ଏଲ୍‌ପିଜି ଟାଙ୍କି ବିସ୍ଫୋରଣ : ୧୫ ମିନିଟ୍‌ ଯାଏ ଆଖପାଖ ଅଞ୍ଚଳରେ ଧୂଳି, ‌ପଥର ବର୍ଷ‌ା ହୋଇଥିଲା

ଭୁବନେଶ୍ୱର : ଏଲ୍‌ପିଜି ଟାଙ୍କି ବିସ୍ଫୋରଣରେ ଦୋହଲି ଯାଇଥିଲା ରାଜଧାନୀ। ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ, ଗଙ୍ଗନଗର ଓ ଆଇଭିଆର୍‌ କଲୋନି ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ଥରୁଥିଲେ। ବିସ୍ଫୋରଣ ‌ଯୋଗୁଁ ସମ୍ପୃକ୍ତ ସ୍ଥାନରୁ ଧୂଳି ଓ ପଥର ଦେଢ଼ କିଲୋମିଟର ଯାଏ ଛିଟିକି ପଡ଼ୁଥିବା ଦେଖିବାକୁ ମିଳିଥିଲା। ୧୫ ମିନିଟ୍‌ ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳରେ ପଥର ଓ ଧୂଳି ବର୍ଷା ହୋଇଥିଲା। ପଥର ମାଡ଼ ହେବା ଯୋଗୁଁ ଘର ବାହାରେ ଥିବା କିଛି କାର୍‌ର କାଚ ଭାଙ୍ଗି ଯାଇଥିବା ବେଳେ କେତେକ ଘରର କାଚ ଝରକା ଭାଙ୍ଗିରୁଜି ଯାଇଥିଲା ବୋଲି କହିଛନ୍ତି ପ୍ରଫୁଲ୍ଲ ପ୍ରଧାନ। ଧୂଳି ଝଡ଼ ସ୍ଥାନୀୟ ଅଞ୍ଚଳରେ ବର୍ଷାର ଭ୍ରମ ସୃ‌ଷ୍ଟି କରିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ଏଭଳି ଅସ୍ବାଭାବିକ ଚିତ୍ର ଦେଖି ବାସିନ୍ଦାମାନେ ଆତଙ୍କିତ ହୋଇଯାଇଥିଲେ।

ଆଉ ଗୋଟେ ଫାଟିବ, ପଳେଇ ଚାଲ..
ନିଆଁ ଏତେ ଉଚ୍ଚକୁ ଉଠୁଥିଲା ଯେ ଲାଗୁଥିଲା ସମଗ୍ର ଅଞ୍ଚଳ ଜଳି ଧୂଳିସାତ ହୋଇଯିବ। ଏଭଳି ସ୍ଥଳେ ‌ବିସ୍ଫୋରଣ ସ୍ଥାନକୁ ଲାଗି ପେଟ୍ରୋଲ୍‌ ଟାଙ୍କି ରହିଥିବାରୁ ଆଶଙ୍କା ଆହୁରି ବଢ଼ିଗଲା। ନିଆଁ ବ୍ୟାପୀ ଯଦି ପେଟ୍ରୋଲ୍‌ ଟାଙ୍କି ଆଡ଼କୁ ମାଡ଼ି ଆସେ ତେବେ ଏହା ସମଗ୍ର ଅଞ୍ଚଳକୁ ମାଟିରେ ମିଶାଇ ଦେବ ବୋଲି କହି କିଛି ଲୋକ ଦୌଡ଼ିବାକୁ ଲାଗିଲେ। ସ୍ଥାନୀୟ ବାସିନ୍ଦା ଲୋକଙ୍କ ଦୌଡ଼ାଦୌଡ଼ି ଦେଖି ପିଲା ଛୁଆ ଧରି ସେ ସ୍ଥାନରୁ ଗଙ୍ଗନଗର ମୁଖ୍ୟ ରାସ୍ତାଆଡ଼କୁ ଦୌଡ଼ିବାକୁ ଲା‌ଗିଲେ। କିଛି ଲୋକ ଦୌଡ଼ିବା ବେଳେ ପଡ଼ି ଯାଇ ଖଣ୍ଡିଆ ଖାବରା ହୋଇଥିଲେ। ଆଉ କିଛି ବ୍ୟକ୍ତି ହୋଟେଲ୍‌ ଓ ଅନ୍ୟ ଦୋକାନ ଛାଡ଼ି ଦୌଡ଼ିଲେ। କିଛି ବ୍ୟକ୍ତି କହିଥିଲେ, ଏଲ୍‌ପିଜି ଟାଙ୍କି ପାଖରେ ଆଉ ଗୋଟେ ଟାଙ୍କି ଫାଟିବ। ଏହା ଶୁଣିବା ପରେ ଅନେକ ପଡ଼ି ଉଠି ଦୌଡ଼ିଥିଲେ।

ଫୁଟ୍‌ପାଥ ବେପାର ଛିନ୍‌ଛତ୍ର
ପେଟ୍ରୋଲ୍‌ ଟାଙ୍କି ସମ୍ମୁଖ ଫୁଟ୍‌ପାଥ୍‌ ଉପରେ ଜଣେ ବ୍ୟକ୍ତି ପ୍ଲାଷ୍ଟିକ୍‌ ଜିନିଷର ପସରା ମେଲାଇଥିଲେ। ସବୁଦିନ ଭଳି ଆଜି ବି ସେ ବସିଥିଲେ। ମାତ୍ର ଏଲ୍‌ପିଜି ଟାଙ୍କିର ବିସ୍ଫୋରଣରେ ତାଙ୍କ ଜିନିଷ ବହୁ ଦୂରକୁ ଛିଟିକି ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ପରେ ସେ ସେଠାରୁ ଦୌଡ଼ି ପଳାଇଥିଲେ। ମାତ୍ର ପରେ ବହୁ ଦୂର ପର୍ଯ୍ୟନ୍ତ ବାଟକୁ ପୁଲିସ୍‌ ସିଲ୍‌ କରିଦେବାରୁ ସମ୍ପୃକ୍ତ ବ୍ୟବସାୟୀ ସେଠାକୁ ଆସିପାରିନଥିଲେ। କିଛି ବ୍ୟକ୍ତି ଭୟ ପାଇ କାନ୍ଦୁଥିବା ବେଳେ ଆଉ କିଛି ବ୍ୟକ୍ତି ଛିନ୍‌ଛତ୍ର ହୋଇଯାଇଥିବା ବେଉସାକୁ ନେଇ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଆଖପାଖରେ ବିଭିନ୍ନ ବ୍ୟବସାୟର ପସରା ଖୋଲିଥିବା ବ୍ୟକ୍ତିବିଶେଷ ସବୁକିଛି ଛାଡ଼ି ଚାଲି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପୃକ୍ତ ସ୍ଥାନକୁ ସିଲ୍‌ କରି ରଖିଥିଲା।

ସାବାସ୍‌ ଅଗ୍ନିଶମ, ପୁଲିସ ବାହିନୀ
ଏଲ୍‌ପିଜି ଟାଙ୍କି ନିଆଁ ଶହେ ଫୁଟକୁ ଉଠୁଥିବା ବ‌େଳେ ପାଖରେ ପେଟ୍ରୋଲ୍‌ ଟାଙ୍କିକୁ ଏହା ବ୍ୟାପିବାର ଆଶଙ୍କା ଥିଲା। ଏହାବାଦ୍‌ ଆଉ ଏକ ଟାଙ୍କି ଫାଟିଯିବାର ବିପଦ ଥିଲା। ତେବେ ବି ଅଗ୍ନିଶମ ବାହିନୀ ବିନା ଦ୍ବିଧାରେ ସମସ୍ତ ବିପଦକୁ ସାମ୍ନା କରି ନିଆଁ ଲିଭାଇବାକୁ ପ୍ରାଣପଣେ ଲାଗି ପଡ଼ିଥିଲେ। ଏହା ବ୍ୟତୀତ ପୁଲିସ୍‌ ବାହିନୀ ନିୟୋଜିତ ହୋଇ ଲୋକଙ୍କୁ ସେ ସ୍ଥାନରୁ ଘଉଡ଼ାଇ ଦେଇଥିଲେ। ଲୋକେ ଭୟରେ ଦୌଡ଼ି ଦୂରସ୍ଥାନକୁ ଚାଲି ଯାଉଥିଲେ ହେଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ଏତେ ବଡ଼ ବିପଦକୁ ଟାଳି ଦେବାକୁ ଉଦ୍ୟମ ଜାରି ରଖିଥିବାରୁ ଲୋକେ ସେମାନଙ୍କୁ ସାବାସୀ ଦେଉଥିଲେ।

ସମ୍ବନ୍ଧିତ ଖବର