ଚନ୍ଦ୍ରଶେଖରପୁର : ଅନ୍ଧାରିଆ ରାସ୍ତାକଡ଼ରେ ଗାଡ଼ି ରଖି ଆଳାପ କରିବା ପ୍ରେମୀ ଯୁଗଳଙ୍କୁ ମହଙ୍ଗା ପଡ଼ିଛି। ଜଣେ ଯୁବତୀ ପୁରୁଷ ବନ୍ଧୁଙ୍କ ସହ ବସି କଥା ହେଉଥିବା ବେଳେ ତାଙ୍କୁ ପୁରୁଣା ପ୍ରେମିକ ବଳପୂର୍ବକ ଟେକି ନେଇଥିଲେ। ଅଟୋରେ ବସାଇ ନେଉଥିବା ବେଳେ ଯୁବତୀ ଜଣକ ଚଳନ୍ତା ଅଟୋରୁ ଡେଇଁ ପଡ଼ିଥିଲେ। ଏମିତି ଘଟଣା ଆଜି ରାତି ପ୍ରାୟ ୧୦ଟା ବେଳେ ଘଟିଛି। ସୂଚନା ଅନୁଯାୟୀ ଶିଖରଚଣ୍ଡି ଇନ୍ଫୋସିଟି ରାସ୍ତା କଡ଼ରେ ଉକ୍ତ ଯୁବକ ଓ ଯୁବତୀ କଥାବାର୍ତ୍ତା ହେଉଥିଲେ। ଏହା ଦେଖି କିଛି ଯୁବକ ଏକ ଅଟୋରେ ସୋମନଙ୍କ ନିକଟରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଯୁବତୀଙ୍କୁ ବଳପୂର୍ବକ ଅଟୋରେ ବସାଇ ଟିସିଏସ୍ ଛକ ଦିଗକୁ ନେଇଯାଇଥିଲେ। ଅଳ୍ପ କିଛି ବାଟ ଯିବା ପରେ ଯୁବତୀଜଣକ ଚିତ୍କାର କରି ଚଳନ୍ତା ଅଟୋରୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଇନ୍ଫୋସିଟି ଥାନାକୁ ଖବର ଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଉଭୟ ପ୍ରେମୀଯୁଗଳ ନିକଟରେ ଥିବା ଏକ ଇଂଜିନିୟରିଂ କଲେଜ୍ରେ ପଢ଼ନ୍ତି। ଯୁବତୀଙ୍କ ପୁରୁଣା ପ୍ରେମିକ ଆଜି ସେମାନଙ୍କୁ ଏକୁଟିଆ ବସିଥିବା ଦେଖି ଯୁବତୀ ଓ ତାଙ୍କ ନୂଆ ପ୍ରେମିକଙ୍କୁ ଆକ୍ରମଣ କରିଥିଲେ। ଏନେଇ ଇନ୍ଫୋସିଟି ଥାନା ଆଇଆଇସି ବିଶ୍ବଜିତ୍ ମହାନ୍ତି କହିଛନ୍ତି, ଖବର ପାଇବା ପରେ ଆଖପାଖ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଯୁବକଙ୍କ ଉପରେ ନଜର ରଖାଯାଇଛି। ଅନ୍ୟପକ୍ଷରେ ଏନେଇ ଯୁବକ-ଯୁବତୀ ଥାନାରେ କୌଣସି ଅଭିଯୋଗ କରିନଥିବା ପ୍ରକାଶ କରିଛନ୍ତି।
ପ୍ରେମିକାଙ୍କୁ ଉଠାଇନେଲା ପୁରୁଣା ପ୍ରେମିକ, ଅଟୋରୁ ଡେଇଁଲେ ଯୁବତୀ
/sambad/media/post_attachments/wp-content/uploads/2019/11/kidnapped.jpg)