ଲିଭ-ଇନ ସମ୍ପର୍କରେ ଧୋକା, ବନ୍ଧା ହେଲେ ସେସୁ କର୍ମଚାରୀ

ଭୁବନେଶ୍ୱର: ଦୀର୍ଘ ୧ବର୍ଷ କାଳ ଲିଭ-ଇନ ସମ୍ପର୍କ ପରେ ଆଜି ହେଇଥା’ନ୍ତା ବାହାଘର। ସବୁ ଯୋଗାଡ଼ ସରିଥିଲା। ହେଲେ ଧୋକା ଦେଲେ ପ୍ରେମିକ। ପ୍ରେମିକଙ୍କ ଦାଦା ମାଗିଲେ ଯୌତୁକ। ପ୍ରେମିକ ବି ଦୂରେଇ ଗଲେ। ପୀଡ଼ିତା ଥାନାର ଦ୍ୱାରସ୍ଥ ହେଲେ। ହେଲେ ଥାନା ବି ଶୁଣିଲାନି। ଶେଷରେ କୋର୍ଟରେ ପହଁଚିଲେ ପୀଡ଼ିତା। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟଙ୍କ ଆଦେଶ ପରେ ବନ୍ଧା ହେଇଛନ୍ତି ଯୁବକ। ଯୁବକ ହେଉଛନ୍ତି, କଟକ ଜିଲ୍ଲା ଛତିଆ ଅଞ୍ଚଳର ଦେବାଶିଷ ସ୍ୱାଇଁ (୩୦)। କଟକ ସେସୁ ଅଧୀନରେ ସେ କାମ କରନ୍ତି। ହାଇକୋର୍ଟ ନିକଟରେ ଥିବା ସେସୁ ଅଫିସରୁ ତାଙ୍କୁ ନୟାପଲ୍ଲୀ ଥାନା ପୁଲିସ ବାନ୍ଧିଛି। ଅଭିଯୁକ୍ତ ଦାଦାଙ୍କ ନାମରେ ମଧ୍ୟ ମାମଲା ହୋଇଛି। ସେ ଫେରାର ଅଛନ୍ତି। ନୟାପଲ୍ଲୀ ଅଂଚଳର ପୀଡ଼ିତା ସରକାରୀ ଚାକିରି କରନ୍ତି। ଅଭିଯୋଗ ମୁତାବକ ପ୍ରାୟ ବର୍ଷେ ତଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ଲିଭ-ଇନ ସମ୍ପର୍କରେ ରହି ଆସୁଥିଲେ। ମାର୍ଚ୍ଚ ୯ତାରିଖରେ ବାହାଘର ପାଇଁ ଯୋଜନା ହୋଇଥିଲା। ହେଲେ ଅଭିଯୁକ୍ତଙ୍କ ଦାଦା ଯୌତୁକ ଟଙ୍କା ମାଗିଲେ। ଅଭିଯୁକ୍ତ ବି ତାଙ୍କୁ ସମର୍ଥନ କରି ଦୂରେଇ ଗଲେ। ଏ ନେଇ ତାଙ୍କ ନାମରେ ନୟାପଲ୍ଲୀ ଥାନାରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଉଭୟଙ୍କ ଡାକ୍ତରୀମାଇନା କରାଯାଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଦାଦା ଗିରଫ ହେବେ ବୋଲି ପୁଲିସ କହିଛି। ପୀଡ଼ିତାଙ୍କ ପକ୍ଷରୁ ଲଲାଟେନ୍ଦୁ ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର