ଭାଷା ଓ ସାହିତ୍ୟକୁ ଭଲପାଇ ଅନୁବାଦ କଲେ ଲୋକାଦୃତ ହେବ

ଅନୁବାଦ ସାହିତ୍ୟ ପରିଷଦ ଦ୍ବାରା ୧୦ ଅନୂଦିତ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଅନୁବାଦ ସାହିତ୍ୟ ପରିଷଦ ପକ୍ଷରୁ ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, ଅସମୀୟା ଓ ଓଡ଼ିଆ ଭାଷାକୁ ଅନୂଦିତ ୧୦ଟି ପୁସ୍ତକର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବୁଦ୍ଧମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ସଭାପତିତ୍ବ କରିଥିଲେ ବିଶିଷ୍ଟ ଅନୁବାଦକ ତଥା ଅନୁଷ୍ଠାନର ସଭାପତି ପ୍ରଫେସର ହିମାଂଶୁ ଶେଖର ମହାପାତ୍ର। ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ବିକ୍ରମ କେଶରୀ ଦାସ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାଶିଳ୍ପୀ ରାମଚନ୍ଦ୍ର ବେହେରା ଓ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇଥିଲେ। ଅନୁବାଦକ ନରେନ୍ଦ୍ର ନାରାୟଣ ଦାଶ ଲୋକାର୍ପିତ ପୁସ୍ତକ ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ, ଅନୁବାଦର ଆବଶ୍ୟକତା ଓ ଓଡ଼ିଆ ଅନୁବାଦର ସାଂପ୍ରତିକ ସ୍ଥିତିକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶଗ୍ରହଣ କରି ପ୍ରଫେସର ଦାସ କହିଲେ କୌଣସି ଗୋଟିଏ ଭାଷାର ଏକ ପୁସ୍ତକକୁ ଯଦି ଭଲପାଇ ଅନୁବାଦ କରାଯାଏ, ତେବେ ସେ ଅନୁବାଦ ସାର୍ଥକ ହୁଏ। ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଅନୁବାଦକ ଅସିତ ମହାନ୍ତି ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ, ପ୍ରତିଭା ନଥାଇ ପ୍ରତିଷ୍ଠା କାମନା ଓ ପୁରସ୍କାର ଲାଳସା ସାଂପ୍ରତିକ ଅନୁବାଦର ଏକ ବଡ଼ ବିଲକ୍ଷଣ ହୋଇଛି ବୋଲି ମତ ଦେଇଥିଲେ।

ଅନୂଦିତ ପୁସ୍ତକଗୁଡିକ ମଧ୍ୟରୁ ରାମଚନ୍ଦ୍ର ବେହେରାଙ୍କ ଉପନ୍ୟାସ ‘ମୁକ୍ତିର ରୂପରେଖ’ର ଇଂରାଜୀ ରୂପାନ୍ତର ବ୍ରଜମୋହନ ମିଶ୍ର କରିଥିବା ବେଳେ, ଗାଳ୍ପିକା ଇନ୍ଦୁଲତା ମହାନ୍ତିଙ୍କ ୨୦ଟି କ୍ଷୁଦ୍ରଗଳ୍ପକୁ ଇଂରାଜୀରେ ଅନୁବାଦ କରିଛନ୍ତି ରବିନାରାୟଣ ପଟ୍ଟନାୟକ। ସେହିପରି ଗଣେଶ୍ବର ମିଶ୍ରଙ୍କ ଉପନ୍ୟାସ ‘ସକାଳର ମୁହଁ’ର ହିନ୍ଦୀ ଅନୁବାଦ ‘ସୁବହ କା ଚେହରା’ ନାମରେ ମିହିର ପଟ୍ଟନାୟକ, ୩୬ଟି ପ୍ରତିନିଧିମୂଳକ ଓଡ଼ିଆ ଗପର ଅସମୀୟା ଅନୁବାଦକୁ ଆସାମ ଚାପ୍ଟର, ମାଲାୟଲାମ୍ ଗଳ୍ପ ସଂଗ୍ରହର ଓଡ଼ିଆ ଅନୁବାଦ ଅଭିମନ୍ୟୁ ବେହେରା, ୪ ଜଣ ଲେଖକଙ୍କ ୨୦ଟି ଗଳ୍ପକୁ ଅନୁରୂପା ସିଂଙ୍କ ଦ୍ବାରା ‘ଅଦ୍ବିତୀୟ ଅନୁଭବ’ ନାମରେ, ରମଣଲାଲ୍ ସୋନୀଙ୍କ ‘ଗୁଜରାଟୀ ଶିଶୁ କାହାଣୀମାଳା’ ରେଣୁକା ସୋନୀ, ‘ନୋବେଲ ବିଜେତାଙ୍କ ଗଳ୍ପ ସଂଗ୍ରହ’କୁ ସୂଚନା ପାଢ଼ୀ, ‘ମହାଦେବୀ ବର୍ମାଙ୍କ ନିର୍ବାଚିତ କବିତା’କୁ ନୀହାରିକା ମଲ୍ଲିକ ଏବଂ ମାର୍କେଜଙ୍କ ଉପନ୍ୟାସ ‘ପୂର୍ବସୂଚିତ ହତ୍ୟାକାଣ୍ଡ ବୃତ୍ତାନ୍ତ’କୁ ବରିଷ୍ଠ ଅନୁବାଦକ କମଳାକାନ୍ତ ମହାପାତ୍ର ଅନୁବାଦ କରିଛନ୍ତି।

ଅନୁବାଦ ସାହିତ୍ୟ ପରିଷଦର ଉପସଭାପତି ସୋମେଶ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ସାଧାରଣ ସଂପାଦକ ତାପସ ରଂଜନ ତ୍ରିପାଠୀ ଅନୁବାଦ ପରିଷଦ ସମ୍ପର୍କରେ ସୂଚନା ଦେଇଥିଲେ। ପରିଷଦର ଅନ୍ୟତମ ଉପସଭାପତି ମାଳବିକା ପଟେଲ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଟ୍ରଷ୍ଟି ଶ୍ୱେତାଙ୍ଗ ପଟ୍ଟନାୟକ।

ସମ୍ବନ୍ଧିତ ଖବର