କୋଟିପତି ହେବା ନିଶାରେ ହରାଇଲେ ୯୫ ଲକ୍ଷ

ଶିକାର ହେଲେ ଅବସରପ୍ରାପ୍ତ ସେନା ଅଧିକାରୀ

ଭୁବନେଶ୍ବର: ବର୍ଷ ଆରମ୍ଭରୁ ପୁଣି କଲବଲ କଲେଣି ସାଇବର ଠକ। ବିଭିନ୍ନ ଆଳ‌ରେ ଲୋକଙ୍କୁ ଲୁଟି ଚାଲିଥିବା ବେଳେ ଏବେ ୯୫ଲକ୍ଷ ଟଙ୍କାର ଠକେଇ ସାମ୍ନାକୁ ଆସିଛି। ଠକେଇର ଶିକାର ହୋଇଛନ୍ତି, ଘାଟିକିଆ ବିପୁଲ୍ ଗାର୍ଡେନ୍‌ରେ ରହୁଥିବା ଅବସରପ୍ରାପ୍ତ ସେନା ଅଧିକାରୀ ସୁବାସ ଚନ୍ଦ୍ର ନନ୍ଦ। ଇନ୍‌ସ୍ୟୁରାନ୍ସ ପଲିସି ବୋନସ୍ ନାଁରେ ସାଇବର ଠକ ତାଙ୍କୁ ଚୂନ ଲଗାଇଥିବା ଜଣାପଡ଼ିଛି। ଏନେଇ ସେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ବ୍ୟକ୍ତିଗତ ଠକାମି ଅଭିଯୋଗ ଭିତ୍ତିରେ ଏହା ସବୁଠୁ ବଡ଼ଧରଣର ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଅଭିଯୋଗକାରୀ ଶ୍ରୀ ନନ୍ଦ ୨୦୧୧ରେ ମାକ୍ସଲାଇଫ୍ ଇନ୍‌ସ୍ୟୁରାନ୍ସରେ ୬ଲକ୍ଷ ଟଙ୍କାର ଏକ ପଲିସି କରିଥିଲେ। ୨୦୧୫ ଅଗଷ୍ଟରେ ତାଙ୍କ ପାଖକୁ ପଲିସି ସଂକ୍ରାନ୍ତରେ ଫୋନ୍ କଲ୍ ଆସିବା ସହ ବୋନସ୍ ମିଳିବ ବୋଲି କୁହାଯାଇଥିଲା। ଏପରିକି କୋଟିପତି ହେବାର ଲୋଭ ଦେଖାଯାଇଥିଲା। ବିଭିନ୍ନ ସମୟରେ ବିଭିନ୍ନ ଦପ୍ତରରୁ ଫୋନ୍ ଆସିଥିଲା। ଯେମିତି ଜିଏସ୍‌ଟି, ଆୟକର ବିଭାଗ ଅଧିକାରୀ କହି ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ।

ଇନ୍‌ସ୍ୟୁରାନ୍ସରେ ବୋନସ୍ ମିଳିବ କହି ଲୁଟିଲେ ସାଇବର ଠକ

ପୂର୍ବରୁ ହାଲ୍ କର୍ମଚାରୀଙ୍କଠାରୁ ହୋଇଥିଲା ସାଢ଼େ ୭୫ ଲକ୍ଷ ଠକେଇ

ସେହିପରି ଅର୍ଥ ମନ୍ତ୍ରଣାଳୟ, ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଆଇଆରଡିଏ (ଇନସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି), ଏନପିସିଆ ଆଦି ବିଭାଗର ଅଧିକାରୀଙ୍କ ନାଁ ନେଇ ଠକମାନେ ଫୋନ୍ କରି ଲୁଟିଥିବା ଜଣାପଡ଼ିଛି। ୨୦୧୫ରୁ ଅଭିଯୋଗ ହେଲା ପର୍ଯ୍ୟନ୍ତ ପ୍ରାୟ ୭ ବର୍ଷ ଧରି ସାଇବର ଠକମାନେ ତାଙ୍କଠାରୁ ବିଭିନ୍ନ ଆଳ ଦେଖାଇ ୯୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏତେ ବର୍ଷ ଧରି ସେ ଲୋଭରେ ପଡ଼ି ଠକାମିର ଶିକାର ହୋଇ ଚାଲିଥିଲେ।

ଗତ ଡିସେମ୍ବରରେ ସୁନାବେଡ଼ା ହାଲ୍ କର୍ମଚାରୀ ସୁଶାନ୍ତ କୁମାର ବେହେରା ସମାନ ଢଙ୍ଗରେ ସାଇବର ଠକଙ୍କ ଜାଲରେ ପଡ଼ି ୭୫ଲକ୍ଷ ୫୮ହଜାର ଟଙ୍କା ହରାଇଥିଲେ। ଦେଢ଼ କୋଟି ଟଙ୍କା ଲୋଭ ଦେଖାଇ ସାଇବର ଠକ ବିଭିନ୍ନ ବିଭାଗର ଅଧିକାରୀ ପରିଚୟ ଦେଇ ଏହି ଠକେଇ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ସାଇବର ଠକମାନେ ବୀମାଧାରୀଙ୍କର ବ୍ୟକ୍ତିଗତ ତଥ୍ୟ ପାଉଛନ୍ତି କେମିତି? ସାଇବର ଠକଙ୍କ ଗ୍ୟାଙ୍ଗରେ କାମ କରୁଥିବା ସଦସ୍ୟ ବୀମା ଅଫିସ ସହ କୌଣସି ପ୍ରକାରେ ସମ୍ପୃକ୍ତ ରହିଛନ୍ତି କି? ବୀମା ପଲିସି ଠକେଇ ସଂକ୍ରାନ୍ତରେ ଏକାଧିକ ଅଭିଯୋଗ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ହୋଇଛି। କିନ୍ତୁ ତଥ୍ୟ କେଉଁଠୁ ଲିକ୍ ହେଉଛି, ସାଇବର ଥାନା ସେ ସମ୍ପର୍କରେ ସାମାନ୍ୟତମ ସୁରାକ୍ ପାଇ ପାରୁନାହିଁ।

ସମ୍ବନ୍ଧିତ ଖବର