ଅସଂଯତ ଅବସ୍ଥାରେ ପ୍ରେମୀଯୁଗଳ

ଡ୍ରେନ୍‌କୁ ଠେଲିଦେଲେ ସ୍ଥାନୀୟ ଯୁବକ

ଚନ୍ଦ୍ରଶେଖରପୁର : ରାଜଧାନୀର ଯୁବପିଢ଼ିକୁ ଘାରିଛି ଭାଲେଣ୍ଟାଇନ୍‌ ନିଶା। ଦୁଇ ଦିନ ହେଲା ଭାଲେଣ୍ଟାଇନ୍‌ ସପ୍ତାହ ଆରମ୍ଭ ହୋଇ ଯାଇଥିବାେବେଳ ଆଜି ଥିଲା ପ୍ରପୋଜ୍‌ ଡେ’। ସମ୍ଭବତଃ ଲୁଚିଲୁଚି ରୋମାନ୍ସ କରିବାକୁ ଯାଇଥିବା ଏକ ପ୍ରେମୀଯୁଗଳକୁ ଆଜି ରାତି ପ୍ରାୟ ଆଠଟା ସମୟରେ ଇନଫୋସିଟି ଥାନା ନିଛାଟିଆ ଅଞ୍ଚଳରେ ଥିବା ଏକ ଡ୍ରେନ୍‌ ଭିତରୁ ସମ୍ପୂର୍ଣ୍ଣ କର୍ଦ୍ଦମାକ୍ତ ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ଏକ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ଏହି ପ୍ରେମୀଯୁଗଳ ରାସ୍ତାକଡ଼ରେ ବାଇକ ରଖି ରୋମାନ୍ସ କରୁଥିବାବେଳେ ସ୍ଥାନୀୟ କିଛି ଅସାମାଜିକ ଯୁବକମାନଙ୍କ ଆଖିରୁ ଖସିପାରିନଥିଲେ। ସେମାନଙ୍କୁ ଅସଂଯତ ଅବସ୍ଥାରେ ଦେଖି ଯୁବକମାନେ ତାଙ୍କ ପୋଷାକପତ୍ର ନେଇ ପଳାଇବା ସହିତ ସେମାନଙ୍କୁ ରାସ୍ତାକଡ଼ ଡ୍ରେନ୍‌କୁ ଠେଲିଦେଇଥିଲେ। ପରେ ଏନେଇ ସ୍ଥାନୀୟ ଅଞ୍ଚଳର ଆଉ କିଛି ସହୃଦୟ ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ। ମାତ୍ର ସେତେବେଳକୁ ପଙ୍କ କାଦୁଅରେ ସମ୍ପୂର୍ଣ୍ଣ ଲଟପଟ ହୋଇଯାଇଥିଲେ ଯୁବକ ଓ ଯୁବତୀ। ଇନଫୋସିଟି ଆଇଆଇସି ବନିତା ମହାରଣା ଘଟଣାସ୍ଥଳରେ ପହଞ୍ଚି ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ପୋଷାକ ଦେଇଥିଲେ। ଉଭୟଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି।

ଭାଲେଣ୍ଟାଇନ୍‌ ଦିବସକୁ ବିରୋଧ କରିବ କଳିଙ୍ଗ ନାରୀସେନା

ଭୁବନେଶ୍ୱର : ଅଗାମୀ ୧୪ ତାରିଖରେ ପାଳିତ ହେବାକୁ ଥିବା ଭାଲେଣ୍ଟାଇନ୍‌ ଦିବସକୁ କଡ଼ା ବିରୋଧ କରିବ କଳିଙ୍ଗ ସେନାର ନାରୀ ସେନା। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ବିରୋଧାଚରଣ ଏବଂ ବିଦେଶୀ ସଂସ୍କୃତିର ଛାପ ବହନ କରୁଥିବା ଏହି ଦିବସକୁ କୌଣସି ପରିସ୍ଥିତିରେ ମଧ୍ୟ ରାଜ୍ୟରେ ପାଳନ କରିବାକୁ ଦିଆଯିବ ନାହିଁ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ନାରୀ ସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର ଚେତାବନୀ ଦେଇଛନ୍ତି। ଏହି ଦିନ ଯୁବକଯୁବତୀମାନେ ଭିଡ଼ ଜମାଉଥିବା ଏକାମ୍ର ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ସାଇନ୍ସ ପାର୍କ, ଜୟଦେବ ବାଟିକା, ବଟାନିକାଲ ଗାର୍ଡ଼େନ, ଆଇନକ୍ସ, ବିଗ୍‌ବଜାର, ଏକାମ୍ର ହାଟ, ମେଫେୟାର ହୋଟେଲ, ପ୍ରେସିଡେନ୍ସି, ସ୍ୱସ୍ତି ପ୍ରିମିୟମ, ସ୍ୟାଣ୍ଡି ଟାଓ୍ଵାର, ମାରିଅନ, ଇନଫୋସିଟି ଓ ଶିଖରଚଣ୍ଡୀ ଭଳି ପ୍ରମୁଖ ସ୍ଥାନରେ ରାଜଧାନୀର ୫ଟି ମହାବିଦ୍ୟାଳୟର ଶହେ ଜଣ ଛାତ୍ରଛାତ୍ରୀ ପ୍ରତିବାଦ କରିବା ସହ ଅପସଂସ୍କୃତି କାର୍ଯ୍ୟରେ ଲିପ୍ତ ଥିବା ପ୍ରେମୀଯୁଗଳଙ୍କୁ ପାନେ ଚଖାଇବାକୁ ଜଗି ରହିବେ। ରାଜ୍ୟର ରାଜଧାନୀ ସମତେ ୨୨ଟି ଜିଲ୍ଲାରେ କଳିଙ୍ଗ ସୈନିକ ମୁତୟନ ରହିବେ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଛାତ୍ରନେତା ସଭାନେତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସସ୍ମିତା ନାୟକ, ଜଲି ସାହୁ, ମାମା ନାୟକ, ମାମୁନି ନାୟକ, ଗୁଡ୍‌ଲି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର