ଲଭ୍‌-ସେକ୍ସ-ଧୋକା, ଟାର୍ଗେଟ୍‌ରେ ଛାଡ଼ପତ୍ର ମହିଳା

ଭୁବନେଶ୍ବର: କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ପୁଲିସ ଆଉ କେତେବେଳେ ବ୍ୟାଙ୍କ ଅଫିସର ବୋଲି ପରିଚୟ ଦେଉଥିଲା। ମନଭୁଲାଣିଆ କଥା କହି ସଂପର୍କ ବାନ୍ଧୁଥିଲା। ସୁଯୋଗ ଦେଖି ଶାରୀରିକ ସମ୍ପର୍କ ରଖୁଥିଲା। ପରେ ବ୍ଲାକ୍‌ ମେଲିଂ କରିବା ସହିତ ଟଙ୍କା, ସୁନା ଓ ଗହଣା ନେଇ ଆରମ୍‌ରେ ବୁଲୁଥିଲା। ଏପରି ଏକ ଧୂର୍ତ ଯୁବକଙ୍କ ଟାର୍ଗେଟ୍‌ରେ ଥିଲେ ଛାଡ଼ପତ୍ର ମହିଳା ଓ ବିଧବା। ସେମାନଙ୍କୁ ସହଜରେ ତା’ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଇ କରୁଥିଲା ଏପରି ଘୃଣ୍ୟ କାମ। ତେବେ ଯୁବକଙ୍କ ଏପରି କଳା କାରନାମା ବିଷୟରେ ଜାଣିପାରି ୩ ମହିଳା ତାକୁ ବହେ ଛେଚି ପୁଲିସ ଜିମା ଦେଇଛନ୍ତି। ସେ ହେଲା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ପ୍ରିୟରଂଜନ ନାୟକ ଓରଫ ପିଣ୍ଟୁ(୩୨)। ଏଠାରେ ଚକେଇସିଆଣି ଅଞ୍ଚଳରେ ରହୁଥିଲା। ସୂଚନା ମୁତାବକ, ୨୦୧୪ରେ ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ବର ଆସି ସାଲିଆସାହିରେ ରହି ନର୍ସିଂ କାମ କରୁଥିଲେ। ଏହି ସମୟରେ ପିଣ୍ଟୁ ସହ ତାଙ୍କର ସାକ୍ଷାତ ହୋଇଥିଲା। ପିଣ୍ଟୁ ନିଜକୁ ଜଣେ ବ୍ୟାଙ୍କ ଅଫିସର୍‌ କହି ତାଙ୍କ ସହ ମିଳାମିଶା କରିଥିଲା। ଆଉ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କୁ ବିବାହ କରିବାର ଆଳ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଖାଲି ସଂପୃକ୍ତ ଯୁବତୀ ନୁହେଁ ସେ ଏକାଧିକ ମହିଳାଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ମିଳାମିଶା କରିବା ସହ ସମ୍ପର୍କ ରଖୁଥିଲା। କିଛିଦିନ ତଳେ ଯୁବତୀ ଜଣଙ୍କ ତାଙ୍କୁ ବିବାହ ପାଇଁ କହିବା ବେଳେ ପିଣ୍ଟୁ ପଛଘୁଞ୍ଚା ଦେଇଥିଲା। ତେବେ ପିଣ୍ଟୁ ତାଙ୍କ ପାଖରେ ଥିବା ସମୟରେ ଯୁବତୀ ଜଣଙ୍କ ତା ମୋବାଇଲ୍‌ ଚେକ୍‌ କରିଥିଲେ। ଏଥିରୁ ସେ ତାର କଳା କାରନାମା ବିଷୟରେ ତଥ୍ୟ ପାଇଥିଲେ। ପିଣ୍ଟୁର ମୋବାଇଲ୍‌ରୁ ଅନ୍ୟମାନଙ୍କ ନମ୍ବର ନେଇ ସେମାନଙ୍କ ସହିତ ଯୋଗାଯୋଗ କରିଥିଲେ। ମଙ୍ଗଳବାର ଦିନ ପୁଲିସ ଓ ୩ଜଣ ଯୁବତୀ ଏକାଠି ହୋଇ ପିଣ୍ଟୁ ରହୁଥିବା ଚକେଇସିଆଣି ଘରକୁ ଯାଇଥିଲେ। ପୁଲିସ ବାହାରେ ଜଗିଥିବା ବେଳେ ଯୁବତୀମାନେ ପିଣ୍ଟୁ ଘର ଭିତରକୁ ଯାଇଥିଲେ। ସେଠାରେ ସେମାନେ ତାକୁ ମାଡ଼ ମାରିଥିଲେ। ପିଣ୍ଟୁ ଘଟଣାସ୍ଥଳରୁ ଖସିବା ପାଇଁ ଉଦ୍ୟମ କରିବା ବେଳେ ପୁଲିସ ତାକୁ ମାଡ଼ି ବସିଥିଲା।

ସମ୍ବନ୍ଧିତ ଖବର