ଗର୍ଭବତୀ ମହିଳାଙ୍କ ମଜା ଉଡ଼ାଇଲେ ପୁଲିସ ବାବୁ

ପ୍ରେମ ବିବାହ ପରେ ଧୋକା ଦେଲା ସ୍ୱାମୀ

ଭୁବନେଶ୍ୱର: କମିସନରେଟ୍‌ ପୁଲିସର ଓ୍ଵି କେୟାର ଓ୍ଵି ଡେୟାର ସ୍ଳୋଗାନ୍‌କୁ ପୁଣିଥରେ ଜଣେ ପୁଲିସ ବାବୁ କଳଙ୍କିତ କରିଛନ୍ତି। କୌଣସି ଅଭିଯୋଗ କରିବାକୁ ଆସିଲେ ମହିଳା ଓ ବରିଷ୍ଠ ନାଗରିକଙ୍କ ପ୍ରତି ପୁଲିସ ଭଲ ବ୍ୟବହାର ଦେଖାଇବା ଏବଂ ସେମାନଙ୍କର ଅଧିକ ଯତ୍ନ ନେବାକୁ ଡିଜିପିଙ୍କଠୁ ନେଇ ପୁଲିସ କମିସନର ପର୍ଯ୍ୟନ୍ତ ବାରମ୍ବାର ତାଗିଦ କଲେ ମଧ୍ୟ ବାସ୍ତବରେ ଏହାର ଓଲଟା ହେଉଛି। କିଛିଦିନ ତଳେ କ୍ୟାପିଟାଲ ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିବା ଜଣେ ବରିଷ୍ଠ ନାଗରିକଙ୍କୁ ପୁଲିସର ଦୁର୍ବ୍ୟବହାର କରିଥିବାବେଳେ ଆଜି ସହିଦନଗର ଥାନାକୁ ଆସିଥିବା ଜଣେ ଗର୍ଭବତୀ ମହିଳା ପୁଲିସ ବାବୁଙ୍କ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ଥାନାରେ ଥିବା ପୁଲିସ ବାବୁମାନେ ମହିଳାଙ୍କ ଅଭିଯୋଗ ଶୁଣିବା ବଦଳରେ ତାଙ୍କ ଥଟ୍ଟାମଜା କରିଥିବା ଅଭିଯୋଗ ହୋଇଛି।

ମହିଳାଙ୍କ କହିବା ଅନୁଯାୟୀ, ପ୍ରାୟ ୭ମାସ ତଳେ ସେ ଭିଏସ୍‌ଏସ୍‌ନଗର ସ୍ଥିତ ଏକ ହୋଟେଲ୍‌ରେ କାମ କରୁଥିଲେ। ଏହି ସମୟରେ ସେଠାକୁ ଆସୁଥିବା କାର୍ତ୍ତିକ ପଶ୍ଚିମକବାଟ ନାମକ ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। କାର୍ତ୍ତିକ ମହିଳାଙ୍କ ସହ ଘନିଷ୍ଠ ହେବା ସହ ପ୍ରେମ ନିବେଦନ କରିଥିଲା। ହେଲେ ମହିଳା ଜଣଙ୍କ ପୂର୍ବରୁ ବିବାହ କରିଥିବା ଓ ତାଙ୍କ ଏକ ଝିଅ ଥିବା କହିଥିଲେ। ତେଣୁ ସେ କାର୍ତ୍ତିକଙ୍କ ପ୍ରସ୍ତାବରେ ରାଜି ହୋଇନଥିଲେ। ହେଲେ କାର୍ତ୍ତିକ ଚତୁରତାର ସହ ମହିଳାଙ୍କୁ ନିଜ ଜାଲରେ ପକାଇଥିଲା ଏବଂ ବିବାହର ପ୍ରତିଶ୍ରୁତି ଦେଇ ଧୀରେ ଧୀରେ ସମ୍ପର୍କ ବଢ଼ାଇଥିଲା। କିଛିଦିନ ପରେ କାର୍ତ୍ତିକ ମହିଳାଙ୍କୁ ବିବାହ କରି ଓଡ଼ିଶା ବାହାରକୁ ଚାଲିଯାଇଥିଲା। ଏହାପରେ ଉଭୟ ପୁଣି ଭୁବନେଶ୍ୱର ଫେରିଆସି ଭିଏସ୍‌ଏସ୍‌ ନଗର ସ୍ଥିତ ମହାବୀର ବସ୍ତିରେ ରହିଥିଲେ। ଏହି ସମୟରେ ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ। ତେବେ ଗର୍ଭବତୀ ହେବା କଥା ଜାଣିବା ପରେ କାର୍ତ୍ତିକ ମହିଳାଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲା। ମହିଳା ଜଣଙ୍କ କାର୍ତ୍ତିକର ଗତିବିଧି ଲକ୍ଷ୍ୟ କରି ବୁଝାଇବାକୁ ଚେଷ୍ଟା କରିବାରୁ କାର୍ତ୍ତିକ ତାଙ୍କୁ ଯୌତୁକ ଦାବି କରିଥିଲା। ହେଲେ ମୁଁ କେଉଁଠୁ ଟଙ୍କା ଆଣିବି ବୋଲି ମହିଳା ଜଣଙ୍କ କହିଥିଲେ। ତେଣୁ କାର୍ତ୍ତିକ ଚତୁରତାର ସହ ନିଜ ମା’ଙ୍କୁ ଘଟଣା ବିଷୟରେ ଜଣାଇଥିଲା। କାର୍ତ୍ତିକର ମା’ ଘଟଣା ବିଷୟରେ ଜାଣିବା ପରେ ମଙ୍ଗଳବାର ଦିନ ମହାବୀର ବସ୍ତିରେ ପହଞ୍ଚି ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। କାର୍ତ୍ତିକ ମଧ୍ୟ ମା’ଙ୍କ ସହ ମିଶି ତାଙ୍କୁ ମାଡ଼ ମାରିଥିଲା। ସେମାନଙ୍କ ମାଡ଼ରେ ଗୁରୁତର ଆହତ ହୋଇ ମହିଳା ଜଣଙ୍କ ସେଠାରେ ତଳେ ପଡ଼ି ଛଟପଟ ହେଉଥିବା ବେଳେ କାର୍ତ୍ତିକ ଓ ତାଙ୍କ ମା’ ସେଠାରୁ ପଳାଇଥିଲେ। ତେବେ ପଡ଼ୋଶୀ ଘର ଲୋକ ମହିଳାଙ୍କ ଚିତ୍କାର ଶୁଣି ଧାଇଁ ଆସିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ତେବେ ଆଜି ହସ୍ପିଟାଲ୍‌ରୁ ଆସିବା ପରେ ମହିଳା ଜଣଙ୍କ ସହିଦନଗର ଥାନାକୁ ଯାଇ ପୁଲିସ ନିକଟରେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଗୁହାରି ଜଣାଇଥିଲେ। ହେଲେ ପୁଲିସ ବାବୁମାନେ ମହିଳାଙ୍କ ଅଭିଯୋଗ ଗ୍ରହଣ କରିନଥିଲେ। ଓଲଟି ତାଙ୍କ ମଜା ଉଡ଼ାଇବା ସହ ହସିଥିଲେ। କହିଥିଲେ କ’ଣ ବାହାହେବା ବେଳେ ଆମକୁ ପଚାରି ବାହା ହୋଇଥିଲ? ଏମିତି ଥଟ୍ଟାମଜା କରି ତାଙ୍କୁ ଥାନାରୁ ବିଦା କରି ଦେଇଥିଲେ। ଫଳରେ ମହିଳା ଜଣଙ୍କ କାନ୍ଦି କାନ୍ଦି ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର