ରାଜଧାନୀରେ ଦୟନୀୟ ସ୍ଥିତି: ପଡ଼ିଆ ସହ ହଜିଯାଉଛି ପ୍ରତିଭା

କବ୍‌ଜା କରିଛନ୍ତି ଗୋରୁଗାଈ, ନିଶାଡ଼ି ଓ କାର୍ଯ୍ୟକ୍ରମ

ଭୁବନେଶ୍ୱର : ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଭିତ୍ତିଭୂମି ସଜାଡ଼ୁଛନ୍ତି ଓ ଖେଳାଳିମାନଙ୍କୁ ବି ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ମାତ୍ର ତୃଣମୂଳସ୍ତରର ଚିତ୍ର ଭିନ୍ନ। ବାସ୍ତବରେ ଯେଉଁଠି ପ୍ରାରମ୍ଭରୁ ଖେଳାଳିଟିଏ ଜନ୍ମ ନିଏ, ସେହି ଏନ୍ତୁଡ଼ିଶାଳର ଭିତ୍ତିଭୂମି ଅବସ୍ଥା ବଡ଼ ଦୟନୀୟ। ‌ପଡ଼ିଆ ସଂକୁଚିତ ହେଉଛି ଓ ତା’ ସାଙ୍ଗରେ ମରିଯାଉଛି ପ୍ରତିଭା। କଥା‌‌ରେ ଅଛି, ଗାଁ ପରିମଳ ଧୋବାତୁଠରୁ। ଭିତ୍ତିଭୂମିରୁ ବିକାଶର ଚିତ୍ର ଜଳଜଳ ହୋଇ ଦେଖାଯାଏ। ରାଜଧାନୀର ଖେଳପଡ଼ିଆ ସମୂହର ଚିତ୍ରକୁ ଦେଖିଲେ, ଆମ ରାଜ୍ୟର କ୍ରୀଡ଼ା ବିକାଶର କଥା ସହଜରେ ବାରି ହୋଇପଡ଼େ। ଗତ କିଛି ବର୍ଷ ଭିତରେ ରାଜଧାନୀର ବହୁ ଖେଳପଡ଼ିଆ କଂକ୍ରିଟ୍‌ ଜଙ୍ଗଲରେ ହଜିଯାଇଛି। ବିଶେଷକରି କଲୋନିଗୁଡ଼ିକର ଖେଳପଡ଼ିଆକୁ ଅକ୍ତିଆର କରି ସେଠାରେ ବହୁ ତଳ ପ୍ରାସାଦ ଠିଆ କରାଯାଇଛି। ଯେତିକି ଅଛି, ସେଥିରୁ ଅନେକ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ପଡ଼ି ବଣଜଙ୍ଗଲ ପାଲଟି ଯାଇଛି ଓ ଆଉ କେତେକ ଗୋରୁଗାଈଙ୍କ ଚରାଭୂଇଁ ପାଲଟି ଯାଇଛି। ସେହିଭଳି ବହୁ ଖେଳପଡ଼ିଆ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମର କବ୍‌ଜାରେ ରହିଛି। ରାତି ହେଲେ ବହୁ ଖେଳପଡ଼ିଆ ନିଶାଡ଼ିଙ୍କ କ୍ରୀଡ଼ାଭୂମି ଭାବେ ବ୍ୟବହାର ହେଉଛି। ସ୍ଥାନୀୟ ପ୍ରଶାସନ, କ୍ରୀଡ଼ା ସଂଗଠନ ଓ ଖେଳ ପ୍ରତି ଯୁବପିଢ଼ିଙ୍କ ବିତସ୍ପୃହତା ପାଇଁ ଆଜି ରାଜଧାନୀରେ ଏଭଳି ସ୍ଥିତି। କେବଳ କିଛି ସ୍ଥାନରେ କ୍ରିକେଟ୍‌ ଓ ଫୁଟବଲ୍‌ ପ୍ରତି ଆଗ୍ରହ ଦେଖାଯାଉଥିବା ବେଳେ ହକି, ଭଲିବଲ୍‌, କବାଡ଼ି ଭଳି ଅନ୍ୟାନ୍ୟ ଖେଳ ରାଜଧାନୀରେ ନାହିଁ କହିଲେ ଭୁଲ୍‌ ହେବ ନାହିଁ। ତେଣୁ ତୃଣମୂଳସ୍ତରରେ ରହିଥିବା ବହୁ ପ୍ରତିଭା ଅକାଳରେ ବଣମଲ୍ଲୀ ଭଳି ଝଡ଼ିପଡ଼ୁଛନ୍ତି। ଖେଳପଡ଼ିଆ ଅଭାବରୁ ଅଭ୍ୟାସର ଅଭାବ ରହୁଛି ଓ ଫଳରେ ପ୍ରତିଭା ବିକଶିତ ହେବା ପୂର୍ବରୁ ମଉଳି ଯାଉଛି। ଠିକଣା ସମୟରେ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ। ରାଜଧାନୀର ଖେଳପଡ଼ିଆ ସବୁର ଦୟନୀୟ ଚିତ୍ରକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା।

ୟୁନିଟ୍-୨ ଖେଳପଡ଼ିଆ
ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଛରେ ଥିବା ଖେଳପଡ଼ିଆ ଏବେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଦିନେ ଏହି ପଡ଼ିଆରୁ ଓଡ଼ିଶା ମହିଳା ଫୁଟବଲ୍‌ ଦଳ ଜନ୍ମ ନେଇଥିଲା। ଖୋଖୋ ଖେଳୁଥିବା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏହି ପଡ଼ିଆରୁ ଜଣେ ଖ୍ୟାତାନାମା ଫୁଟବଲ୍‌ ଖେଳାଳି ଭାବେ ସୃଷ୍ଟି ହୋଇଥିଲେ। ମାତ୍ର ଏବେ ଏହି ପଡ଼ିଆର ସ୍ଥିତି ବଡ଼ କଦର୍ଯ୍ୟ ଅବସ୍ଥାରେ ରହିଛି। ଦିନରେ ବୁଲା ଗୋରୁଗାଈ ଓ ରାତିରେ ନିଶାଡ଼ିଙ୍କ ଆଡ଼ା ପାଲଟି ଯାଇଛି ଏହି ପଡ଼ିଆ। ଅବଶ୍ୟ ଏବେ ଏଠାକୁ ସକାଳେ ଓ ଅପରାହ୍‌ଣରେ କିଛି ଯୁବକ ଫୁଟବଲ ଓ କ୍ରିକେଟ ଖେଳିବା ପାଇଁ ଆସୁଛନ୍ତି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ପଡ଼ିଆର ବହୁ ଅଂଶ ବଣବୁଦାରେ ଭର୍ତ୍ତି ହୋଇଯାଇଥିବାରୁ ଖେଳିବା ପାଇଁ ସମସ୍ୟା ହେଉଛି। ଖେଳିବା ପୂର୍ବରୁ ପିଲାମାନଙ୍କୁ ଆଗ ଗୋବର ଉଠାଇବା ପାଇଁ ପଡ଼ୁଛି। କିଛି ପିଲା ନିଜ ଖର୍ଚ୍ଚରେ କ୍ରିକେଟ ପିଚ୍ ତିଆରି କରିଛନ୍ତି। ଏଠାରେ ନିୟମିତ ଖେଳୁଥିବା ଜ୍ୟୋତିପ୍ରକାଶଙ୍କ କହିବା କଥା, ରକ୍ଷାଣବେକ୍ଷଣ ଅଭାବରୁ ସମସ୍ୟା ହେଉଛି। ସ୍ଥାନୀୟ ସ୍କାନ୍ କ୍ଲବ୍‌ର ରବୀନ୍ଦ୍ର ନାୟକ ଓ ୟୁନିଟ୍-୬ ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସଭାପତି ଦିଲ୍ଲୀପ ଦାସ ମଧ୍ୟ ସମାନ କଥା ଦେହରାଇଛନ୍ତି। ଏହି ଖେଳପଡ଼ିଆର ରକ୍ଷଣା‌ବେକ୍ଷଣ ହୋଇପାରିଲେ, ଶ୍ରଦ୍ଧାଞ୍ଜଳିଙ୍କ ଭଳି ଅନେକ ଖେଳାଳି ଏଠାରୁ ବାହାରନ୍ତେ ବୋଲି ସେମାନେ କହିଛନ୍ତି।

ବରମୁଣ୍ଡା ଖେଳପଡ଼ିଆ
ଆମ ଟିମ୍‌ ବରମୁଣ୍ଡା ଖେଳ ପଡ଼ିଆରେ ପହଞ୍ଚିବା ପରେ ତା’ର ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଥିଲା। କିଛି ବର୍ଷ ପୂର୍ବେ ଏଠାରେ ଫୁଟବଲ୍‌ ଓ କ୍ରିକେଟ୍‌ ଖେଳୁଥିଲେ ପିଲାମାନେ। ଭଲ ଫୁଟବଲ୍‌ ପ୍ରତିଯୋଗିତା ବି ଏଠାରେ ଆୟୋଜନ ହେଉଥିଲା। ମାତ୍ର ଏବେ ସେଠାରେ ମାଳମାଳ ଗାଈ ବୁଲୁଥିବା ଦେଖିବାକୁ ମିଳିଥିଲା। ଲାଗୁଥିଲା ପଡ଼ିଆଟି ଯେମିତି ଏକ କାଞ୍ଜିଆହୁଦା। ଭଙ୍ଗା କ୍ରିକେଟ୍‌ ପିଚ୍‌ଟି ବଣ ଭିତରେ ଲୁଚି ଯାଇଥିଲା। ସ୍ଥାନୀୟ ଜଣେ ଯୁବକଙ୍କ କହିବା କଥା, ଏହି ପଡ଼ିଆଟି ଆଉ ଖେଳପଡ଼ିଆ ହୋଇ ରହିନାହିଁ। ବାହାଘର, ବ୍ରତଘର, ରାଜନୈତିକ ସମ୍ମିଳନୀ ତଥା ସରକାରୀ କାର୍ଯ୍ୟକ୍ରମ ଏହି ପଡ଼ିଆକୁ କବ୍‌ଜା କରିସାରିଛି। ସେହିଭଳି ଜାଗମରା ଖେଳପଡ଼ିଆ ବି ଜଙ୍ଗଲ ଭଳି ଦେଖାଯାଉଥିଲା। ପୂର୍ବରୁ କ୍ରିକେଟ୍‌ ପଡ଼ିଆ ଭାବେ ପରିଚିତ ଥିବା ଏହି ପଡ଼ିଆରେ କେହି ଖେଳୁଥିବା ଦେଖିବାକୁ ମିଳି ନଥିଲା। ଦିନେ ଏଠାରେ କ୍ରିକେଟ୍‌ର ବଡ଼ ପ୍ରତିଯୋଗିତା ଆୟୋଜନ ହେଉଥିଲା। କିନ୍ତୁ ପଡ଼ିଆ ଧୀରେଧୀରେ ସଂକୁଚିତ ହେଲା। ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ପାଇଁ ସରକାରୀ ଅନୁମତି ଦିଆଯିବାରୁ ନିୟମିତ ଖେଳିବା ସମ୍ଭବ ହେଲା ନାହିଁ। ଫଳରେ ଖେଳାଳିମାନେ ଏହି ପଡ଼ିଆରୁ ମୁହଁ ଫେରାଇ ନେଲେ। ପରେ ଆମ ଟିମ୍‌ ପହଞ୍ଚିଥିଲା ସିଆର୍‌ପି ଇନ୍ଦିରା ମୈଦାନକୁ। ସେଠାରେ ମଧ୍ୟ ସମାନ ଅବସ୍ଥା। ଏତେ ବଡ ପଡ଼ିଆରେ ପିଲା ନଥିଲେ। ତାହା ଖେଳପଡ଼ିଆ କମ୍, ବଣଜଙ୍ଗଲ ବେଶି ଦେଖାଯାଉଥିଲା। କସ୍ତୁରବା ସ୍କୁଲ୍‌ ନିକଟସ୍ଥ ଖେଳପଡ଼ିଆରେ ବି ସମାନ ଅବସ୍ଥା ଦେଖିଥିଲୁ। ଜଙ୍ଗଲିଆ ପଡ଼ିଆରେ କାଁ ଭାଁ କିଛି ପିଲା ଖେଳୁଥି‌ଲେ।

ଚନ୍ଦ୍ରଶେଖରପୁର ଅଞ୍ଚଳର ସ୍ଥିତି
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅନେକ ଖେଳପଡ଼ିଆ ରହିଛି। ମାତ୍ର ସବୁଠି ଭିତ୍ତିଭୂମି ବଡ଼ କଦର୍ଯ୍ୟ। କେଉଁଠି ବି ପିଲାମାନେ ଖେଳୁଥିବା ଦେଖିବାକୁ ମିଳି ନଥିଲା। ପଟିଆ ଶ୍ରୀବିହାରରେ ଥିବା ସବୁଠୁ ବଡ଼ ଖେଳପଡ଼ିଆଟି ବି ଗୋରୁଗାଈଙ୍କ ଚରାଭୂଇଁ ପାଲଟିଥିବା ଦେଖିବାକୁ ମିଳିଥିଲା। ମେନ୍‌ ଗେଟ୍‌ରେ ତାଲା ପଡ଼ିଥିଲା। ପଡ଼ିଆଟି ବାହାରକୁ ଏକ ଜଙ୍ଗଲ ଭଳି ପ୍ରତୀୟମାନ ହେଉଥିଲା। ଶ୍ରୀବିହାର ବାସିନ୍ଦା ନିହାର ରଞ୍ଜନ ଦାସ କହିଛନ୍ତି ଯେ ଖେଳପଡ଼ିଆ ଥାଇ କୌଣସି କାମକୁ ନୁହଁ, ପିଲାମାନେ ଖେଳି ପାରୁନାହାନ୍ତି। ନୀଳାଦ୍ରିବିହାର, ଶୈଳଶ୍ରୀବିହାର, କାନନବିହାର, ଇନ୍‌ଫୋସିଟି ଆଦି ଅଞ୍ଚଳରେ ଖେଳପଡ଼ିଆ ଆଖିରେ ପଡ଼ିଲା ନାହିଁ। ନୀଳାଦ୍ରିବିହାର ଅଞ୍ଚଳର ଉଦୟନାଥ କୁହନ୍ତି, ଆମ ଅଞ୍ଚଳରେ ଖେଳପଡ଼ିଆ ଥିଲେ ଅନେକ ଖେଳାଳି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିପାରନ୍ତେ। ଶୈଳଶ୍ରୀବିହାରର ଖେଳାଳି ରମାକାନ୍ତ ସ୍ବାଇଁ କୁହନ୍ତି ଯେ ସେ ରେଲୱେ ଇଣ୍ଡୋର୍ ଷ୍ଟାଡିୟମ୍‌ରେ ଅଭ୍ୟାସ କରୁଛନ୍ତି। ପାଖରେ ପଡ଼ିଆ ନଥିବାରୁ ଏତେ ଦୂର ଯିବାକୁ ପଡ଼ୁଛି। ପାଖରେ ପଡ଼ିଆ ନଥିବାରୁ ସେମାନଙ୍କ ଆଗ୍ରହ ମରି ଯାଇଛି।

ସମ୍ବନ୍ଧିତ ଖବର