା‌ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ପୂଜକ ଓ ସ୍ଥାନୀୟ ଲୋକେ ୩ ବର୍ଷ ହେଲା ଏଏସ୍ଆଇକୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷପେ ନିଆଯାଇନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏଏସ୍ଆଇ ପକ୍ଷରୁ ୪ ବର୍ଷ ପୂର୍ବରୁ ମନ୍ଦିର କଡ଼ରେ ରହିଥିବା ମାଟି ଓ ପଥରକୁ କାଟି ବାହାର କରିଦିଆଯାଇଥିଲା। ମନ୍ଦିରରେ ଲାଗିଥିବା ଲେପ ବାହାର କରିବା ଓ ପାଇପ୍‌ ସଂଯୋଗ କରିବା ଦିନଠୁ ଏହି ପାଣି ଧାର ଲାଗିଛି।

ସେହିପରି ଏହି ମନ୍ଦିରର ପଶ୍ଚିମ ଦିଗରେ ଥିବା ପୋଖରୀକୁ ଅଶୋକ କୁଣ୍ଡ କୁହାଯାଏ। ଏହା ଅଷ୍ଟମ ତୀର୍ଥ ଭାବେ ଜଣାଶୁଣା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହି ପୋଖରୀର ସୌନ୍ଦର୍ଯ୍ୟ ନଷ୍ଟ ହୋଇଗଲାଣି। ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକମାନେ ଏଠା‌ରେ ଥିବା ପାର୍କକୁ ବୁଲିବାକୁ ଆସିବା ବେଳେ ପାନୀୟ ଜଳ ଓ ଶୌଚାଳୟ ସୁବିଧା ପାଆନ୍ତି ନାହିଁ। ମନ୍ଦିରରେ ବର୍ଷା ପାଣି ଗଳୁଥିବା ନେଇ ଏଏସ୍ଆଇ ଅଧିକାରୀ ଅରୁଣ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର