ଭୁବନେଶ୍ୱର : ମିସ୍‌ କଲରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ୮ ମାସ ପାଖରେ ରଖିଲା ପରେ ଛାଡ଼ି ପଳାଇଲା। ଯୁବତୀଜଣଙ୍କ ପିଛା ନ ଛାଡ଼ିବାରୁ ତାଙ୍କୁ ଧମକ ଦେଲା। ପରିବାରଲୋକ ବି ପୁଅର କାରନାମା ଜାଣିବା ପରେ ପିଛା ଛାଡ଼ିବାକୁ ଯୁବତୀଙ୍କୁ ଟଙ୍କା ଯାଚିଲେ। କିନ୍ତ ଯୁବତୀଜଣଙ୍କ ନିଜ ଜିଦ୍‌ରେ ଅଟଳ ରହିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ତେବେ କୌଣସି କଥାରେ ଦବି ନ ଯାଇ ଯୁବତୀଜଣଙ୍କ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଗିରଫଦାରୀ ଭୟରେ ପ୍ରତାରକ ଯୁବକଜଣଙ୍କ ଫେରାର୍‌ ହୋଇଯାଇଛି। ଏ ହେଉଛି ଜଗତସିଂହପୁର ଏରସମା ଅଞ୍ଚଳର ଜଣେ ପୂର୍ବତନ ସରପଞ୍ଚଙ୍କ ପୁଅ ଅଭିନନ୍ଦନ ସ୍ୱାଇଁଙ୍କ କଳା କାର୍‌ନାମାର କଥା।

Advertisment

ପ୍ରତାରଣାର ଶିକାର ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସେ ପିଲାଦିନରୁ ମା’ଙ୍କୁ ହରାଇବା ପରେ ବଡ଼ ମା’ଙ୍କ ନିକଟରେ ରହୁଥିଲେ। ପ୍ରାୟ ୯ ମାସ ତଳେ ତାଙ୍କ ମୋବାଇଲ୍‌କୁ ଏକ ମିସ୍‌ କଲ୍‌ ଆସିଥିଲା। କଲ୍‌ କରିଥିବା ଯୁବକଜଣଙ୍କ ଏରସମା ଅଞ୍ଚଳର ଅଭିନନ୍ଦନ ସ୍ୱାଇଁ ବୋଲି ପରିଚୟ ଦେଇଥିଲା। ଏମିତି ବାରମ୍ବାର କଲ୍‌ କରି ଅଭିନନ୍ଦନ ତାଙ୍କୁ ପ୍ରେମ ଜାଲରେ ଫସାଇ ଦେଇଥିଲା। ପରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା ଓ ସେମାନେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇ ଘାଟିକିଆ ଅଞ୍ଚଳରେ ଘର ଭଡ଼ା ନେଇ ରହିଥିଲେ। କିନ୍ତୁ ବିଭିନ୍ନ ଆଳ ଦେଖାଇ ଅଭିନନ୍ଦନ ବିବାହ ଦିନ ଗଡ଼ାଇ ଚାଲିଥିଲେ। ଏମିତି ୮ ମାସ ବିତିଯିବା ପରେ ହଠାତ୍‌ ଦିନେ ଅଭିନନ୍ଦନ ଗାଏବ ହୋଇଗଲା। କିଛି ଦିନ ପରେ ଯୁବତୀଜଣଙ୍କ ଜାଣିବାକୁ ପାଇଲେ ଯେ ଅଭିନନ୍ଦନ ତାଙ୍କୁ ଧୋକ୍କା ଦେଇଛି। ତେଣୁ ସେ ତାଙ୍କ ପରିବାର ସହ ଯୋଗାଯୋଗ କଲେ। ତାଙ୍କ ବାପା ଜଣେ ପୂର୍ବତନ ସରପଞ୍ଚ। ସେ ଘାଟିକିଆରେ ପହଞ୍ଚି ତାଙ୍କୁ ଟଙ୍କା ଯାଚିଲେ। ପୁଅର ପିଛା ଛାଡ଼ିବାକୁ କେତେ ଟଙ୍କା ଦରକାର ବୋଲି ପ୍ରଲୋଭନ ଦେଖାଇଲେ। ମାତ୍ର ଯୁବତୀଜଣଙ୍କ ସେଥିରେ ରାଜି ହେଲେ ନାହିଁ। ବରଂ ଅଭିନନ୍ଦନଙ୍କ ସହ ତାଙ୍କର ସାକ୍ଷାତ କରାଇବାକୁ ଜିଦ୍‌ କଲେ। ଏଥିରେ ରାଗି ଯାଇ ଅଭିନନ୍ଦନଙ୍କ ବାପା ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ଆଜି କୋର୍ଟରେ ଯୁବତୀଙ୍କ ବୟାନ୍‌ ରେକର୍ଡ କରାଯାଇଛି। ଅଭିନନ୍ଦନ ଏବେ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।