ପ୍ରେମ ମାନିଲାନି ଡର ଭୟ

ଭୁବନେଶ୍ବର: ଯେବେ ତୁମକୁ ଦେଖିଲି, ପ୍ରେମରେ ପଡ଼ିଲି। ତୁମେ ହସିଦେଲ, କାରଣ ତୁମେ ବି ଜାଣିଥିଲ…। ୱିଲିୟମ‌ ସେକ୍ସପିୟରଙ୍କ ପ୍ରେମର ଏହି ପରିଭାଷା ସୂଚେଇ ଦିଏ, ଯାହା ନକହି ବି ବୟାନ କରିହୁଏ ତାହା ହିଁ ପ୍ରେମ। ଆଜି ଯେବେ ଭାଲେଣ୍ଟାଇନ୍‌ ଡେ’ ଉପନୀତ ହୋଇଥିଲା ସେତେବେଳେ ପ୍ରେମର ସ୍ମୃତି ସବୁ ତାଜା ହୋଇଯାଇଥିଲା। ଦୂରରେ ଥିଲେ ବି ଏହି ଦିବସ ଆଜି ପରସ୍ପରକୁ ଏକାଠି କରିବାର ବାହାନା ଆଣି ଦେଇଥିଲା। ନା କଳିଙ୍ଗ ସେନାର ବିଛୁଆତିକୁ ଭୟ ଥିଲା ନା କାହାର ପୋଷ୍ଟରରେ ଦିଆଯାଇଥିବା ଫମ୍ପା ଧମକକୁ ଡର ଥିଲା। ପ୍ରେମର ଉଦ୍ୟାନରେ ଉଡ଼ି ବୁଲିଥିଲେ ରୋମିଓ ଜୁଲିଏଟଙ୍କ ଭଳି ପ୍ରଜାପତିମାନେ। ପ୍ରେମୀଯୁଗଳଙ୍କ ପାଇଁ ଆଜିର ଦିନଟି ଥିଲା ଟିକେ ଖାସ୍‌। ଗୋଲାପ‌ ଦେଇ ଚକ୍‌ଲେଟ୍‌ ଖୁଆଇ ପ୍ରେମର ଆଭାସ ଦେଇଥିବା ନୂଆ ପ୍ରେମୀଯୁଗଳମାନେ ଆଜି ପରସ୍ପରକୁ ଭେଟିବା ପାଇଁ ଜାଗା ଚୟନ କରିସାରିଥିଲେ। ଅପରାହ୍‌ଣ ବେଳକୁ ଉଦ୍ୟାନରେ ସେମାନଙ୍କ ଭିଡ଼ ଜମିଥିଲା। ଏକାମ୍ର ପାର୍କରେ ଦିନତମାମ ପ୍ରେମୀଯୁଗଳଙ୍କ ଭିଡ଼ ଜମିଥିଲା। ଏସ୍‌ପ୍ଲାନେଡ୍‌ ଓ ଅନ୍ୟ ସପିଂ ମଲ୍‌ରେ ମଧ୍ୟ କିଣାକିଣି ବାହାନ‌ାରେ ସେମାନେ ପରସ୍ପରକୁ ଭେଟିବାର ଅବକାଶ ପାଇ ଯାଇଥିଲେ। କିଛି ସଂଗଠନ ଏହାକୁ ବିରୋଧ କରିବା ନେଇ ଚେତାବନୀ ଦେଇଥିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଉଦ୍ୟାନ ସମେତ କିଛି ସ୍ଥାନରେ ପୁଲିସ୍‌ ମୁତୟନ ହୋଇଥିଲେ। ଏସ୍‌ପ୍ଲାନେଡ୍‌ ସମ୍ମୁଖରେ କଳିଙ୍ଗ ସେନାର କିଛି ସଦସ୍ୟ ବିଛୁଆତି ଧରି ଛିଡ଼ା ହୋଇଥିବା ବେଳେ କମିସନରେଟ୍‌ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା।

ଡିଏନ୍‌ ରେଗାଲିଆ ମଲ୍‌ରେ ପ୍ରେମୀଯୁଗଳଙ୍କୁ ହଜାରେ ଟଙ୍କାର କିଣାକିଣି ଉପରେ ଏକ କପଲ୍‌ ଫଟୋଫ୍ରେମ୍‌ ଆଜି ଉପହାର ଦେଇଥିଲେ। ‌ପୁଣି ଏହି ପରିସରରେ ପ୍ରେମର ପାଚେରିରେ ନିଜ ପ୍ରେମ ସମ୍ପର୍କରେ କିଛି ଲେଖିବାର ସୁଯୋଗ ପାଇଥିଲେ ପ୍ରେମିକ/ପ୍ରେମିକା। କିଛି ସ୍ଥାନରେ ସେମାନଙ୍କୁ ଦୃଷ୍ଟିରେ ରଖି କିଛି ମଜାଳିଆ ଖେଳର ଆୟୋଜନ କରାଯାଇଥିଲା। କୋଉଠି ହାର୍ଟ ଫେୟାର ଆୟୋଜନ ହେଉଥିଲା ତ କେଉଁଠି କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ର ବନ୍ଦୋବସ୍ତ କରାଯାଇଥିଲା। ଏଥିପାଇଁ ଆଗରୁ ବୁକିଂ ସରିଥିଲା। ଡିଜେ ନାଇଟ୍‌ରେ କେହି ନିଜ ପ୍ରିୟଜନଙ୍କ ସହ ନାଚୁଥିଲେ ତ କିଛି ରେସ୍ତୋରାଁରେ ନିଜ ଜୀବନ ସାଥୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଇବାକୁ ସୁଯୋଗ ପାଇଥିଲେ। କେତେକ ରେସ୍ତୋରାଁ ଭାଲେଣ୍ଟାଇନ୍‌ ପାଇଁ ସ୍ବତନ୍ତ୍ର ଖାଦ୍ୟ ମେନୁ ପରଷି ଦେଇଥିଲେ। ସିନେମା ହଲ୍‌ରେ ମଧ୍ୟ ଅନୁରୂପ ଭିଡ଼ ଜମିଥିଲା। ପ୍ରେମ ସପ୍ତାହରେ ପ୍ରେମବାଲା ଚଳଚ୍ଚିତ୍ର ପ୍ରେମ ପାଇଁ ମହାଭାରତ, ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା, ଲଭ୍‌ ଏକ୍ସପ୍ରେସ୍‌, ଗଲି ବୟ ଚଳଚ୍ଚିତ୍ର ଦେଖିବାକୁ ଭିଡ଼ ଜମିଥିଲା। ପ୍ରେମର ଏହି ବାତାବରଣ ଦେଖି ଲାଗୁଥିଲା ଯେମିତି ଆଜି ଦିନଟା ଥିଲା ତାଙ୍କର। ପ୍ରେମର ଗାଡ଼ିରେ ଘୂରି ବୁଲିବା ବେଳେ ଯେମିତି କହୁଥିଲେ, ଯିଏ ଯାହା କହୁ ଆମର ଢୋ…।

ଏସ୍‌ପ୍ଲାନେଡ୍‌ରେ ପ୍ରେମ ଦିବସ ‘କପ୍‌ ଅଫ୍ ହାପିନେସ୍‌’

ଏସ୍‌ପ୍ଲାନେଡ୍‌‌‌‌ରେ ‘କପ୍‌ ଅଫ୍ ହାପିନେସ୍‌’ ନାମକ ଏକ ଯୋଜନା ଜରିଆରେ ଗ୍ରାହକମାନଙ୍କୁ ଖୁସି ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ‘କପ୍‌’ ଭିତରେ ସର୍‌ପ୍ରାଇଜ୍‌ ଉପଲବ୍ଧ କରାଯାଇଛି। ଏଥିରେ ହଜାର ହଜାର ଡିସ୍‌କାଉଣ୍ଟ ସହ ଅନ୍ୟାନ୍ୟ ଆଖି ଖୋସି ହୋଇଗଲା ଭଳି ଅଫର୍‌ ରହିଛି। ଭାଲେଣ୍ଟାଇନ୍‌ ସପ୍ତାହ ପାଳନ କରୁଥିବା ପ୍ରେମୀଯୁଗଳ ହୁଅନ୍ତୁ ବା ସାଧାରଣ ବର୍ଗ; ଏଭଳି ଏକ ଅଫର୍‌ରେ ସମସ୍ତଙ୍କୁ ଖୁସି କରିବାର ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଅଫର୍‌ର ହକ୍‌ଦାର ହେବେ, ସେମାନଙ୍କୁ ପୁରସ୍କୃତ କରାଯିବ ବା ଅଫର ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି। ଯେଉଁମାନେ ଅଫର ପାଇବା ପାଇଁ ହକ୍‌ଦାର ହୋଇନାହାନ୍ତି, ସେମାନେ ଏହି କପ୍‌ ଅଫ୍ ହାପିନେସ୍‌ ଭିତରେ ଏକ ସ୍ମରଣୀୟ ଅଭିଜ୍ଞତା ଲାଭ କରିବେ ବୋଲି ଏସ୍‌ପ୍ଲାନେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଏସ୍‌ପ୍ଲା‌ନେଡ୍‌ ସହ ସେଲ୍ଫି କିମ୍ବା ଭିଡିଓ ନେଇ ଏସ୍‌ପ୍ଲାନେଡ୍‌ର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟକୁ ଟ୍ୟାଗ୍‌ କରି ଅପ୍‌ଲୋଡ୍‌ କରିଛନ୍ତି ସେମାନଙ୍କୁ ମଧ୍ୟ ଉପହାର ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର