ପ୍ରେମ ଉପନ୍ୟାସ ‘ଶ୍ବେତପଦ୍ମା’ ଉନ୍ମୋଚିତ : ନାଟକୀୟ ଉତ୍କଣ୍ଠା କାହାଣୀକୁ ଜୀବନ୍ତ କରିଛି

ଭୁବନେଶ୍ବର : ପ୍ରେମକୁ ନେଇ ନାଟ୍ୟକାର ଡ. ସଞ୍ଜୟ ହାତୀଙ୍କ ରଚିତ ପ୍ରଥମ ଉପନ୍ୟାସ ‘ଶ୍ବେତପଦ୍ମା’ ସମ୍ବାଦ ଭବନରେ ଲୋକାର୍ପିତ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ନିୟମିତ ଲେଖିବା ପରେ ଏହାକୁ ବହିର ରୂପ ଦେଇଛି ଆଦିତ୍ୟ ଭାରତ ପ୍ରକାଶନ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଉପନ୍ୟାସକୁ ଉନ୍ମୋଚନ କରି କହିଲେ, ଆକର୍ଷଣର ଅଭାବ ଯୋଗୁଁ ବହୁ ଉପନ୍ୟାସ ଗ୍ରହଣୀୟ ହେଉ ନଥିବା ବେଳେ ପ୍ରେମ ଆଧାରିତ ଏହି ଉପନ୍ୟାସ ନୂଆପିଢ଼ିର ପ୍ରେମିକ ପ୍ରେମିକାଙ୍କୁ ଉତ୍ସାହିତ କରିବ। ସଂପ୍ରତି ପଢ଼ିବାର ରୁଚି କମିଥିବା ବେଳେ ମନୋରଂଜନର ବିକଳ୍ପ ସାଜିଥିବା କାରିଗରୀ କୌଶଳ ସହ ବନ୍ଧୁତା କରିବାକୁ ପଡ଼ିବ ବୋଲି ସେ କହିଥିଲେ।

କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ବହିର ସମୀକ୍ଷା କରିଥିଲେ ନାଟ୍ୟକାର ଓ ଗାଳ୍ପିକ ସୀତେଶ ତ୍ରିପାଠୀ। ସେ କହିଲେ, ଏହି ଉପନ୍ୟାସ ଏକ ସଫଳ ପ୍ରେମ କାହାଣୀ। ଉପନ୍ୟାସରେ ନାଟକୀୟ ଉତ୍କଣ୍ଠା, ସୁନ୍ଦର ଶୈଳୀ, ନାୟକ ନାୟିକାଙ୍କ ମଧ୍ୟରେ ବାସ୍ତବବାଦୀ କଥୋପକଥନକୁ ନିଚ୍ଛକ ଢଙ୍ଗରେ ଉପସ୍ଥାପିତ କରାଯାଇଛି। ଏକଥା ବି କହିଲେ, ଯେପର୍ଯ୍ୟନ୍ତ ବନ୍ଧୁତା ଅକ୍ଷୁଣ୍ଣ ରହିଛି, ସେପର୍ଯ୍ୟନ୍ତ ପ୍ରେମ ସଫଳ। ପ୍ରେମରେ ଥିବା ଶ୍ରଦ୍ଧା, ବାଧା, ରୋମାଣ୍ଟିକ ଚେତନା ଓ ସମର୍ପଣ ଏହାକୁ ସଫଳ ପ୍ରେମ କାହାଣୀରେ ପରିଣତ କରିଛି ବୋଲି ସେ କହିଥିଲେ।

ବିଶିଷ୍ଟ କଥାକାର ଡ. ଗୌରହରି ଦାସ କହିଲେ, ପ୍ରେମକୁ ନେଇ ସର୍ବାଧିକ ସାହିତ୍ୟ ଲେଖା ଯାଇଛି। ପ୍ରେମ ସମସ୍ତଙ୍କ ଭିତରେ ଅଛି। ତେବେ ପ୍ରେମକୁ ଲେଖକ ଆନ୍ତରିକତାର ସହ ଉପନ୍ୟାସରେ ରୂପ ଦେବାକୁ କରିଥିବା ଉଦ୍ୟମ ପ୍ରଶଂସନୀୟ। ଗବେଷକ ଓ ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ଆଶୀର୍ବଚନ ସହ ଉପନ୍ୟାସର ସଫଳତା କାମନା କରିଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର କହିଲେ, ଉପନ୍ୟାସରେ ନାଟକୀୟ କଳା କାହାଣୀକୁ ଆହୁରି ଜୀବନ୍ତ କରିଛି। ଆଦିତ୍ୟ ଭାରତର ନିର୍ଦେଶକ ଦେବାଶିଷ ସାମନ୍ତରାୟ ସ୍ବାଗତ ଭାଷଣ ରଖିଥିବା ବେଳେ ‘କଥା’ର ସହସମ୍ପାଦକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର