ଫେରାର୍‌ ପ୍ରେମୀଯୁଗଳଙ୍କୁ କରୋନା କାଳ, ସଂଗରୋଧ କେନ୍ଦ୍ରରୁ ଜେଲ୍‌ ଗଲା ପ୍ରେମିକ

ବାଲିପାଟଣା : ପ୍ରେମକୁ ସ୍ବୀକୃତି ନମିଳିବାରୁ ଫେରାର୍ ହୋଇ ଯାଇଥିଲେ ପ୍ରେମୀଯୁଗଳ। ବାଲିପାଟଣାରୁ ଲୁଚିଛପି ପଳାଇଥିଲେ ସୁଦୂର ସୁରତ। ମାତ୍ର ମହାମାରୀ କରୋନା ହେଲା କାଳ। ପ୍ରେମିକ ଚାକିରି ହରାଇ ବେରୋଜଗାର ହୋଇ ପଡ଼ିବାରୁ ବାଧ୍ୟ ହୋଇ ଓଡ଼ିଶା ଫେରିଲେ। ସୁରତ ଫେରନ୍ତା ହୋଇଥିବାରୁ ଓ ପ୍ରବାସୀଙ୍କ ପାଇଁ ଲାଗୁ ହୋଇଥିବା ପଞ୍ଜୀକରଣ ନିୟମ ପାଇଁ ସେମାନଙ୍କ ପାଖରେ ଓଡ଼ିଶାରେ ଅନ୍ୟ କେଉଁଠି ଆତ୍ମଗୋପନ କରିବାର ବାଟ ନଥିଲା। ତେଣୁ ବାଧ୍ୟ ହୋଇ ସେମାନେ ନିଜ ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ଆଶ୍ରୟ ନେଇଥିଲେ। ପୂର୍ବରୁ ନାବାଳିକା ଅପହରଣ ନେଇ ପୁଲିସରେ ଅଭିଯୋଗ ହୋଇଥିଲା। ସଂଗରୋଧ କେନ୍ଦ୍ରରେ ସେମାନେ ଆଶ୍ରୟ ନେଇଥିବା ଖବର ପାଇ ପୁଲିସ ସେଠାରୁ ପ୍ରେମିକକୁ ବାନ୍ଧି ବିଚାର ବିଭାଗୀୟ ହାଜତକୁ ପଠାଇବା ସହ ନାବାଳିକାକୁ ପରିବାର ଜିମା ଦେଇଛି। ଘଟଣାଟି ବାଲିପାଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ଏମିତି। ଅଭିଯୁକ୍ତ ମଙ୍ଗୁଳି ମଲ୍ଲିକ ସୁରତରେ କାମ କରନ୍ତି। ଗାଁର ଜଣେ ନାବାଳିକାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁକ୍ତ ତିନି ପଢ଼ୁଥିବା ନାବାଳିକାଙ୍କ ପରିବାର ଲୋକେ କିନ୍ତୁ ଏହି ପ୍ରେମକୁ ସ୍ବୀକୃତି ଦେଇନଥିଲେ। ତେଣୁ ସେମାନେ ଲୁଚିଛପି ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନାନୁସାରେ ଗତ ଜାନୁଆରି୨୧ ତାରିଖ ଦିନ ସେମାନେ ନିଆଳୀରୁ ଫେରାର୍ ହୋଇଯାଇଥିଲେ। ନିମାପଡା ଓ ପୁରୀ ଦେଇ ସେମାନେ ଗୁଜୁରାଟ ଚାଲି ଯାଇଥିଲେ। ନାବାଳିକାଙ୍କୁ ନପାଇ ପରିବାର ଲୋକେ ପ୍ରଥମେ ନିଖୋଜ ଓ ପରେ ଏକ ଅପହରଣ ମାମଲା ରୁଜୁ କଲେ। ପ୍ରେମରେ ଫସାଇ ମଙ୍ଗୁଳି ହିଁ ନାବାଳିକାକୁ ଅପହରଣ କରି ନେଇଛି ବୋଲି ପରିବାର ଲୋକେ ସିଧାସିଧା ଅଭିଯୋଗ କଲେ। କିନ୍ତୁ ସଠିକ୍‌ ଠିକଣା ନ ପାଇବା ବାହାନା କରି ପୁଲିସ ଉକ୍ତ ମାମଲାକୁ ଚାପି ରଖିଥିଲା। ଏହା ଭିତରେ ମଙ୍ଗୁଳି ଓ ନାବାଳିକା ପ୍ରେମିକା ଗୁଜୁରାଟର ଅମ୍ବାଜି ମନ୍ଦିରରେ ସେହି ମାସ ୨୬ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ତେବେ ସେମାନଙ୍କ ସୁଖ ଅଧିକ ଦିନ ତିଷ୍ଠି ପାରିନଥିଲା। ମାତ୍ର ଦୁଇଟି ମାସ ବିତିଛି କି ନାହିଁ ମାଡ଼ି ଆସିଲା ମହାମାରୀ କରୋନା। ସମଗ୍ର ଦେଶରେ ଲାଗୁ ହେଲା ତାଲା ବନ୍ଦ। କଳକାରଖାନାରେ ତାଲା ପଡ଼ିଗଲା। ମଙ୍ଗୁଳି ଚାକିରି ହରାଇଲା ଓ ସବୁ ଶ୍ରମିକଙ୍କ ଭଳି ବେରୋଜଗାର ହୋଇ ଘରକୁ ଫେରିବାକୁ ବାଧ୍ୟ ହେଲା। ଗତ ଦୁଇ ସପ୍ତାହ ପୂର୍ବେ ନାବାଳିକା ପ୍ରେମିକାକୁ ଧରି ସେ ଗାଁକୁ ଫେରିଲା। ସେମାନେ ଗାଁକୁ ଫେରିବା ଖବର ପୁଲିସ ନିକଟରେ ପହଞ୍ଚି ଯାଇଥିଲା। କିନ୍ତୁ ସଂଗରୋଧ କେନ୍ଦ୍ର ନିୟମାନୁସାରେ ପୁଲିସ ୧୪ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ଆଜି ପୁଲିସ ମଙ୍ଗୁଳିକୁ କୋର୍ଟ ଚାଲାଣ କରିଛି ଓ ଡାକ୍ତରୀ ମାଇନା ପରେ ନାବାଳିକାକୁ ପରିବାର ଲୋକଙ୍କ ଜିମା ଦେଇଛି।

ସମ୍ବନ୍ଧିତ ଖବର