ଏମ୍‌ସ ଭୁବନେଶ୍ୱରରେ ଲୋ ଭିଜନ୍‌ କ୍ଲିନିକ୍‌: ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି ରୋଗୀଙ୍କ ପାଇଁ ଉପାଦେୟ ହେବ

ସରକାରୀ ଅନୁଷ୍ଠାନ ମଧ୍ୟରେ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର,: ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ଦୈନନ୍ଦିନ ଜୀବନରେ ଆସୁଥିବା ଏକାଧିକ ପ୍ରତିବନ୍ଧକ ଏବଂ ପ୍ରତିଘାତ କାରଣରୁ ନିରାଶ ହୋଇପଡ଼ିଥିବା ବ୍ୟକ୍ତିଙ୍କ ପାଇଁ ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ‘ଲୋ ଭିଜନ୍ କ୍ଲିନିକ୍’ ଉଦ୍‌ଘାଟିତ ହୋଇଛି। ଏହି କ୍ଲିନିକ୍ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ୍ୟ, ମଧୁମେହ, ରେଟିନା ରୋଗ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟିଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ ସହାୟକ ହେବ। ଏହି ଦୃଷ୍ଟିବାଧିତ ରୋଗୀମାନେ ଅସ୍ତ୍ରୋପଚାର କିମ୍ବା ଅନ୍ୟାନ୍ୟ ଚିକିତ୍ସା ସେବାରୁ କୌଣସି ଲାଭ ପାଇପାରୁ ନଥିବାରୁ ସେମାନଙ୍କର ଜୀବନ ବିଶେଷ ପ୍ରଭାବିତ ହୋଇଥାଏ। ରାଜ୍ୟର ସରକାରୀ ଅନୁଷ୍ଠାନ ମଧ୍ୟରେ ଏମ୍‌ସରେ ଏହି କ୍ଲିନିକ୍‌ ପ୍ରଥମ ଥର ପାଇଁ ଖୋଲାଯାଇଛି।

ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନୂଆଦିଲ୍ଲୀ ଏବଂ ଜର୍ମାନୀର କ୍ରିଷ୍ଟୋଫେଲ୍ ବ୍ଲିଣ୍ଡେନ୍ ମିସନ୍ (ସିବିଏମ୍)ର ସହଯୋଗରେ ସ୍ଥାପିତ ଏହି କ୍ଲିନିକ୍‌ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ରୋଗୀଙ୍କ ପାଇଁ କାର୍ଯ୍ୟ କରିବ। ଏମ୍‌ସ ଭୁବନେଶ୍ବର ଚକ୍ଷୁ ବିଭାଗରେ ଦୈନିକ କାର୍ଯ୍ୟକ୍ଷମ ଏହି କ୍ଲିନିକ୍‌ ଆବଶ୍ୟକ କରୁଥିବା ଲୋକଙ୍କୁ ଦୃଷ୍ଟିଶକ୍ତି ପୁନର୍ବାସ ସେବା ପ୍ରଦାନ କରିବାରେ ସହାୟକ ହେବ। ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଏମ୍‌ସ ନୂଆଦିଲ୍ଲୀକୁ ‘ରୋଶ୍‌ନି’ ପ୍ରକଳ୍ପ ଅଧୀନରେ ସହାୟତା ପାଇଁ ଧନ୍ୟବାଦ ଦେଇଥିଲେ। ଶ୍ରୀ ବିଶ୍ବାସ ଆଶାକର୍ମୀ ଏବଂ ସ୍ବେଚ୍ଛାସେବୀମାନଙ୍କୁ ଚକ୍ଷୁ ଯତ୍ନ ସମ୍ବନ୍ଧୀୟ ଜ୍ଞାନ ଆହରଣ ନିମନ୍ତେ ପ୍ରସ୍ତୁତ ତାଲିମ ମାନୁଆଲକୁ ଉନ୍ମୋଚନ କରିଥିଲେ। ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗ ମୁଖ୍ୟ ଡା. ସୁଚେତା ପରିଜା ଏହି କ୍ଲିନିକ୍‌ର କାର୍ଯ୍ୟକ୍ଷମତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି କ୍ଲିନିକରୁ ବର୍ତ୍ତମାନ ସୁଦ୍ଧା ୭୫ରୁ ଅଧିକ ରୋଗୀ ଉପକୃତ ହୋଇସାରିଲେଣି।

ଆଗାମୀ ଦିନରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ପୁନର୍ବାସ ନିମନ୍ତେ ବିଭିନ୍ନ ଦୃଷ୍ଟିହୀନ ବିଦ୍ୟାଳୟଗୁଡ଼ିକ ସହିତ ବୁଝାମଣା କରାଯିବ। ସେହିପରି ତୃଣମୂଳସ୍ତରରେ ପ୍ରାଥମିକ ଚକ୍ଷୁ ଚିକିତ୍ସା ପ୍ରଦାନ ନିମନ୍ତେ ଆଶାକର୍ମୀଙ୍କୁ ତାଲିମ ପ୍ରଦାନ ନିମନ୍ତେ ମଧ୍ୟ ଯୋଜନା ରହିଥିବା ଡା. ପରିଜା ସୂଚନା ଦେଇଛନ୍ତି। ଏହି ଅବସରରେ ଆର୍‌ ପି ସେଣ୍ଟର୍‌, ଏମ୍‌ସ ନୂଆଦିଲ୍ଲୀର ଡା. ପ୍ରବୀଣ ବଶିଷ୍ଠ, ଏମ୍‌ସ ମେଡିକାଲ ଅଧୀକ୍ଷକ ଡା. ଦିଲ୍ଲୀପ କୁମାର ପରିଡ଼ା, ଡିନ୍‌ ଡା. ପ୍ରଶାନ୍ତ ରାଘବ ମହାପାତ୍ର, ସିଏମ୍‌ଏଫଏମ୍‌ ବିଭାଗ ମୁଖ୍ୟ ସୋନୁ ସୁବା, ଫିଜିଓଲୋଜି ବିଭାଗ ମୁଖ୍ୟ ପ୍ରଣତି ନନ୍ଦ, ପ୍ରଭାସ ରଂଜନ ତ୍ରିପାଠୀ, ମୁକୁନ୍ଦ ସାହୁ, ଭାଗବତ ନାୟକ, ପ୍ରିୟଦର୍ଶିନୀ ମିଶ୍ର, ସନ୍ଦୀପ ସାହୁ, ବୃତ୍ତେନ୍ଦୁ ମହାରଣା, ବିଜ୍ଞା ପଣ୍ଡା, ରେସିଡେଣ୍ଟ୍‌ ଡାକ୍ତର, ନର୍ସିଂ ଅଧିକାରୀ, କର୍ମଚାରୀ ଏବଂ ସ୍ୱଳ୍ପ ଦୃଷ୍ଟିଶକ୍ତି ରୋଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର