ବାହୁଡ଼ିଲେ ଦେବ ଦମ୍ପତି, କଉଡ଼ି ଖେଳ ହେଲା

ପୁରୁଣା ଭୁବନେଶ୍ୱର: କରୋନା କଟକଣାର ନିସ୍ତବ୍ଧତା ଭିତରେ ଗତକାଲିର ଶିବ ବିବାହ ଉତ୍ସବ ପରେ ଆଜି ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଅବସରରେ ଏକାମ୍ର କ୍ଷେତ୍ର ଏକପ୍ରକାର ଚଳଚଞ୍ଚଳ ହୋଇପଡ଼ିଥିଲା। ମହାପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ନଗର ପରିକ୍ରମା କରି ଦେବ ଦମ୍ପତିଙ୍କୁ ମନ୍ଦିରକୁ ନିଆଯାଇଥିଲା। ଫେରନ୍ତା ବାଟରେ ଭୋଗଲାଗି ହେଲା ଓ ମନ୍ଦିରରେ ବିଜେ କରାଇବା ପରେ ସେବାୟତମାନେ କଉଡ଼ି ‌ଖେଳିଲେ। ତେବେ ମହାମାରୀ ପାଇଁ ଲାଗୁ ହୋଇଥିବା ତାଲାବନ୍ଦ କଟକଣା ଯୋଗୁଁ ‌ନିରାଡ଼ମ୍ବର ଭାବେ କେବଳ ବିଧିରକ୍ଷା ପାଇଁ ଏହି ସବୁ କାର୍ଯ୍ୟ ସମାହିତ ହୋଇଥିଲା।

ଆଜି ଦେବ ଦମ୍ପତିଙ୍କୁ କେଦାରଗୌରୀ ମନ୍ଦିରରୁ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ବିଦାୟ ଦିଆଯାଇଥିଲା। ପ୍ରଭୁ ଲିଙ୍ଗରାଜଙ୍କୁ କନ୍ୟାଘର ତରଫରୁ ଯୌତୁକରେ ଇନ୍ଦ୍ରହାତୀ ଉପହାର ଦିଆଯାଇଥିଲା। ରାସ୍ତାରେ ନା ଥିଲା ଆଲୋକସଜ୍ଜା, ନା ବାଣ ‌ରୋଶଣି। ପ୍ରତିବର୍ଷ ବିଭିନ୍ନ ବାଜା ବାଣ ‌ରୋଶଣି ଖଚିତ ପଟୁଆରରେ ଦେବଦମ୍ପତି ମନ୍ଦିରକୁ ବାହୁଡ଼ି ଯାଆନ୍ତି। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ କେବଳ ବିଧି ପରମ୍ପରା ରହିବା ପାଇଁ ଠାକୁରଙ୍କ ବିବାହ ଉତ୍ସବ ନିରାଡ଼ମ୍ବର ସହକା‌ରେ କରାଯାଇଥିଲା। ଦେବ ଦମ୍ପତିଙ୍କ ଶୋଭାଯାତ୍ରା ଦେଖିବାକୁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ‌ବେଳେ ଚଳିତ ବର୍ଷ ରାସ୍ତା ଜନଶୂନ୍ୟ ଥିଲା। କେବଳ ସ୍ଥାନୀୟ ଲୋକମାନେ ନିଜ ନିଜ ଘର ବାରଣ୍ଡା ଓ କୋଠା ଉପରେ ରହି ବିମାନ ଓ ପାଲିଙ୍କିରେ ଠାକୁରଙ୍କୁ ଦେଖିଥିଲେ। ଆଜି ପୁଣି କେଦାରଗୌରୀ ମନ୍ଦିରର ସେବାୟତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍କ୍ରିନିଂ କରାଯାଇଥିଲା। ପରେ ପରେ ଦେବ ଦମ୍ପତି କେଦାରଗୌରୀ ମନ୍ଦିରରୁ ବାହାରି ଗୋସାଗରେଶ୍ୱର ଛକ ଶୀତଳଷଷ୍ଠୀ ରାସ୍ତା, ତିନି ମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖେଳା ଛକ ଦେଇ ନଗର ପରିକ୍ରମା କରିବା ପରେ ମନ୍ଦିରକୁ ପ୍ରବେଶ କରିଥିଲେ। ବିଧି ଅନୁସାରେ ନବ ଦମ୍ପତି ଫେରିବା ବେଳେ ପ୍ରଥମେ ବ୍ରାହ୍ମଣ ନିଯୋଗରେ ଭୋଗ ଖାଇଥିଲେ। ସେଠାରେ ଭେଟ ଆଳତି ସମ୍ପନ୍ନ ହେବା ପରେ ଠାକୁର ପୁଣି ମନ୍ଦିର ଅଭିମୁଖେ ବାହାରିଥିଲେ। ପରେ ପୂଜାପଣ୍ଡା ନିଯୋଗ, ବଡ଼ୁ କୂଅମୁହଁ ସାହି, ବଡ଼ୁ ନିଯୋଗ, ପଥୁରିଆ ବଡ଼ୁସାହିଠାରେ ଭୋଗ ଖାଇ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ। ବିଳମ୍ବିତ ରାତିରେ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ସେବାୟତମାନେ ନବଦମ୍ପତିଙ୍କୁ ମନ୍ଦିରକୁ ପାଛୋଟି ନେବା ପରେ ନୀତି ପୂଜା କରାଯାଇଥିଲା। ଏହାପରେ ସେବାୟତମାନେ କଉଡ଼ି ଖେଳିଥିଲେ।

ସେହିଭଳି ବ୍ରହ୍ମେଶ୍ୱର ମନ୍ଦିରରେ ନିରାଡ଼ମ୍ବର ଭାବେ ଶିବ ବିବାହ ଓ ଶୀତଳଷଷ୍ଠୀ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମେଶ୍ୱରଦେବ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ମଳୟ ମହାପାତ୍ର ଓ ମୁରବିମାନେ ରହି ପରିଚାଳନା କରିଥିଲେ। ଠାକୁରଙ୍କ ଦୈନନ୍ଦିନ ନୀତି ସମ୍ପନ୍ନ ହୋଇଥିବା ବେଳେ କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ନବ ଦମ୍ପତିଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ। ଆସନ୍ତା ୩୦ତାରିଖରେ ମନ୍ଦିରରେ ଚତୁର୍ଥୀ କର୍ମ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର