ଲଭ୍‌-ସେକ୍ସ-ଧୋକା : ମହିଳା ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା

ଭୁବନେଶ୍ୱର : ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଥିଲା। ପୁରୀ ଯିବା ବାଟରେ ବାଟମଙ୍ଗଳାଙ୍କୁ ସାକ୍ଷୀ ରଖି ବିବାହ କଲେ। ଭଡ଼ା ଘରେ ଶାରୀରିକ ସମ୍ପର୍କ ରଖିଲେ। ଏତେ ଶୀଘ୍ର ସନ୍ତାନ ଚାହୁ ନଥିବା ଦର୍ଶାଇ ଗର୍ଭ ନଷ୍ଟ ମଧ୍ୟ କରାଇଲେ। ଟଙ୍କା ଦରକାର କହି ୩ଲକ୍ଷ ୫୦ ହଜାର ଟଙ୍କା ନେଇଗଲେ। ହାର, ସୁନାଗହଣା ବି ନେଇଗଲେ। ଆଉ ୫ ଲକ୍ଷ ଟଙ୍କା ବାପ ଘରୁ ଆଣିବାକୁ କହି ପିଟିଲେ। ଦୁଇଜଣ ଝିଅଙ୍କୁ ଧରି ଆସି ଗାଳି ଗୁଲଜ କରିବା ସହ ମାଡ଼ ମାରିଲେ। ଥାନାରେ ଅଭିଯୋଗ କଲେ ପେଟ୍ରୋଲ ପକାଇ ଜାଳିଦେବେ କହିଛନ୍ତି। ଏଭଳି ଲଭ୍‌, ସେକ୍ସ ଓ ଧୋକା ପରେ ହତ୍ୟା ଧମକର ଶିକାର ହୋଇ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ଜଣେ ମହିଳା। ଏତଲା ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ କଟକ ବାଙ୍କିରେ ଥିବା ଏକ ଘରୋଇ ବ୍ୟାଙ୍କ୍‌ରେ ଚାକିରି କରନ୍ତି। ଏ ନେଇ ତାଙ୍କୁ ଆସନ୍ତାକାଲି ନୋଟିସ ଦିଆଯିବ ବୋଲି ଜଣାପଡ଼ିଛି। ଅଭିଯୋଗକାରିଣୀ ପୂର୍ବରୁ ବିବାହିତା ଓ ସ୍ବାମୀଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଭୂଷଣ ଷ୍ଟିଲ୍‌ ପ୍ଲାଣ୍ଟରେ ତାଙ୍କ ସ୍ବାମୀ ଚାକିରି କରୁଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସେ ଏକ ଘରୋଇ ସଂସ୍ଥାରେ କାମ କରିବା ସହ ଚକେଇସିଆଣିରେ ରହୁଥିଲେ। ସେଠାରେ ଯୁବକଙ୍କ ସହ ଦେଖା ହୋଇଥିଲା। କଟକ ବାଙ୍କିର ଏକ ଘରୋଇ ବ୍ୟାଙ୍କ୍‌ରେ ସେ ଚାକିରି କରୁଥିଲେ। ସ୍ବାମୀଙ୍କ ମୃତ୍ୟୁ ଓ ଏକ ପୁତ୍ର ସନ୍ତାନ ଥିବା ଜାଣିବା ପରେ ମଧ୍ୟ ଯୁବକଜଣକ ପୁରୀ ନେଇ ବାଟମଙ୍ଗଳା ମନ୍ଦିରରେ ବିବାହ କରିଥିଲେ। ସେବେଠାରୁ ଚକେଇସିଆଣିରେ ଏକାଠି ସ୍ବାମୀ-ସ୍ତ୍ରୀ ଭଳି ରହୁଥିଲେ।

Sambad English

ସ୍ବାମୀଙ୍କ ମୃତ୍ୟୁ ପରେ କମ୍ପାନି ପକ୍ଷରୁ ତାଙ୍କୁ ୭ଲକ୍ଷ ଟଙ୍କା ମିଳିଥିଲା। ଏଥିରୁ ୩ଲକ୍ଷ ୫୦ ହଜାର ଟଙ୍କା ମାଗି ନେଇଥିଲେ ଅଭିଯୁକ୍ତ। ସୁନା ଗହଣା ମଧ୍ୟ ନେଇଥିଲେ। ଅଧିକ ୫ ଲକ୍ଷ ଟଙ୍କା ମାଗି ମାରପିଟ୍‌ କରିବାରୁ ଚକେଇସିଆଣି ଘର ମାଲିକ ବାହାର କରି ଦେଇଥିଲା। ଅଭିଯୁକ୍ତ ସେଠାରୁ ପୀଡ଼ିତାଙ୍କୁ ଆଣି ବାଲିଅନ୍ତାରେ ରଖିଥିଲେ। ସେଠାରେ ଅତ୍ୟାଚାର ଆହୁରି ବଢ଼ିବା ସହ ହତ୍ୟା ଧମକ ଦେଇ ଚାଲି ଯାଇଥିଲେ। ୧୦ ଦିନ ହେଲା ଯୋଗାଯୋଗରେ ନଥିବାରୁ ପୀଡ଼ିତା ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର