ଭୁବନେଶ୍ୱର: ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ସୁବନ ଖୁଣ୍ଟିଆ ତୃତୀୟ ସ୍ମାରକୀ ବକ୍ତୃତା ‘ଓଡ଼ିଶାର କୃଷି’ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଭର୍ତ୍ତୃହରି ମହତାବ ଇତିହାସକୁ ଅନୁଧ୍ୟାନ କଲେ ଧାନଚାଷର ମୁଖ୍ୟସ୍ଥଳ କଳିଙ୍ଗ ଥିଲା ବୋଲି କହିଥିଲେ। ପୂର୍ବେ ବାଣିଜ୍ୟ କାରବାର ସହିତ କଳିଙ୍ଗର ଲୋକେ ଦକ୍ଷିଣ-ପୂର୍ବ ଅଞ୍ଚଳକୁ ଧାନଚାଷ ଶିଖାଇବାକୁ ଯାଉଥିଲେ। ଆଜି ସୁନ୍ଦର ଚାଷଜମି ଥିବା ଗାଁ ଆଉ ନାହିଁ, ଯିଏ ଟିକେ ପାଠ ପଢୁଛି ସେ ଆଉ ଗାଁରେ ରହୁନାହିଁ। ଯଦିଓ ପୂର୍ବଭଳି କୃଷିଦ୍ରବ୍ୟ ବିକ୍ରିରେ ସମସ୍ୟା ନାହିଁ, କିନ୍ତୁ ଚାଷ ପ୍ରତି ଲୋକ ବିମୁଖ ହେଉଛନ୍ତି। ଚାଷୀଙ୍କ ମନରେ ଚାଷ ପ୍ରତି ଭଲ ପାଇବା ନ ଆଣିଲେ ଚାଷର ଉନ୍ନତି ହେବନାହିଁ। ଶିକ୍ଷିତ ଯୁବପିଢ଼ି ଯଦି ଚାଷ ପ୍ରତି ଆଗ୍ରହ ବଢ଼ାଇବେ ତେବେ ହିଁ କୃଷିର ବିକାଶ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।

Advertisment

କାର୍ଯ୍ୟକ୍ରମରେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରି ଚାଷ ବିଷୟରେ ସାଧାରଣତଃ ଆଲୋଚନା ହୁଏନାହିଁ ବୋଲି କହିଥିଲେ। ଚାଷକୁ ସମ୍ଭାଳିବାକୁ ହେଲେ ଚାଷ ଠାରୁ ମୁହଁ ଫେରାଉ ଥିବା ଲୋକଙ୍କୁ ପୁଣି ଚାଷକୁ ଫେରାଇବା ସହିତ ଚାଷରେ ବିଜ୍ଞାନର ଉପଯୋଗ କରିବାକୁ ପଡ଼ିବ। ତେବେ ସମସ୍ତେ ଯଦି କୃଷି ଉପରେ ନିର୍ଭର କରିବେ, ତେବେ ଆମେ ତିଷ୍ଠି ପାରିବା ନାହିଁ। ତେଣୁ ବିକଳ୍ପ ରୋଜଗାର ଓ ନିଯୁକ୍ତି ସୃଷ୍ଟି କରି ଯୋଗ୍ୟ ଓଡ଼ିଆଙ୍କୁ ଯଦି ରାଜ୍ୟକୁ ଫେରାଇ ଅଣାଯିବ, ତେବେ ତାଙ୍କ ବୁଦ୍ଧିର ପ୍ରୟୋଗରେ ନୂଆ ଉଦ୍ୟୋଗ ସୃଷ୍ଟି ହୋଇପାରିବ ଏବଂ ଚାଷୀ ଆଉ ଚାପଗ୍ରସ୍ତ ହେବେନାହିଁ ବୋଲି ସେ କହିଥିଲେ।

ମୁଖ୍ୟ ବକ୍ତା ଓୟୁଏଟିର କୁଳପତି ପ୍ରଭାତ କୁମାର ରାଉଳ କହିଥିଲେ, ଚାଷ ଓ ଚାଷୀ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ। ଉଭୟ ଓଡ଼ିଶାର ପ୍ରଗତିର ଦୁଇଟି ସ୍ତମ୍ଭ। ସେ ଚାଷର ଇତିହାସ ଠାରୁ ଆରମ୍ଭ କରି ବର୍ତ୍ତମାନ କୃଷିକ୍ଷେତ୍ରରେ ପ୍ରୟୋଗ ହେଉଥିବା କୁତ୍ରିମ ବୁଦ୍ଧିମତ୍ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବର୍ତ୍ତମାନ ବ୍ୟକ୍ତି ଚାଷ ବଦଳରେ ଗୋଷ୍ଠୀ ଚାଷ ବଢ଼ିଛି ବୋଲି ସେ କହିଥିଲେ। ଏହି ଅବସରରେ ନଟବର ଖୁଣ୍ଟିଆଙ୍କ ଲିଖିତ ପୁସ୍ତକ ‘ଚାଷ ଚାଷୀ ଓଡ଼ିଶା’ ଉନ୍ମୋଚିତ ହୋଇଥିଲା। ଅନ୍ୟତମ ଅତିଥି ତଥା ପ୍ରତିଷ୍ଠାନର ଅଧ୍ୟକ୍ଷ ଗୋବିନ୍ଦ ଭୂୟାଁ ଏହି ପୁସ୍ତକ କୃଷି, କୃଷକ, ତାଙ୍କ ସମସ୍ୟା, ସମାଧାନ ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଉଲ୍ଲେଖ ରହିଛି ବୋଲି କହିଥିଲେ। ସଭାରେ ଦୁଇଜଣ ଆଦର୍ଶ ଚାଷୀ କନ୍ଧମାଳର ସରସ୍ୱତୀ ପ୍ରଧାନ ଓ ପୁରୀର ପ୍ରଭାକର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅନୁଷ୍ଠାନର ଆବାହକ ଜଗଦୀଶ ପ୍ରଧାନ ଧନ୍ୟବାଦ ଦେଇଥିଲେ।