ମଞ୍ଚରୁ ପ୍ରେମ: ସବୁ ହେଇଗଲା ଇସାରାରେ…‘ଖଳନାୟିକା’ ସଜାଇ ଦେଇଥିଲା ତାଙ୍କ ନାୟିକା

ଭୁବନେଶ୍ବର: ଯେଉଁଠି ଅବ୍ୟକ୍ତ କଥାର ମରମ ବୁଝି ହୁଏ, ବୋଧେ ସେଇଠି ହିଁ ‌ପ୍ରେମର ମଳୟ ବହେ। ଯେଉଁଠି ଅପ୍ରତ୍ୟାଶିତ ଭଲ ପାଇବା ଉତୁରି ଆସେ, ବୋଧେ ସେଇଠି ହିଁ ପ୍ରେମ ରୂପି ଚଢ଼େଇମାନେ କିଚିରି ମିଚିରି ହେଇ ଆନନ୍ଦରେ ଉଡ଼ି ବୁଲନ୍ତି। ପ୍ରେମ କାଳେ, ନଦୀର ସ୍ରୋତ ପରି। ବନ୍ଧ ପଡ଼ିଲେ ଜଳରାଶି ଯେମିତି ଭିନ୍ନ ବାଟ ଦେଖି ଅତିକ୍ରମ କରିଯାଏ ପ୍ରେମ ବି ଠିକ୍‌ ସେମିତି ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରିବର ବାଡ଼ ଡେଇଁ ଅନାୟାସରେ ମାଡ଼ି ଚାଲେ। ଶୁକ୍ରବାର ଭାଲେଣ୍ଟାଇନ୍‌ ଡେ ଅର୍ଥାତ ପ୍ରେମ ଦିବସ ଭାବେ ସମଗ୍ର ବିଶ୍ବ ପାଳିବାକୁ ଯାଉଥିବା ବେଳେ ଖଣ୍ଡଗିରି ଯାତ୍ରାର ଭିଡ଼ ଭିତରେ ଆମେ ବି ଖୋଜିଥିଲୁ ସେମିତି କିଛି ପ୍ରେମ ପକ୍ଷୀମାନଙ୍କୁ।

ଆଜକୁ ଠିକ୍‌ ୧୨ବର୍ଷ ତଳେ ଭେଟ ହେଇଥିଲା ଜଣେ ‘ଅଣ୍ଡିରି ଚଣ୍ଡୀ’ ସହ। ସତସତିକା ନୁହଁ, ବରଂ ଅଣ୍ଡିରି ଚଣ୍ଡୀ ନାଟକର ନାୟିକା ଟିକିଙ୍କ ସହ। ମୁଁ ନୂଆ ନୂଆ ଯାତ୍ରା ଦୁନିଆକୁ ଆସିଥାଏ, ଯାତ୍ରାର ମାଲିକ ଟିକିଙ୍କୁ ଡକେଇ କହିଲେ, ଇଏ ନୂଆପିଲା, ତୋ’ ସହ ଅଭିନୟ କରିବ। ତାକୁ ଟିକେ ସାହାଯ୍ୟ କରିବୁ। ଟିକି ବି ହଁ ମାରିଲେ। ଯେବେ ମୁଁ ନାଟକରେ ତାଙ୍କ ବିପକ୍ଷରେ ନାୟକ ସାଜିଲି, ନୂଆ ଅଭିନୟ କରୁଥିବାରୁ ଝୁଣ୍ଟୁଥିଲି। ମାତ୍ର ଟିକି ତାକୁ ସଂଶୋଧନ କରି ଦେଉଥିଲେ। ରିହର୍ସାଲ ରୁମ୍‌ରୁ ନେଇ ମୋ ଜୀବନ ଜିଇଁବାର ଧାରା କେମିତି ହେବ, ସେ ମତେ ଗୋଟିଗୋଟି ବୁଝେଇ ଦେଉଥାଆନ୍ତି। ଏହା ଧୀରେଧୀ‌ରେ ନିବିଡ଼ତାର ରୂପ ନେଲା। କେହି କାହାକୁ କେବେ ଆଇ ଲଭ୍‌ ୟୁ କହିବାକୁ ପଡ଼ିନି। ମାତ୍ର ପ୍ରେମ ହେଇଗଲା। ଏହା କହିଛନ୍ତି, ଯାତ୍ରା ଦୁନିଆର ଚୁଲବୁଲି ନାୟିକା ଟିକିଙ୍କୁ ଜୀବନ ସାଥୀ କରିଥିବା କାହ୍ନା।

କାହ୍ନାଙ୍କ କହିବା କଥା, ଯିଏ ଅଭିନୟ‌ରେ ଏତେ ସ୍ବଚ୍ଛ, ସେ ବାସ୍ତବରେ ବି ସେତିକି ସ୍ବଚ୍ଛ। ବୋଧେ ଏହା ହିଁ ତାଙ୍କୁ ଟିକିଙ୍କ ଆଡ଼କୁ ବେଶି ଆକର୍ଷିତ କରିଥିଲା। ଦୁହେଁ ଶିବାନୀ ଗଣନାଟ୍ୟର ସଫଳ ଯୋଡ଼ି ଭାବେ ଅଭିନୟ କରୁଥିବା ବେଳେ ଦୁହିଁଙ୍କ ପ୍ରେମ କାହାଣୀରେ ବି ଦିନେ ଟ୍ବିଷ୍ଟ ଆସିଥିଲା। କାହ୍ନା ନୂଆନୂଆ ଯାତ୍ରାରେ ପାଦ ଥାପିବାର ବର୍ଷକ ପରେ କାହ୍ନା-ଟିକିଙ୍କ ପ୍ରେମ ବିବାହ ବନ୍ଧନର ରୂପ ନେଲା। ଏହା ଜାଣିବା ପରେ କିଛି କଳାକାର ଈର୍ଷା ପରାୟଣ ହୋଇଥିଲେ। ବାଧା ବି ସୃଷ୍ଟି କରିଥିଲେ। ମାତ୍ର ତାହା ଆମ ବନ୍ଧନକୁ ଛିଣ୍ଡେଇ ପାରିନଥିଲା। କାହ୍ନା ଅସଲ ଜୀବନରେ ଟିକିଙ୍କ ନାୟିକା ହେଲେ ମଧ୍ୟ ଅନେକ ନାଟକରେ କାହ୍ନା ଖଳନାୟକର ଭୂମିକା ତୁଲାନ୍ତି। ଟିକି ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି କହିଲେ, ମଞ୍ଚ ଉପରକୁ ଗଲେ ଭିନ୍ନ ଏକ ଦୁନିଆରେ ପ୍ରବେଶ କରିବା ଭଳି ଅନୁଭବ ହୁଏ। ଏକଥା ବି ଜାଣିଛି, ସେ ଜଣେ କଳାକାର। ତେଣୁ ନାୟକ ହୁଅନ୍ତୁ କି ଖଳନାୟକ, ଯଦି ସେ ତାଙ୍କ ଚରିତ୍ରକୁ ଠିକ୍‌ ଭାବେ ଉତାରି ପାରୁଛନ୍ତି, ତାହା ହିଁ ମତେ ସବୁଠୁ ବେଶି ଆନନ୍ଦ ଦିଏ। କାଉଁରୀ କନ୍ୟା, ମୁଁ ଝିଅଟେ ମେଡ୍‌ଇନ ଓଡ଼ିଶା, ସମ୍ବଲପୁରୀ ନନୀ, କଂଗ୍ରେସ କନିଆ ବିଜେଡି ବର, ସାବିଲୋ ତତେ ଜୋଗଣୀ ଖାଉ, ଛତା ଚିହ୍ନରେ ଭୋଟ ଦିଅ, ବଳାତ୍କାରୀକୁ ଫାସୀ ଦିଅ, ପାକିସ୍ତାନୀ ଝିଅ ଭାରତ ବୋହୂ ଭଳି ନାଟକରେ ଉଭୟଙ୍କ ଅଭିନୟର ଛାପ ଦେଖିବାକୁ ମିଳିଥିବା ବେଳେ ଦୁହେଁ ଯାତ୍ରା ଦୁନିଆର ଅଜୟ ଦେବଗନ-କାଜଲ ସଦୃଶ।

‘ଖଳନାୟିକା’ ସଜାଇ ଦେଇଥିଲା ତାଙ୍କ ନାୟିକା
ତୁଳସୀ ଗଣନାଟ୍ୟରେ ମୁଁ ‘ଖଳନାୟିକା’ ନାଟକରେ ଅଭିନୟ କରୁଥାଏ। ସେଥିରେ ତନୁ ଭୂମିକାରେ ମୋ’ ଅଭିନୟ ତାଙ୍କୁ କାଳେ ବହୁତ ଭଲ ଲାଗିଥିଲା। ଏକ ଅଜଣା ମୋବାଇଲ୍‌ ନମ୍ବରରୁ ମୋ ମୋବାଇଲ୍‌କୁ ବାରମ୍ବାର ପ୍ରଶଂସାର ମେସେଜ୍‌ ଆସିଲା। ଏମିତି ମେସେଜ୍‌ ଦିଆନିଆରେ ବର୍ଷେ ବିତିଗଲା। ତେବେ ଏହା ଭିତରେ ଆମ ଭିତରେ ଅନ୍ତରଙ୍ଗତା ବଢ଼ି ଯାଇଥିଲା। ଏମିତି ଆରମ୍ଭ ହୋଇଥିଲା ଯାତ୍ରା ଜୁଏଲ୍‌ ଜୁଲି ପଣ୍ଡାଙ୍କର ପ୍ରେମ କାହାଣୀ। ଜୁଲି ପଣ୍ଡାଙ୍କ ସ୍ବାମୀ ଯାତ୍ରା ଜଗତର କଳାକାର ନଥିଲେ, ବରଂ ଥିଲେ ଦର୍ଶକ। ଭଦ୍ରକର ବାସିନ୍ଦା ରାଜେନ୍ଦ୍ର ମହାପାତ୍ର ହିଁ ଥିଲେ ଏହି ସଫଳ ପ୍ରେମିକ। ଏବେ ଜୁଲିଙ୍କ ବାହାଘରକୁ ୫ ବର୍ଷ ବିତିଗଲାଣି। ନା ଜୁଲିଙ୍କୁ ରାଜେନ୍ଦ୍ର କେବେ ଯାତ୍ରା ଦୁନିଆ ଛାଡ଼ିବା ପାଇଁ ବାଧ୍ୟ କରିଛନ୍ତି, ନା ଜୁଲି କେବେ ଯାତ୍ରା ଜଞ୍ଜାଳର ଦ୍ବାହି ଦେଇ ରାଜେନ୍ଦ୍ରଙ୍କୁ ଅବହେଳା କରିଛନ୍ତି।

ସମ୍ବନ୍ଧିତ ଖବର