ଆଜିଠୁ ପ୍ରେମ ସପ୍ତାହ, ଗୋଲାପ ଦର ଆକାଶଛୁଆଁ

ଭୁବନେଶ୍ବର: ଫେବ୍ରୁଆରି ୧୪ରେ ‘ଭାଲେଣ୍ଟାଇନ୍ସ ଡ଼େ’। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ ହୋଇଥାଇପାରେ। କିନ୍ତୁ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ୩୬୫ ଦିନ ପ୍ରତୀକ୍ଷା ପରେ ଏଭଳି ଏକ ଦିନ ଆସେ। ଯେଉଁଦିନ ପ୍ରେମୀଯୁଗଳ ପରସ୍ପରକୁ ହୃଦୟ ଦେଇ ଭଲ ପାଇଥାନ୍ତି। ମନ ଖୋଲି କଥା ହୋଇଥାନ୍ତି। ପ୍ରେମ ଦିବସକୁ ଆହୁରି ୮ ଦିନ ବାକିଥିବା ବେଳେ ବୁଧବାର ମଧ୍ୟରାତ୍ରିରୁ ସୋସିଆଲ୍‌ ମିଡିଆରେ ଆରମ୍ଭ ହେଉଛି ପ୍ରେମ ସପ୍ତାହ। ଫେବ୍ରୁଆରି ମାସର ଏହି ପ୍ରେମ ସପ୍ତାହକୁ ଅଭୁଲା ଓ ସ୍ମରଣୀୟ କରିବାକୁ ଏବେଠାରୁ ଲାଗି ପଡ଼ିଛନ୍ତି ଯୁବକ ଯୁବତୀ। ଘଣ୍ଟାରେ ରାତି ୧୨ଟା ବାଜିବା କ୍ଷଣି ପ୍ରେମିକ ଓ ପ୍ରେମିକା ପରସ୍ପରଙ୍କ ନିକଟକୁ ଗୋଲାପ ଫୁଲ ପଠାଇ ‌ଶୁଭେଚ୍ଛା ଜଣାଇବାରେ ଲାଗି ପଡ଼ିଛନ୍ତି। ଭୁବନେଶ୍ବର କଲେଜ ପଢ଼ୁଆ ଯୁବପିଢ଼ିଙ୍କ ମଧ୍ୟ‌ରେ ପ୍ରେମ ସପ୍ତାହ ପାଳନ ପାଇଁ ବେଶ୍‌ ଉତ୍କଣ୍ଠା ଦେଖିବାକୁ ମିଳିଛି। ପ୍ରେମ ସପ୍ତାହ ପ୍ରଥମ ଦିନ ରୋଜ୍‌ ଡେ’ ହୋଇଥିବାରୁ ରାତି ୧୨ଟାରେ ସହରରେ ଖୋଲାଥିବା ଫୁଲ ଦୋକାନରୁ ଗୋଲାପ କିଣି ପ୍ରେମିକମାନେ ପ୍ରେମିକାଙ୍କ ନିକଟରେ ପହଞ୍ଚି ଯାଇଛନ୍ତି। କଳ୍ପନା ଛକ, ସହିଦନଗର, ଚନ୍ଦ୍ରଶେଖରପୁର, କିଟ୍‌ ଛକ ନିକଟରେ ଖୋଲାଥିବା କେତେକ ଫୁଲ ଦୋକାନରେ ଯୁବକମାନେ ଗୋଲାପ ଫୁଲ କିଣୁଥିବା ଦେଖିବାକୁ ମିଳିଥିଲା। ଖାସ୍‌ ଏହି ଦିନ ପାଇଁ ଗୋଲାପ ଦର ବି ବଢ଼ି ଯାଇଛି। ଗତକାଲି ୫ରୁ ୧୦ ଟଙ୍କା ମଧ୍ୟରେ ଥିବା ଗୋଲାପର ମୂଲ୍ୟ ରାତିରେ ୧୦ରୁ ୨୦ଟଙ୍କା ଛୁଇଁଛି। ଗୋଲାପ ଫୁଲ ତୋଡ଼ା ଦର ମଧ୍ୟ ବଢ଼ିଛି। ତୋଡ଼ାର ମୂଲ୍ୟ ଶହେ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ମଧ୍ୟରେ ରହିଛି।

ସମ୍ବନ୍ଧିତ ଖବର