ଲୟଲା ସ୍କୁଲରେ ଜୁନିଅର ପ୍ୟାରେଣ୍ଟସ୍‌ ନାଇଟ୍‌

ଚନ୍ଦ୍ରଶେଖରପୁର: ମଞ୍ଚରେ ଝଟକୁଥିଲା ଆଲୋକ। ରଙ୍ଗିନ ଆଲୋକମାଳା ଭିତରେ ସଚେତନତା ଧର୍ମୀ ବାର୍ତ୍ତା ବାଣ୍ଟୁଥିଲେ ଛାତ୍ରଛାତ୍ରୀ। ଏଲ୍‌କେଜିରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଭିନ୍ନ ଭିନ୍ନ ଥିମ୍‌ରେ କରୁଥିଲେ ଆକର୍ଷଣୀୟ ନୃତ୍ୟ। କିଏ ପ୍ରକୃତି ଓ ପରିବେଶର ସୁରକ୍ଷା କଥା କହୁଥିଲେ ତ ଆଉ କିଏ ସାମାଜିକ-ସାଂସ୍କୃତିକ ବାର୍ତ୍ତା ଦେଉଥିଲେ। ଆଜି ଏଭଳି ଏକ ପରିବେଶ ସୃଷ୍ଟି ହୋଇଥିଲା ‌ଲୟଲା ସ୍କୁଲ ପରିସରରେ। ଅବସର ଥିଲା ସ୍କୁଲ ପକ୍ଷରୁ ଆୟୋଜିତ ଜୁନିଅର ପ୍ୟାରେଣ୍ଟସ୍‌ ନାଇଟ୍‌-୨୦୧୮। ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ସାଜିଥିଲା କୁନି ପିଲାଙ୍କ ନୃତ୍ୟ। ପିଙ୍କ୍‌ ଓ ବ୍ଲୁ ଡ୍ରେସ୍‌ ପିନ୍ଧି ସେମାନେ ଭିନ୍ନ ଏକ ସଚେତନତା ବାର୍ତ୍ତା ଦେଇଥିଲେ। ୩ୟ ଓ ୪ର୍ଥ ଶ୍ରେଣୀର ଛାତ୍ରଛାତ୍ରୀ ମଞ୍ଚରେ ସେମାନଙ୍କ ଦକ୍ଷତା ଦେଖାଇଥିଲେ। ଭିନ୍ନ ଶୈଳୀରେ ସାମାଜିକ-ସାଂସ୍କୃତିକ ଓ ସାମାଜିକ-ଅର୍ଥନୀତିର ବାର୍ତ୍ତା ଦେଇ ନୃତ୍ୟ ପରିବେଷଣ କରିଥିଲେ। ୫ମ ଶ୍ରେଣୀର ପିଲାମାନେ ନୃତ୍ୟ ମାଧ୍ୟମରେ ଦିବ୍ୟାଙ୍ଗ ହେଲେ ମଧ୍ୟ ଦକ୍ଷ ବୋଲି ବାର୍ତ୍ତା ଦେଇଥିଲେ। ସନ୍ଧ୍ୟା‌ରେ ଅତିଥି ଭାବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ହକି ତାରକା ଦିଲ୍ଲୀପ ତିର୍କି ପ୍ରମୁଖ ଯୋଗ ଦେଇଥିଲେ। ଜାଭିଅର ବିଶ୍ବବିଦ୍ୟାଳୟର କୁଳସଚିବ ଫାଦର ଅଗଷ୍ଟିନ୍‌ ଇ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଛାତ୍ରଛାତ୍ରୀମାନେ ନିଜ ଦକ୍ଷତାକୁ ପ୍ରଦର୍ଶନ କରିଛନ୍ତି। ଏ କ୍ଷେତ୍ରରେ ଅଭିଭାବକମାନେ ପିଲାଙ୍କୁ ଉତ୍ସାହିତ କରିବା ଆବଶ୍ୟକ। ଶେଷରେ ‌ଲୟଲାର କ୍ୟାଡେଟ୍‌ମାନେ ‌ଆକର୍ଷଣୀୟ ସୋ’ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର