କମିସନରେଟ୍ ପୁଲିସ ଲୋକଙ୍କୁ ଫେରାଉଛି ସେମାନଙ୍କ ଲୁଟ ହୋଇଥିବା ଫୋନ

ଭୁବନେଶ୍ବର: ଯଦି ‌କୌଣସି ବ୍ୟକ୍ତିଙ୍କ ମୋବାଇଲ ଚୋରି ବା ଲୁଟ୍ ହୋଇଯାଏ ତେବେ ଉକ୍ତ ବ୍ୟକ୍ତିଙ୍କୁ ଅନେକ ସମସ୍ୟା ହୋଇଥାଏ । କିଏ ମର୍ଣ୍ଣିଂ ୱାକ୍ ଗଲାବେଳେ ତାର ମୋବାଇଲ ଲୁଟ୍ ହୁଏ ତ କିଏ ଅନ୍ୟମନସ୍କରେ କେଉଁଠି କିଣାକିଣି କଲାବେଳେ ଫୋନ ଚୋରି ହୋଇଯାଇଥାଏ । ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଭାବେ ଫୋନ ଚୋରି ହୋଇଥାଏ । ଆଉ ଉକ୍ତ ଫୋନକୁ ଖୋଜିଦେବାକୁ ସେମାନେ ପୁଲିସରେ ଅଭିଯୋଗ କରିଥାଆନ୍ତି।

ହେଲେ ବର୍ଷ ବର୍ଷ ବିତିଯାଉଥିଲେ ବି ଉକ୍ତ ଫୋନ ସେମାନଙ୍କୁ ମିଳେ ନାହିଁ । ଫୋନରେ ଲୋକଙ୍କ ବ୍ୟାଙ୍କ ସମ୍ବନ୍ଧୀୟ, ବ୍ୟବସାୟ ସମ୍ବନ୍ଧୀୟ ତଥା ଅନେକ ବ୍ୟକ୍ତିଗତ ତଥ୍ୟ ସେଭ ହୋଇ ରହିଥାଏ। ଆଉ ଫୋନ ହଜିଗଲେ ତାହା ପାଇବା ମୁସକିଲ୍ ହୋଇ ଯାଇଥାଏ ।

ତେବେ ସାଧାରଣ ଲୋକଙ୍କ ଏହି ସମସ୍ୟାକୁ ବୁଝି କମିସନରେଟ୍ ପୁଲିସ ଲୋକଙ୍କୁ ଫେରାଉଛି ଚୋରି ଫୋନ । ଗତ ୬ ମାସ ଭିତରେ ସହିଦନଗର ଥାନା ଅଧିନରେ ଯେତେ ସବୁ ଫୋନ ଚୋରି, ହଜିବା ମାମଲା ହୋଇଛି ତାକୁ ଖୋଜି ଖୋଜି ଲୋକଙ୍କୁ ଫେରାଇଛି ପୁଲିସ ।

ତେବେ ମୋବାଇଲ ଚୋରି ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା । ସହିଦ ନଗର ଥାନା ଅଞ୍ଚଳରେ ଗତ ୬ ମାସ ଭିତରେ ଯେତେ ଫୋନ ଲୁଟ୍ ହୋଇଥିଲା ତାହା ଧରାପଡିଛି । ୪୦ଟା ମୋବାଇଲ ଉଦ୍ଧାର କରାଯାଇଥିଲା, ସେଥିରୁ ୩୨ଟି ଫୋନ ନିଜ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି । ଥାନାକୁ ଡାକି ସେମାନଙ୍କୁ ଫୋନ ଫେରାଇଛି ପୁଲିସ । ୬/ ୭ଟି ଫୋନ ତାମିଲନାଡୁରୁ ଜବତ କରାଯାଇଛି ବୋଲି କହିଛନ୍ତି ସ୍ପେଶାଲ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥୀ ।

 

ସମ୍ବନ୍ଧିତ ଖବର