ଭୁବନେଶ୍ବର: ପ୍ରେମରୁ ଶାରୀରିକ ସମ୍ବନ୍ଧ ଏବଂ ଶେଷରେ ଧୋକା। ଗତକାଲି ଏଭଳି ଅଭିଯୋଗରେ ସିଆର୍ପିଏଫ୍ର ଜଣେ ଏସ୍ଆଇ ଗିରଫ ହୋଇଥିବା ବେଳେ ଆଜି ଆଉ ଏକ ଘଟଣାରେ ମହିଳା ଥାନା ପୁଲିସ ଜଣେ ଏସ୍ଏସ୍ବି(ସଶସ୍ତ୍ର ସୀମାବଳ)ର କନଷ୍ଟେବଳକୁ ଗିରଫ କରିଛି। ସେ ହେଉଛି କଟକର ରାଜେଶ ଦାସ। ଦୁଷ୍କର୍ମ ଅଭିଯୋଗରେ ତାକୁ ଗିରଫ କରାଯିବା ପରେ ଡାକ୍ତରୀ ମାଇନା କରାଯାଇଥିଲା। ଅନ୍ୟପଟେ ଧୋକା ଖାଇବା ପରେ ମର୍ମାହତ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କଡ଼ା ସୁରକ୍ଷା ଭିତରେ ତାଙ୍କର ଚିକିତ୍ସା କରାଯାଉଛି। ସନ୍ଧ୍ୟା ପରଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଡାକ୍ତର କହିଛନ୍ତି।
/sambad/media/post_attachments/wp-content/uploads/2020/02/love-png_710x400xt-1.jpg)
ସୂଚନା ମୁତାବକ, ରାଜେଶ ଦୀର୍ଘ ଦେଢ଼ ବର୍ଷ ହେବ ଭୁବନେଶ୍ବରରେ ଚାକିରି କରୁଥିଲା। ଏଠାକୁ ଆସିବା ପୂର୍ବରୁ ପୀଡ଼ିତାଙ୍କ ସହ ଭେଟ ହୋଇଥିଲା। ଫୋନ୍ରେ କଥା ବାର୍ତ୍ତା ହେବା ପରେ ରାଜେଶ ପ୍ରେମ ନିବେଦନ କରିଥିଲା। ପୀଡ଼ିତାଙ୍କୁ ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ବନ୍ଧ ରଖିଥିଲା। ବାରମ୍ବାର ଶାରୀରିକ ସମ୍ବନ୍ଧ ରଖୁଥିଲେ ମଧ୍ୟ ବାହା ହେବା ପାଇଁ ବିଳମ୍ବ କରୁଥିଲା। ନିକଟ ଅତୀତରେ ପୀଡ଼ିତା ଜାଣିବାକୁ ପାଇଲେ ଯେ ରାଜେଶ ବିବାହିତ। ତାଙ୍କର ପତ୍ନୀ ସହ ସନ୍ତାନ ଅଛନ୍ତି। ଏହା ଜାଣିବା ପରେ ପୀଡ଼ିତା ଭାଙ୍ଗି ପଡ଼ିଥିଲେ। ଏ ନେଇ ସେ ରାଜେଶଙ୍କ ଠାରୁ ଉତ୍ତର ଚାହିଥିଲେ। ରାଜେଶ ବିବାହିତ ବୋଲି ସତ କହିବା ସହ ଦୂରେଇ ଯିବା ପାଇଁ ପୀଡ଼ିତାଙ୍କୁ ପରାମର୍ଶ ଦେଇଥିଲା। ଏହା ଶୁଣିବା ପରେ ପାଦତଳୁ ମାଟି ଖସି ଯାଉଥିବା ପୀଡ଼ିତା ଅନୁଭବ କରିଥିଲେ। ସେ ଏ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ବିଳମ୍ବ କରିଥିବା ଅଭିଯୋଗ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କେତେକ ପୁରୁଣା ଔଷଧ ଖାଇ ଦେଇଥିବାରୁ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।