ଚନ୍ଦ୍ରଶେଖରପୁର: ଅସହାୟ ମହିଳାଙ୍କ ନିକଟରେ ସେମାନେ ଛିଡ଼ା ହୁଅନ୍ତି। ନିର୍ଯାତିତ ନାରୀଙ୍କୁ ସହାୟତାର ହାତ ବଢ଼ାନ୍ତି। ନ୍ୟାୟ ଲଢ଼େଇରେ ଥାନାକୁ ଦୌଡ଼ି ଯାଆନ୍ତି। ରୋଗ ଶଯ୍ୟାରେ ପଡ଼ିଥିବା ମହିଳାଙ୍କ ପାଖରେ ବିନା ଦ୍ବିଧାରେ ପହଞ୍ଚି ଯାଆନ୍ତି। କେବଳ ମହିଳା କି ଯୁବତୀଙ୍କ ପାଇଁ ନୁହନ୍ତି, ବରଂ ସାମାଜିକ କାର୍ଯ୍ୟରେ ମଧ୍ୟ ସେମାନେ ନିଜକୁ ନିୟୋଜିତ କରିଛନ୍ତି। ରକ୍ତଦାନ, ବୃକ୍ଷରୋପଣ, ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଠପଢ଼ା, ବରିଷ୍ଠ ନାଗରିକଙ୍କୁ ସହାୟତାର ହାତ ବଢ଼ାଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ। ୨୦୧୪ ମସିହା ମାର୍ଚ୍ଚ ୮ରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଅଳ୍ପ କିଛି ଜଣଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଲେଡି ପ୍ରୋଟେକ୍ଟ(ଏଲ୍‌ପି) ଟିମ୍‌ରେ ଆଜି ଶତାଧିକ ମହିଳା ସାମିଲ ହୋଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Advertisment

ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୩୫୦ରୁ ଅଧିକ ଅସହାୟ ମହିଳା ଓ ପୁରୁଷଙ୍କ ସେବାରେ ଏମାନେ କାର୍ଯ୍ୟ କରୁଛନ୍ତି। ସଙ୍ଗଠନ ସଦସ୍ୟମାନଙ୍କ କହିବାନୁଯାୟୀ ରାସ୍ତାପାର୍ଶ୍ବରେ ହଇରାଣ ହେଉଥିବା ଝିଅଙ୍କ ସୁରକ୍ଷାରୁ ଅଭିଯାନ ଆରମ୍ଭ ହୋଇଥିଲା। ଯେଉଁଠି ଝିଅମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ଆମେ ସେମାନଙ୍କ ନିକଟରେ ପହଞ୍ଚି ଯାଉଥିଲୁ। ହଇରାଣ କରୁଥିବା ପୁଅମାନଙ୍କୁ ଖୋଜି ବାହାର କରିବା ସହ ପୁଲିସ ଜିମା ଦେଉଥିଲୁ। କେ‌ତେକ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି। ଆର୍ଥିକ ଦୁର୍ବଳ ଶ୍ରେଣୀର ମହିଳା କିମ୍ବା ପୁରୁଷଙ୍କ ସହାୟତା ପାଇଁ ନିଜ ପକେଟ ଖର୍ଚ୍ଚରୁ ସଞ୍ଚୟ କରି ସାହାଯ୍ୟ କରୁଥିଲୁ। ବିଭିନ୍ନ ଜାଗାରେ ହେଉଥିବା ଘରୋଇ ହିଂସାର ସମାଧାନ ସହ ପତିପତ୍ନୀଙ୍କ ତିକ୍ତ ସମ୍ପର୍କ ଯୋଡ଼ିବାରେ ପ୍ରମୁଖ ଭୂମିକା ନେଇଥିଲୁ। ଏବେ ବି ସେଭଳି କାର୍ଯ୍ୟ ଜାରି ରହିଛି।

ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଭୁବନେଶ୍ବରର କୌଣସି ହସ୍ପିଟାଲରେ ରକ୍ତ ଆବଶ୍ୟକ ବେଳେ ଏଲ୍‌ପି ଟିମ୍‌ ଯଥାସମ୍ଭବ ଚେଷ୍ଟା କରି ରକ୍ତ ଦେବାରେ ସଫଳ ହୋଇଛି। ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ ମଧ୍ୟ ହୋଇଛି। ବୃକ୍ଷରୋପଣ କ୍ଷେତ୍ରରେ ବେଶ୍‌ ପ୍ରଶଂସା ସାଉଁଟିଛି। ୧୦ ବର୍ଷ ମଧ୍ୟରେ ୫ ହଜାରରୁ ଅଧିକ ଗଛ ଲଗାଇବା ସହ ସଦସ୍ୟମାନେ ତାହାର ଯତ୍ନ ମଧ୍ୟ ନେଉଛନ୍ତି। ନୀଳାଦ୍ରିବିହାରରେ ରହୁଥିବା ଜଣେ ଝିଅ ପାଠପଢ଼ାରେ ଅସୁବିଧା ହେଉଥିବା ବେଳେ ଟିମ୍‌ର ସଦସ୍ୟମାନେ ଉପଜିଲ୍ଲାପାଳଙ୍କୁ ଏସମ୍ପର୍କରେ ଜଣାଇଥିଲେ। ଏବେ ସେହି ଝିଅ ରାଜ୍ୟ ସରକାରୀ ସହାୟତାରେ ମଞ୍ଜରୀ ଦେବୀ ନର୍ସିଂ କଲେଜରେ ପଢ଼ୁଛନ୍ତି। କିଛି ମାସ ପୂର୍ବେ ଚନ୍ଦ୍ରଶେଖରପୁରରେ ମୋ ବସ୍ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଝିଅକୁ ନ୍ୟାୟ ଦାବିରେ ସଙ୍ଗଠନର ସଦସ୍ୟମାନେ ଚିକିତ୍ସା ସହାୟତା ପାଇଁ ହାତ ବଢ଼ାଇଛନ୍ତି। ପ୍ରୀତିନନ୍ଦା ଖିଲାର, ଭବାନୀ ମହାଲି, ଅନିତା ଉତ୍ତରାୟ, ପୁଷ୍ପାଞ୍ଜଳି ପାଣି, ଅନିତା ପ୍ରଧାନ, ବନିତା ମଲ୍ଲିକ, ତିଳୋତ୍ତମା ପାତ୍ର, ପ୍ରମିଳା ପ୍ରଧାନ, ଲକ୍ଷ୍ମୀପ୍ରିୟା ସୁନ୍ଦରାୟ, କୌଶଲ୍ୟା ବେହେରା, ରଶ୍ମିତା ମହାନ୍ତି, ନମସ୍ୟ ମିଶ୍ର, ମାନସୀ ଶତପଥୀ, ଚିନ୍ମୟୀ ଦାସ, ଜ୍ୟୋସ୍ନା ରାଉତ, ପ୍ରଭାସିନୀ ସାହୁ ପ୍ରମୁଖ ଟିମ୍‌ର କର୍ଣ୍ଣଧାର ସାଜିଛନ୍ତି।