ପ୍ରେମ ପାଇଁ ରାଜଧାନୀରେ ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। ସ୍ବାର୍ଥନିହିତ ପ୍ରେମ ଓ ଏକପାଖିଆ ପ୍ରେମର କରୁଣ ପରିଣତିରୁ କେତେବେଳେ ଘଟୁଛି ହତ୍ୟାକାଣ୍ଡ ତ କେତେବେଳେ ଆତ୍ମହତ୍ୟା। ଏମିତିକି ପ୍ରେମକୁ ନେଇ ରାଜଧାନୀରେ ବନ୍ଧୁକ ବି ଗର୍ଜିଛି। ୨୦୨୧ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ବର୍ଷକ ଭିତରେ ରାଜଧାନୀରେ ଘଟିଛି ୬ଟି ଚର୍ଚ୍ଚିତ ଘଟଣା। ଝରାଫୁଲ ହତ୍ୟା ଘଟଣାରୁ ଆରମ୍ଭ ହୋଇଥିବା ଏଭଳି ମାମଲା ଆଜି ସୁରେଖା ଆତ୍ମହତ୍ୟାରେ ପହଞ୍ଚିଛି। ଏହା ଭିତରେ ବିଫଳ ପ୍ରେମ ଓ ପ୍ରତାରଣାରୁ ଆହୁରି ଅନେକ ଆତ୍ମହତ୍ୟା ମଧ୍ୟ ଘଟିଛି। କିନ୍ତୁ ଅନାଲୋଚିତ ହୋଇ ରହିଯାଇଛି ବହୁ ଘଟଣା। ବି‌ଶେଷକରି ପ୍ରେମ ପାଇଁ ମୃତ୍ୟୁର ଶିକାର ହେଉଥିବା ଯୁବତୀ ବା ମହିଳାଙ୍କ ମାମଲା ଚର୍ଚ୍ଚାକୁ ଆସୁଥିବା ବେଳେ ପୁରୁଷମାନଙ୍କ କଥା ଅନାଲୋଚିତ ହୋଇ ରହିଯାଉଥିବାରୁ ସେସବୁ ହିସାବରେ ରହୁନାହିଁ।

Advertisment

publive-image

ଝରାଫୁଲ ହତ୍ୟାକାଣ୍ଡ
୨୦୨୧ ଜାନୁଆରି ୨୭। ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଯାଜପୁର କୁଆଖିଆ ଅଞ୍ଚଳରୁ ରାସ୍ତାକଡ଼ରୁ ତାଙ୍କ ମୃତଦେହ ଜବତ କରାଯାଇଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଝରାଫୁଲଙ୍କ ମୃ୍ତଦେହକୁ ଏକ ସ୍କୁଟି ଯୋଗେ ଭୁବନେଶ୍ବରରୁ ନେଇ ସେଠାରେ ଫୋପାଡ଼ି ଦିଆଯାଇଥିଲା। ଅଧିକ ତଦନ୍ତ ପରେ ତାଙ୍କୁ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ହତ୍ୟା କରିଥିବା ଜଣାପଡ଼ିଥିଲା। ଭୁବନେଶ୍ବର ଧର୍ମବିହାରସ୍ଥିତ ଏକ ଗେଷ୍ଟ୍‌ ହାଉସ୍‌ରେ ପ୍ରେମିକ ରାକେଶ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା। ଦୁଇ ସହଯୋଗୀ ଅମରେଶ ରାଉତ ଓ ଶକ୍ତି ସ୍ବାଇଁ ସହ ମିଶି ରାକେଶ ଝରାଫୁଲଙ୍କ ମୃତଦେହକୁ ସ୍କୁଟିରେ ନେଇ କୁଆଖିଆ ଅଞ୍ଚଳରେ ଫିଙ୍ଗି ଦେଇଥିଲେ। ପ୍ରେମ ଓ ପରେ ବିବାହକୁ ନେଇ ସେମାନଙ୍କ ମଧ୍ୟରେ ଘଟିଥିବା ବିବାଦରୁ ଅତର୍କିତ ଭାବେ ଝରାଫୁଲ ବଳି ପଡ଼ିଯାଇଥିଲେ।

ପୁଷ୍ପଲତାଙ୍କ ମୁଣ୍ଡବିହୀନ ଶବ
୨୦୨୧ ଫେବ୍ରୁଆରି ୪। ଝରାଫୁଲ ହତ୍ୟା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ଆଉ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଚନ୍ଦକା-ଅନ୍ଧାରୁଆ ରାସ୍ତାରେ ଦାସପୁର ନିକଟରେ ପଡ଼ିଥିଲା ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ। କମିସନରେଟ୍‌ ପୁଲିସର ୫ ଦିନର କସରତ ପରେ ମହିଳାଙ୍କ ପରିଚୟ ମିଳିଥିଲା। ସେ ଥିଲେ ମଞ୍ଚେଶ୍ବର ଥାନା ରଙ୍ଗମାଟିଆ ଅଞ୍ଚଳର ପୁଷ୍ପଲତା ରାଉଳ। ପୁଲିସ ତଦନ୍ତରୁ ଜଣାପଡ଼ିଲା ଯେ ପୁଷ୍ପଙ୍କ ସହ ଏକାଠି ରହୁଥିବା ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିର ଅଙ୍ଗଦ ଦାସ ତାଙ୍କୁ ହତ୍ୟା କରିଥିଲା। ପ୍ରମାଣ ନଷ୍ଟ କରିବାକୁ ସେ ମୁଣ୍ଡକୁ କାଟି ଜଙ୍ଗଲ ଭିତରକୁ ଫୋପାଡ଼ି ଦେଇଥିଲା। ପୁଷ୍ପଲତାଙ୍କ ସ୍ବାମୀ ପୂର୍ବରୁ ମରି ସାରିଥିଲେ। ପରେ ସେ ଅଙ୍ଗଦଙ୍କ ସହ ରହୁଥିଲେ। କିନ୍ତୁ କିଛି ଦିନ ପରେ ପୁଷ୍ପ ଅଙ୍ଗଦକୁ ଛାଡ଼ି ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ପ୍ରତିଶୋଧ ପରାୟଣ ହୋଇ ଅଙ୍ଗଦ ପୁଷ୍ପଲତାଙ୍କୁ ହତ୍ୟା କରିଥିଲା।

publive-image
ବଳି ପଡ଼ିଗଲେ ବିବାହିତା ରିଙ୍କି
୨୦୨୧ ଜୁଲାଇ ୫। ସେଦିନ ଏୟାର୍‌ଫିଲ୍ଡ ଥାନା ଭୀମଟାଙ୍ଗୀ ଅଞ୍ଚଳରେ ଘଟିଥିଲା ଏକ ଭୟଙ୍କର ହତ୍ୟାକାଣ୍ଡ। ଦିନ ଦିପହରରେ ବିବାହିତା ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍ ରିଙ୍କିକୁ ତାଙ୍କ ଘରେ ହିଁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ବିବାହ ପୂର୍ବରୁ ରିଙ୍କିଙ୍କୁ ପ୍ରେମ କରୁଥିବା ଯାଜପୁର ଅଞ୍ଚଳର ଜଗନ୍ନାଥ ପ୍ରଧାନ ଏହି ହତ୍ୟାକାଣ୍ଡ ଘଟାଇଥିଲା। ଏମିତିକି ସେ ରିଙ୍କିଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ନିଜ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ରିଙ୍କି ତାକୁ ଧୋକା ଦେଇଥିବା ଅଭିଯୋଗ କରି ଜଗନ୍ନାଥ ଏଭଳି ଚରମ ପଦକ୍ଷେପ ନେଇଥିଲା ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା।

ବିବାହ ଜିଦ୍‌ରୁ ମୁକୁଳିବାକୁ ହତ୍ୟା
୨୦୨୧ ସେପ୍ଟେମ୍ବର ୭। ବରମୁଣ୍ଡା ରୁଚିକା ମାର୍କେଟ ଅଞ୍ଚଳର ଏକ ବନ୍ଦ ଘରୁ ନୟାଗଡ଼ ଅଞ୍ଚଳର ସନ୍ଧ୍ୟାରାଣୀ ସେଠୀଙ୍କ ମୃତଦେହ ଜବତ କରାଯାଇଥିଲା। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ପ୍ରେମ କରୁ କରୁ ବିବାହ ପାଇଁ ଅଡ଼ି ବସିଥିବା ସନ୍ଧ୍ୟା କବଳରୁ ମୁକ୍ତି ପାଇବା ପାଇଁ ମିସ୍ତ୍ରି କାର୍ତ୍ତିକ ଜେନା ଓରଫ୍ ଫରିଦ୍‌ ତାଙ୍କୁ ହତ୍ୟା କରିଥିଲା।

publive-image

ଛାତ୍ରର ପ୍ରେମ ପାଇଁ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା
୨୦୨୧ ଏପ୍ରିଲ ୨୫। ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ସବ୍‌ନମ ଆତ୍ମହତ୍ୟା କରିଥିଲେ। ଜଣେ ଛାତ୍ରକୁ ଭଲ ପାଉଥିବା ସବ୍‌ନମ ବିବାହ କରିବାକୁ ଜିଦ୍‌ କରିଥିବା ବେଳେ ପ୍ରେମିକ ଛାତ୍ର ପ୍ରତ୍ୟାଖାନ କରିଥିଲା। ତେଣୁ ମାନସିକ ଭାରସାମ୍ୟ ହରାଇ ଶିକ୍ଷୟିତ୍ରୀ ସବ୍‌ନମ ଆତ୍ମହତ୍ୟାକୁ ବାଛିଥିଲେ। ଭିଡିଓ କଲ୍‌ କରି ପ୍ରେମିକ ଛାତ୍ରକୁ ଆତ୍ମହତ୍ୟାର ଦୃଶ୍ୟ ଦେଖାଇଥିଲେ। ସେତେବେଳେ ଏହି ଘଟଣାଟି ରାଜଧାନୀରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା।