ସରିଲା ପ୍ରେମ ସପ୍ତାହ: ପାର୍କ, ରେସ୍ତୋରାଁ, ମଲ୍‌ରେ ମାଳମାଳ ପ୍ରେମୀଯୁଗଳ

ସୁହାଇଲା ବିରୋଧୀଙ୍କ ନିରବତା

ଭୁବନେଶ୍ବର : ସୋମବାର ପ୍ରେମ ସପ୍ତାହର ଶେଷ ଦିନ ଭାଲେଣ୍ଟାଇନ୍‌ ଡେ’। ରାଜଧାନୀର ପ୍ରାୟ ସବୁ ପାର୍କ, ହୋଟେଲ, ରେସ୍ତୋରାଁ ଓ ମଲ୍‌ରେ ଦେଖିବାକୁ ମିଳିଥିଲେ ମାଳମାଳ ପ୍ରେମୀଯୁଗଳ। ଏହି ଦିବସକୁ ବିରୋଧ କରୁଥିବା ଶକ୍ତିମାନଙ୍କର ନିରବତା ଆଜି ପ୍ରେମୀଯୁଗଳମାନଙ୍କୁ ବେଶ୍ ସୁହାଇଥିଲା। ତେଣୁ ମନ ଖୋଲି ପ୍ରେମୀଯୁଗଳମାନେ ବୁଲାବୁଲି କରି ମଜା ଉଠାଇଥିଲେ। ଏହି ଦିନକୁ ସ୍ମୃତିଭରା କରିବା ପାଇଁ ପ୍ରେମୀଯୁଗଳମାନେ ପାର୍କରେ ଘଣ୍ଟାଘଣ୍ଟା ବିତାଇବା ସହ ହୋଟେଲ୍‌ରେ ଖିଆପିଆ କରି ଧୂମ୍‌ ନାଚିଥିଲେ। ମଲ୍‌ଗୁଡ଼ିକରେ ସ୍ବତନ୍ତ୍ର ଭାଲେଣ୍ଟାଇନ ଗୀତର ତାଳେତାଳେ ପ୍ରେମୀଯୁଗଳ ମାନେ ମନଖୋଲା ନୃତ୍ୟ କରିଥିଲେ।

ବାଉଁଶବଣରେ ପୁଲିସ ଜଗିଲା
ପୂର୍ବରୁ ଏହି ଦିବସକୁ କିଛି ବିରୋଧ କରି ପ୍ରେମୀଯୁଗଳଙ୍କ ଖୁସିରେ କଣ୍ଟା ସାଜୁଥିଲେ। ବିଶେଷକରି ସେମାନେ ପାର୍କ ଓ ମଲ୍‌ରେ ଚଢ଼ଉ କରି ପ୍ରେମୀଯୁଗଳଙ୍କୁ ବେଜିତ୍ କରୁଥିଲେ। କିନ୍ତୁ ଏଥର ସେମିତି କିଛି ନଥିଲା। ଭାଲେଣ୍ଟାଇନ ଡେ’ର ବିରୋଧୀମାନେ ଏଥର ନିରବ ହୋଇଯାଇଥିଲେ। ତେଣୁ ଏଥର ରାଜଧାନୀର ବହୁ ପାର୍କରେ ପ୍ରେମୀଯୁଗଳଙ୍କ ଜଲ୍‌ୱା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏଥର ବିରୋଧୀଶକ୍ତିର ଭୂମିକା ନିଭା‌ଇଥିଲା ପୁଲିସ। ଜୟଦେବ ବାଟିକା ଭଳି ସ୍ଥାନରେ ବାଉଁଶବଣକୁ ଜଗି ରହିଥିଲା ପୁଲିସ। ପ୍ରେମୀଯୁଗଳଙ୍କୁ ଏହି ବାଟିକାର ଜଙ୍ଗଲ ଓ ବାଉଁଶ ବଣକୁ ଯିବା ନିଷେଧ କରାଯାଇଥିଲା। ତେଣୁ ପ୍ରେମୀଯୁଗଳମାନେ ହତାଶ ହୋଇଥିଲେ।

କ୍ୟାଣ୍ଡେଲ୍‌ ଲାଇଟ ଡିନର୍‌ ସାଙ୍ଗକୁ ମାଗଣା ମକ୍‌ଟେଲ୍‌
ଭାଲେଣ୍ଟାଇନ ଡେ’ ସୋମବାର ପଡ଼ିଥିବାରୁ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଉପରେ ଗୁରୁତ୍ବ ଦିଆଯାଇଥିଲା। ଖୁବ୍‌ କମ୍ ସଂଖ୍ୟକ ପ୍ରେମୀଯୁଗଳ ନିରାମିଷ ବରାଦ କରିଥିଲେ। କ୍ୟାଣ୍ଡେଲ୍ ଲାଇଟ୍ ଡିନର୍ ସାଙ୍ଗକୁ ପ୍ରତ୍ୟେକ ଟେବୁଲରେ ମାଗଣା ସ୍ପେସାଲ୍‌ ମକ୍‌ଟେଲ୍‌ ବ୍ୟବସ୍ଥା କରାଯାଇଥିଲା। ଭାଲେଣ୍ଟାଇନ୍ ଥିମ୍ ଭାବେ ହୋଟେଲ ସାରା ନାଲି ବେଲୁନ୍‌ରେ ସଜାଯାଇଛି। ମଖମଲ୍‌ ପନିର ଟିକା, ଭେଜ୍ ଡ୍ରାଗନ୍ ରୋଲ୍, ମସ୍‌ରୁମ୍ ଟକାଟକ୍, ବାସିଲ୍ ଫିସ୍ ଟିକ୍କା, ଚିକେନ୍ ଗୋଲ୍ଡେନ୍ ଫିଙ୍ଗର ଆଦି ଆକର୍ଷଣୀୟ ଫୁଡ୍ ଆଇଟମ୍ ରହିଥିଲା।
ଅବିନାଶ ଗନ୍ତାୟତ, ମ୍ୟାନେଜର, ହୋଟେଲ ପୁଷ୍ପକ

ସେଲ୍ଫି ପଏଣ୍ଟ ଏବଂ ପିନାଟା କେକ୍‌
ପିନାଟା କେକ୍ ଏମିତି କେକ୍‌ ଯାହା ଶକ୍ତ ଚକୋଲେଟ୍‌ରେ ତିଆରି। ତାହାକୁ ହାମର୍‌ରେ ଭାଙ୍ଗିଲେ ଭିତରୁ ବାହାରେ ଉପହାର ଓ କେକ୍‌। ଚଳିତ ବର୍ଷ ଏହି କେକ୍‌ ପ୍ରେମୀଯୁଗଳଙ୍କ ପାଇଁ ବଡ଼ ଆକର୍ଷଣ ପାଲଟିଥିଲା। ପୂରା ହୋଟେଲ ଓ ବେକେରି ସପ୍‌କୁ ଭାଲେଣ୍ଟାଇନ ଥିମ୍‌ ଓ ବେଲୁନ୍‌ରେ ସଜା ଯାଇଥିଲା। ରେଡ୍ ଭେଲ୍‌ଭେଟ୍‌ କେକ୍‌, ବଟର୍‌ସ୍କଚ୍‌, କପଲ୍‌ ଡିଜାଇନ୍ କେକ୍‌ ଆଦି ଭଲ ବିକ୍ରି ହୋଇଥିଲା। ସେଲ୍‌ଫି ପଏଣ୍ଟ‌ରେ ପ୍ରେମୀଯୁଗଳମାନେ ଫଟୋ ଉଠାଇ ମଜା ନେଇଥିଲେ। ସୋମବାର ହୋଇଥିଲେ ବି ଆମିଷ ଖାଦ୍ୟ ବରାଦ୍ କିଛି କମ୍ ନଥିଲା।
ବିକାଶ କୁମାର ପ୍ରଧାନ, ସ୍ବସ୍ତି ଗ୍ରାଣ୍ଡ

ଗ୍ରିନ୍‌ ସାଲେମନ୍‌ ଓ ଫୁଲ ସମ୍ଭାର ମନ କିଣିଲା
ଏଥର ପୂରା ରେସ୍ତୋରାଁକୁ ଫୁଲ ଓ ହୃଦୟରେ ସଜା ଯାଇଥିଲା। ରୋମାଣ୍ଟିକ ଲାଇଟ୍‌ ସହ ରୋମାଣ୍ଟିକ୍‌ ଗୀତ ପୂରା ପରିବେଶକୁ ଆର୍ଷଣୀୟ କରିଥିଲା। କପଲ୍‌ଙ୍କ ପାଇଁ ସବୁ ଖାଦ୍ୟ ଅଧିକ ଆକର୍ଷଣୀୟ ଢଙ୍ଗରେ ପରଷାଯାଇଥିଲା। କପଲ୍‌ମାନେ ଏଥର ଅଧିକ ଗ୍ରିନ୍‌ ସାଲେମନ୍‌ ବରାଦ କରିଥିଲେ।
ସେଫ୍‌ ମାଇକେଲ୍‌ ରେସ୍ତୋରାଁ, ସେଫ୍‌ ମାଇକେଲ୍‌

କପଲ୍‌ଙ୍କ ଗୋପନୀୟ ରୋମାଣ୍ଟିକ୍‌ ପରିବେଶ
ଏଥର ରେସ୍ତୋରାଁରେ କପଲ୍‌ମାନଙ୍କ ପାଇଁ ଗୋପନୀୟ ସ୍ଥାନର ବ୍ୟବସ୍ଥା କରାଯାଇଥିଲା। ଯେଉଁଠି ପ୍ରେମୀଯୁଗଳମାନେ ମନର କଥା ବିନିମୟ କରିଥିଲେ। ରୋମାଣ୍ଟିକ୍‌ ଗୀତର କ୍ଷୀଣ ମ୍ୟୁଜିକ୍ ଭିତରେ ସେମାନେ ଖୁସି ମନାଇଥିଲେ। ସ୍ପେସାଲ ଡିସ୍‌ରେ ଚିକେନ୍ ଇରାନୀ, ମଲାଇ ଚିକେନ୍, ପ୍ୟାର୍‌କା ଭଳି ମେନୁ ଯୋଡ଼ା ଯାଇଥିଲା। ଆଗୁଆ ବରାଦ ଦେଇ ଅନେକ କପଲ୍‌ ରେଡ୍‌ ଭେଲ୍‌ଭେଟ୍ କେକ ଓ ବ୍ଲୁବେରି କେକ୍ ନେଇଥିଲେ।
ପ୍ରଳୟ କୁମାର ପାଢୀ, କିଭା ରେସ୍ତୋରାଁ, ଖଣ୍ଡଗିରି

ସମ୍ବନ୍ଧିତ ଖବର