ନବବଧୂକୁ ମାରି ପୋଡ଼ିଦେଲେ, ୯ ମାସ ତଳେ କରିଥିଲେ ପ୍ରେମ ବିବାହ

ଶ୍ମଶାନରୁ ଅସ୍ଥି ନମୁନା ସଂଗ୍ରହ କଲା ସାଇଣ୍ଟିଫିକ୍‌ ଟିମ୍‌, ସ୍ବାମୀ ସମେତ ୩ ଅଟକ

ବାରଙ୍ଗ: ନାନା ସ୍ବପ୍ନ ଦେଖାଇ ଯୁବତୀଙ୍କୁ ତାଙ୍କ ପରିବାରର ଅଗୋଚରରେ ପ୍ରେମ ବିବାହ କରି ଘରକୁ ନେଇ ଆସିଲେ। ହେଲେ ବିବାହକୁ ମାସ ୯ଟା ପୂରୁଣୁ ଏମିତି କ’ଣ ଘଟିଗଲା ଯେ ପରିବାରଲୋକଙ୍କ ସହ ମିଶି ଶ୍ବାସରୁଦ୍ଧ କରି ହତ୍ୟା କଲେ। ଖାଲି ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ଯୁବତୀଙ୍କ ଶବକୁ ବି ତରବରିଆ ଭାବେ ପୋଡ଼ି ଦେଲେ। ପୁରୀ ଗଣଦୁଷ୍କର୍ମ ଓ ତେଲେଙ୍ଗାନାରେ ଡାକ୍ତରାଣୀଙ୍କୁ ଜିଅନ୍ତା ପୋଡ଼ି ହତ୍ୟା ଘଟଣା ପୂରା ଦେଶ‌ରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମ‌ରେ ଏପରି ଏକ ଅମାନବୀୟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମୃତ ମହିଳାଜଣକ ହେଲେ, ଦାରୁଠେଙ୍ଗ ଗ୍ରାମ‌ ଗଡ଼ସାହିର ରୁବି ପରିଡ଼ା(୨୦)। ତାଙ୍କ ବାପଘର ନିଆଳି ଥାନା ବିଳାଶୁଣି ପଞ୍ଚାୟତ ତରଗଡ଼ ଗାଁରେ। ଏନେଇ ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ସ୍ବାମୀ ଦୀପକ ଭୋଇ (୨୧), ଶାଶୂ ଓ ନଣନ୍ଦଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଗିରଫଦାରି ଭୟରେ ଶ୍ବଶୁର କେଉଁ ଆଡ଼େ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ଅପରପକ୍ଷେ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ ମୃତ ରୁବିଙ୍କୁ ପୋଡ଼ା ଯାଇଥିବା ସ୍ଥାନରୁ ତାଙ୍କ ଅସ୍ଥି ଓ ଶରୀରର ଅବଶେଷ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ଘଟଣାକୁ ଗୁରୁତ୍ବର ସହ ନେଇ ଏସିପି ତରୁଣ କୁମାର ଦାସ ଓ ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ବାଳ ତଦନ୍ତ ଜାରି ରଖିଛନ୍ତି।

ଅଟକ ୩ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ଦୀପକ ୯ ମାସ ତଳେ ରୁବିଙ୍କୁ ପ୍ରେମ ବିବାହ କରି ଘରକୁ ନେଇ ଆସିଥିଲା। ଗତକାଲି ବିଳମ୍ବିତ ରାତିରେ ସ୍ବାମୀ, ଶାଶୂ, ଶ୍ବଶୁର ଓ ନଣନ୍ଦ ମିଶି ତାଙ୍କ ମୁହଁ ଉପରେ ତକିଆ ପକାଇ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ହତ୍ୟାର ପ୍ରମାଣ ନଷ୍ଟ କରିବା ପାଇଁ ସେ ରୁବିଙ୍କ ଶବକୁ ନିକଟସ୍ଥ ମଶାଣିରେ ପୋଡ଼ି ଦେଇଥିଲେ। ତେବେ ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ତତ୍ପରତା ପ୍ରକାଶ କରିଥିଲା। ବାରଙ୍ଗ ଥାନା ଅଧିକାରୀ ସଦଳବଳ ମହିଳାଙ୍କ ଶ୍ବଶୁର ଘର ଉପରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣିଥିଲେ। ତେବେ କେଉଁ କାରଣରୁ ସେମାନେ ରୁବିଙ୍କୁ ମିଳିମିଶି ହତ୍ୟା କଲେ; ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ବେଶି କିଛି ଜଣାଇନାହିଁ।

ସମ୍ବନ୍ଧିତ ଖବର