ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ପ୍ରଥମ ପତ୍ନୀଙ୍କ ଅଜାଣତରେ ତାଙ୍କ ଗର୍ଭପାତ କରାଇବା, ନିର୍ଯାତନା ଦେବା ଓ ଦ୍ବିତୀୟ ବିବାହ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଯାଜପୁର ବଡ଼ବିରୁହାଁ ଗ୍ରାମର ରାୟବାହାଦୂର ବିଶ୍ବରଞ୍ଜନ ସାହୁକୁ ଗିରଫ କରିଛି। ପତ୍ନୀଙ୍କ ଅଭିଯୋଗ ମୁତାବକ, ବିଶ୍ବରଂଜନ ୨୦୦୮ ମସିହାରେ ଏକ ମୋବାଇଲ୍ ଟାୱାର୍ ସେବା ପ୍ରଦାନକାରୀ ସଂସ୍ଥାର କଷ୍ଟମର୍ କେୟାର୍ ଏକ୍ଜିକ୍ୟୁଟିଭ୍ ଭାବେ କାମ କରୁଥିଲା। ସେତେବେଳେ ସେ ତାଙ୍କୁ ବାରମ୍ବାର ଫୋନ୍ କରି ପ୍ରେମ ଜାଲରେ ଫସାଇ ଦେଇଥିଲା। ସଂପର୍କ ବଢ଼ିବାରୁ ଉଭୟ ପରିବାରର ସହମତିରେ ୨୦୧୦ରେ ଶ୍ରୀମନ୍ଦିରରେ ସେମାନଙ୍କ ବିବାହ ସଂପନ୍ନ ହୋଇଥିଲା। କିନ୍ତୁ ଯୁବତୀଜଣଙ୍କ ସେତେବେଳେ ପାଠ ପଢ଼ୁଥିବାରୁ ହଷ୍ଟେଲ ଚାଲି ଯାଇଥିଲେ।
ବିଶ୍ବରଂଜନ ମଧ୍ୟ ଚାକିରି କରିବାକୁ କୋଲକାତା ଯାଇଥିଲା। ଛୁଟି ଦିନରେ ଉଭୟ ମିଳାମିଶା କରୁଥିଲେ।
୨୦୧୬ ମସିହାରେ ଯୁବତୀଜଣଙ୍କ ଗର୍ଭବତୀ ହୋଇଥିଲେ। କିନ୍ତୁ ବିଶ୍ବରଂଜନ ପିଲା ଚାହୁ ନଥିବାରୁ ସେ ପତ୍ନୀଙ୍କ ଅଜାଣତରେ ତାଙ୍କ ଗର୍ଭନଷ୍ଟ କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ସାଙ୍ଗ ଟିକନ ସାମଲ ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ ଥିବାରୁ ତା’ର ସାହାଯ୍ୟ ନେଇଥିଲା। ତା’ଠାରୁ ଆଣିଥିବା ଗର୍ଭପାତ ଔଷଧକୁ ମୁଣ୍ଡବିନ୍ଧା ଔଷଧ କହି ଯୁବତୀଙ୍କୁ ଖୁଆଇ ଦେଇଥିଲା। ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଟିକନ ସହଯୋଗରେ ବିଶ୍ବରଂଜନ ଅନୁଗୁଳରେ ଯୁବତୀଙ୍କ ଗର୍ଭପାତ କରାଇଥିଲା।
ତେବେ ଗତବର୍ଷ ବିଶ୍ବରଂଜନ ଚାକିରି କରିବା ପାଇଁ ଘାନା ଚାଲି ଯାଇଥିଲା। ଏହା ପରେ ତା’ର ବ୍ୟବହାରରେ ବଡ଼ଧରଣର ପରିବର୍ତ୍ତନ ହୋଇଥିଲା। ଯୁବତୀ ଫୋନ୍ କଲେ ତାଙ୍କୁ ଗାଳିଗୁଲଜ କରିବା ସହ ଫୋନ୍ ନ କରିବାକୁ ଧମକାଉଥିଲା। ଦିନକୁ ଦିନ ଉଭୟଙ୍କ ମଧ୍ୟରେ ଏପରି ଗଣ୍ଡଗୋଳ ବଢ଼ିବାରୁ ମେ’ ୨୮ ତାରିଖରେ ବିଶ୍ବରଂଜନ ଯୁବତୀଙ୍କ ସହ କୌଣସି ସମ୍ପର୍କ ରଖିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲା। ଏହାର କିଛି ଦିନ ପରେ ମାଲ୍କାନାଗିରିର ଜଣେ ଝିଅକୁ ବିବାହ କରିଥିଲା। ଖବର ପାଇବା ପରେ ଯୁବତୀଜଣଙ୍କ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତ ଘାନାରେ ଥିବା କହୁଥିଲେ ମଧ୍ୟ ବିବାହ କରି ନିଜ ପୈତୃକ ଘରେ ରହିଥିବା ପୁଲିସ ଜାଣିବା ପରେ ଆଜି ସନ୍ଧ୍ୟାରେ ତାକୁ ଉଠାଇ ଆଣିଛି।