ଭୁବନେଶ୍ବର: ବିଦେଶୀ କମ୍ପାନିର ସିଏସ୍‌ଆର୍‌ ଫଣ୍ଡ୍‌ରୁ ଡୋନେସନ୍‌ ଆକାରରେ ୧୮ କୋଟି ଟଙ୍କା ଯୋଗାଇବାର ଲୋଭ ଦେଖାଇ ଏକ ଠକସଂସ୍ଥା ଭୁବନେଶ୍ବରସ୍ଥିତ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ସ୍କୁଲ୍‌ର ପରିଚାଳନା ନିର୍ଦ୍ଦେଶକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ସଂସ୍ଥାକୁ ଖୋଜିବା ଆରମ୍ଭ କରିଛି। ସାଇବର ଠକ ରୢାକେଟ୍‌ ଏଭଳି ଏକ ଅଭିନବ ଠକେଇ କରିବା ଘଟଣା ରାଜଧାନୀରେ ପ୍ରଥମ ବୋଲି କୁହାଯାଉଛି।

Advertisment

ଅଭିଯୋଗ ଅନୁସାରେ ଫୋଇନିକ୍ସ କ୍ୟାପିଟାଲ୍‌ ଫାଇନାନ୍‌ସିଆଲ୍‌ କନ୍‌ସଲ୍‌ଟାନ୍‌ସି ସଂସ୍ଥା ଉକ୍ତ ବିଦ୍ୟାଳୟକୁ ସିଏସ୍‌ଆର୍‌ ପାଣ୍ଠିରୁ ଡୋନେସନ୍‌ ଦେବ ବୋଲି କହିଥିଲା। ଡକ୍ୟୁମେଣ୍ଟ ଭେରିଫିକେସନ୍‌ କରିବା ପାଇଁ ସେହି ସଂସ୍ଥା ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ କୋଲକାତାସ୍ଥିତ କାର୍ଯ୍ୟାଳୟକୁ ଡକାଇଥିଲ। ସ୍କୁଲ୍‌ କର୍ତ୍ତୃପକ୍ଷ କୋଲକାତା ଯାଇ ସଂସ୍ଥାର ମୁଖ୍ୟଙ୍କୁ ଭେଟିଥିଲେ। ସଂସ୍ଥାର ମୁଖ୍ୟ ଡୋନେସନ୍‌ ବାବଦକୁ ଆର୍ଥିକ ସହାୟତା ୟୁରୋ ଆକାରରେ ପ୍ରଦାନ କରାଯିବ ବୋଲି କହିଥିଲେ। ମୋଟ ୩୦ କୋଟି ଟଙ୍କା ପାଇଁ ଆପ୍ରୁଭାଲ୍‌ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆକ୍ସିସ୍‌ ବ୍ୟାଙ୍କ୍‌ ଜରିଆରେ ୧୮ କୋଟି ଟଙ୍କା ମିଳିବ ବୋଲି ସଂସ୍ଥା ମୁଖ୍ୟ କହିଥିଲେ। ଏହି ପ୍ରକ୍ରିୟାରେ ୟୁରୋକୁ ଟଙ୍କାରେ ପରିବର୍ତ୍ତନ କରିବାକୁ ପଡ଼ୁଥିବାରୁ ରେମିଟାନ୍‌ସ ଆମାଉଣ୍ଟ ଦେବାକୁ ପଡ଼ିବ ଏବଂ ସେଥିପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ୬ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। କିଛି ଦିନ ପରେ ଉକ୍ତ ସଂସ୍ଥା ସ୍କୁଲ୍‌ ପରିଚାଳନା ନିର୍ଦ୍ଦେଶକଙ୍କୁ ତା’ର ମହାରାଷ୍ଟ୍ର ପୁଣେ ଟ୍ରେଡିଂ ସେଣ୍ଟରସ୍ଥିତ କାର୍ଯ୍ୟାଳୟକୁ ଡାକିଥିଲେ। ପୁଣେସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ସ୍କୁଲ୍‌ ପରିଚାଳନା ନିର୍ଦ୍ଦେଶକ ରେମିଟାନ୍‌ସ ଆମାଉଣ୍ଟ ବାବଦରେ ୬ ଲକ୍ଷ ଟଙ୍କା ପଇଠ କରିଦେଲେ।

ଏହାର କିଛି ଦିନ ପରେ ସ୍କୁଲ୍‌ କର୍ତ୍ତୃପକ୍ଷ ଆକ୍ସିସ୍‌ ବ୍ୟାଙ୍କ୍‌ ଧାଇଁଲେ। କିନ୍ତୁ ଡୋନେସନ୍‌ ବାବଦରେ କାଣି କଉଡ଼ିଟିଏ ଆସିନଥିଲା। ବୁଝୁବୁଝୁ ଜଣାପଡ଼ିଲା ଯେ ପୁଣେ ଟ୍ରେଡିଂ ସେଣ୍ଟର୍‌ରେ ଉକ୍ତ ସଂସ୍ଥା ମାତ୍ର ଦିନକ ପାଇଁ କାର୍ଯ୍ୟାଳୟକୁ ଭଡ଼ାରେ ନେଇଥିଲା। ଏଭଳି ଏକ ନକଲି ସଂସ୍ଥା ଦ୍ବାରା ଠକାମିର ଶିକାର ହୋଇଥିବା ଜାଣିବା ପରେ ସ୍କୁଲ୍‌ କର୍ତ୍ତୃପକ୍ଷ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେହିଭଳି ଟ୍ରେଡିଂ ଆପ୍‌ରେ ଜଣେ ବ୍ୟକ୍ତି ୧୦ ଲକ୍ଷ ଟଙ୍କା ହରାଇଥିବା ନେଇ ସାଇବର ଥାନାରେ ମାମଲା ରୁଜୁ ହୋଇଛି। ଶିଶୁପାଳଗଡ଼ ନୂଆଗାଁ ଅଞ୍ଚଳର ଏହି ବ୍ୟକ୍ତି କମ୍‌ ଦିନରେ ୩୦ /୪୦ ପ୍ରତିଶତରୁ ଅଧିକ ଲାଭ ପାଇବା ଲୋଭରେ ପଡ଼ି ୧୦ ଲକ୍ଷ ଟଙ୍କା ହରାଇଥିବା ଅଭିଯୋଗ କରିଛନ୍ତି। ପ୍ରଥମେ ୫ ହଜାର ଟଙ୍କା ବିନିଯୋଗ କରି ସେ ୧୦ ହଜାର ଟଙ୍କା ପାଇଥିଲେ। ଏହା ପରେ ତାଙ୍କ ବିଶ୍ବାସ ବଢ଼ିଥିଲା ଏବଂ ସେ ବିଭିନ୍ନ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ବିନିଯୋଗ କରିଦେଲେ। କିନ୍ତୁ ଏହାପରେ ତାଙ୍କୁ ପାହୁଲାଟିଏ ମିଳିଲା ନାହିଁ। ଅନ୍ୟ ଏକ ମାମଲାରେ ଜଣେ ଜମାଟୋ ଡେଲିଭରି ବୟ ଅନ୍‌ଲାଇନ୍‌ରେ ରେନ୍‌କୋର୍ଟ ମଗାଇ ୨ ଲକ୍ଷ ଟଙ୍କା ହରାଇଥିବା ଅଭିଯୋଗ ହୋଇଛି।