ମନ୍ଦିର ବାହୁଡ଼ିଲେ ଦେବ ଦମ୍ପତି

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ଶୀତଳଷଷ୍ଠୀ ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମା’ ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିର ପ୍ରତ୍ୟାବର୍ତନ କରିଛନ୍ତି। ଗତକାଲି ବିବାହ ସମ୍ପନ୍ନ ହେବା ପରେ ଆଜି ଦେବ ଦମ୍ପତିଙ୍କୁ ବର୍ଣ୍ଣାଢ୍ୟ ରୋଶଣି ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇ ନିଆଯାଇଥିଲା। ଆଲୋକ ସଜ୍ଜା, ବାଣ, ବାଜାର ପଟୁଆରରେ ନବଦମ୍ପତିଙ୍କୁ ସ୍ୱର୍ଣ୍ଣାଦ୍ରି ବିଜେ କରାଯାଇଥିଲା।

ନବ ଦମ୍ପତିଙ୍କ ଦର୍ଶନ ପାଇଁ ଭିଡ଼
ଗତକାଲି ମଧ୍ୟରାତିରେ ମହାପ୍ରଭୁଙ୍କ ବିବାହ ସମ୍ପନ୍ନ ପରେ ଆଜି ପୂର୍ବାହ୍ନରୁ ନବ ଦମ୍ପତିଙ୍କ ଦର୍ଶନ ପାଇଁ କେଦାରଗୌରୀ ମନ୍ଦିରରେ ପ୍ରବଳ ଭିଡ଼ ଲାଗିଥିଲା। ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ଦେବଦେବୀଙ୍କ ଅପୂର୍ବ ଦୃଶ୍ୟକୁ ଦର୍ଶନ କରିଥିଲେ।

ବାଦ୍ୟରେ କମ୍ପିଲା ବଡ଼ଦାଣ୍ଡ
ନବ ଦମ୍ପତି ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଗୋଟିଏ ବିମାନରେ ଆସିଥିବା ବେଳେ ଅନ୍ୟ ଗୋଟିଏ ପାଲିଙ୍କିରେ ଶ୍ରୀଅନନ୍ତବାସୁଦେବ ଆସିଥିଲେ। ଚଳିତ ବର୍ଷ ଏହି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଘଣ୍ଟ, ସମ୍ୱଲପୁରୀ, ଦୁଲଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢୋଲ ମହୁରୀ, ବନ୍ୟଜନ୍ତୁ ବେଶ, କଣ୍ଢେଇ, ଘୋଡ଼ା ନାଚ, ମୟୂରଭଞ୍ଜ ଛଉ, ଢୋଲ, ମାଦଳ, ମହିଳା କଳସ ନୃତ୍ୟ, ଦେବାଦେବୀ ବେଶ, ବନାଟି ଆଦି ରାଜ୍ୟର ବିଭିନ୍ନ ଜିଲ୍ଲାର ପାରମ୍ପରିକ ବାଦ୍ୟ ଓ ସଂଗୀତ ପରିବେଷଣରେ ବଡ଼ଦାଣ୍ଡ କମ୍ପି ଉଠିଥିଲା।

ଭୋରରେ ହେଲା କଉଡ଼ି ଖେଳ
ଦେବଦେବୀ ମନ୍ଦିରରେ ପ୍ରବେଶ ପରେ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ସେବାୟତମାନେ ଉଭୟ ନବଦମ୍ପତିଙ୍କୁ ମନ୍ଦିରକୁ ପାଛୋଟି ନେବା ପରେ ନୀତି ପୂଜା କରାଯାଇଥିଲା। ଏହାପରେ ସେବାୟତମାନେ ଉଭୟ ପକ୍ଷରୁ କଉଡ଼ି ଖେଳିଥିଲେ। ଏହାକୁ ଦେଖିବାକୁ ବହୁ ମହିଳାଙ୍କ ଭିଡ଼ ଜମିଥିଲା।

ଭଜନ ମଣ୍ଡପରେ ନୃତ୍ୟ
ମହାପ୍ରଭୁଙ୍କ ଶୀତଳଷଷ୍ଠୀ ପାଇଁ ଭୁବନେଶ୍ୱର ଶୀତଳଷଷ୍ଠୀ କମିଟି ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ବିଭିନ୍ନ ନୃତ୍ୟ ଦଳ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆସିଥିବା କଳାହାଣ୍ଡି ଘୁମୁରା, ଗଞ୍ଜାମର ଶଙ୍ଖ, ମୟୂରଭଞ୍ଜ ଛଉ, ବଲାଙ୍ଗିର ଦୁଲ୍‌ଦୁଲି, ଓଡ଼ିଶୀ ନୃତ୍ୟ, ନୃତ୍ୟ ଓ ଶେଷରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହାକୁ କମିଟିର ସଭାପତି ସୁରେଶ କୁମାର ରାଉତରାୟ, ସନତ ମିଶ୍ର, ପୃଥିବୀକାନ୍ତ ମହାପାତ୍ର ପରିଚାଳନା କରିଥିଲେ।

କେଦାରଗୌରୀ ମନ୍ଦିରରେ ଭଜନ
ମହାପ୍ରଭୁଙ୍କ ଶୀତଳଷଷ୍ଠୀ ପାଇଁ କେଦାରଗୌରୀ ଡେଭେଲପ୍‌ମେଣ୍ଟ କମିଟି ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କଳାକାରମାନେ ଭକ୍ତ ସଙ୍ଗୀତ ପରିବେଷଣ କରିଥିଲେ। ସେହିପରି ଗତକାଲିଠାରୁ ଅଷ୍ଟପ୍ରହରୀ ନାମଯଜ୍ଞ ସହ ଆଜି କେଦାରଗୌରୀ ମନ୍ଦିର ପରିସରରେ ୧୦ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ମହାପ୍ରଭୁଙ୍କୁ ପାଛୋଟି ଆଣିଲେ ଭକ୍ତ
କେଦାରଗୌରୀ ମନ୍ଦିରରୁ ରାତି ୧୨ଟା ୩୫‌ରେ ନବଦମ୍ପତି ବାହାରିଥିଲେ। ଭିଡ଼ ଯୋଗୁଁ ପୁଲିସ ଠାକୁରଙ୍କୁ କର୍ଡନରେ ଆଣିଥିଲା। ଶାନ୍ତି ଶୃଙ୍ଖଳା ରଖିବା ପାଇଁ ୬ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଥିଲା। ଯାତ୍ରାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଶୀତଳଷଷ୍ଠୀ କମିଟି ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ସଭାପତି ଅରୁଣ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର