ଭୁବନେଶ୍ୱର: ବିଏମ୍‌ସିରେ ଆଜି ବସିଥିବା ମାସିକ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଛି। ଭୂମି ଅଧିକାର ପ୍ରମାଣପତ୍ର(ଏଲ୍‌ଆରସି)କୁ ନକଲି କାଗଜ କହି ବିରୋଧୀ କର୍ପୋରେଟର ଦୀର୍ଘ ୧ ଘଣ୍ଟା ମେୟର ଓ କମିସନରଙ୍କୁ ଘେରିଥିଲେ। ଡିଡିଏନ୍‌(ଡିଜିଟାଲ୍‌ ଡୁଅର୍‌ ନମ୍ବରିଂ) ଓ ଅନ୍ୟ ଏକାଧିକ ପ୍ରସଙ୍ଗରେ ମଧ୍ୟ ଘୋର ବିରୋଧ ଓ ଉଦ୍‌ବେଗ ପ୍ରକାଶ ପାଇଛି। ଘରର ଠିକଣା ସହ ହୋଲ୍ଡିଂ ଟ୍ୟାକ୍ସ ଠାରୁ ଆରମ୍ଭ କରି ପ୍ରତ୍ୟେକ ଘରକୁ ବିଭିନ୍ନ ସେବା ଯୋଗାଇବା ଓ ରାଜସ୍ବ ଆଦାୟ କ୍ଷେତ୍ରରେ ଏକ ସ୍ପଷ୍ଟଚିତ୍ର ପାଇବା ପାଇଁ ବିଏମ୍‌ସି ଡିଡିଏନ୍‌ (ଡିଜିଟାଲ ଡୋର ନମ୍ବରିଂ) ସିଷ୍ଟମ୍‌ ୨୦୧୯ ମସିହାରେ ଆରମ୍ଭ କରିଥିଲା। ଘରୋଇ ସଂସ୍ଥା ନବଯୁଗ ସ୍ପେସିଆଲ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୨୧ ମସିହାରେ ସର୍ଭେ ଶେଷ କରିବାକୁ ଧାର୍ଯ୍ୟ କରାଯାଇଥିଲା। ଇତି ମଧ୍ୟରେ ୩ ବର୍ଷ ବିତି ଯାଇଥିବା ବେଳେ ବିଏମ୍‌ସି ୩ କୋଟି ଖର୍ଚ୍ଚ କରିସାରିଲାଣି। ହେଲେ ଏହା ସରୁନାହିଁ କି କାମରେ ଆସୁନି। ସମ୍ପୃକ୍ତ ସଂସ୍ଥା ୨ ଲକ୍ଷ ୧୨ ହଜାର ୧୨୯ଟି ଘର ଚିହ୍ନଟ କରିଥିବା ବେଳେ ୬୦ ହଜାର ଘରେ ନମ୍ବର ପ୍ଲେଟ୍‌ ଲାଗିଛି। ସେଥିରୁ ୫୦ ପ୍ରତିଶତ ଘରେ ଏହି ନମ୍ବର ପ୍ଲେଟ୍‌ ନାହିଁ। ସେହି ସଂସ୍ଥାକୁ ପୁଣି ଥରେ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଦାୟିତ୍ବ ଦିଆଯାଇଛି।

Advertisment

୪କୋଟି ବ୍ୟୟରେ ହେବ ସଲିଡ୍‌ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ ଏକାଡେମି
ଧାରଣାରେ ବସି କକ୍ଷତ୍ୟାଗ କଲେ କର୍ପୋରେଟର
ଟିଟିଏସ୍‌ରେ ଆଖିବୁଜା ଖର୍ଚ୍ଚକୁ ବିରୋଧ ଡିଡିଏନ୍‌ କାହା ପାଇଁ?

ଏଭଳି ବିଫଳ ପ୍ରକଳ୍ପରେ କାହିଁକି ଏତେ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି କର୍ପୋରେଟର ନୃପେଶ ନାୟକ ପ୍ରଶ୍ନ କରିଥିଲେ। ସମ୍ପୃକ୍ତ ସଂସ୍ଥାର ଅବଧିକୁ ବାରମ୍ବାର ବୃଦ୍ଧି କରାଯାଇ କୋଟି କୋଟି ଟଙ୍କା ହରିଲୁଟ୍‌ ହେଉଛି ବୋଲି ଅଭିଯୋଗ ହୋଇଛି। ଠିକ୍‌ ସେହିଭଳି ସହର ଭିତରେ ଥିବା ନଳା ଓ ରାସ୍ତାକୁ ଜିଆଇଏସ୍‌ ଆଧାରରେ ମ୍ୟାପିଂ କରିବାକୁ ବିଏମ୍‌ସି ପ୍ରସ୍ତାବ ଦେଇଛି। ଏଥିରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ। ଏଭଳି ପ୍ରସ୍ତାବ ବିଏମ୍‌ସି ଦେବା ପରେ ପ୍ରବଳ ବିରୋଧ ହୋଇଥିଲା। ଏଣୁ ଏହା ଉପରେ ପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା। ଅନ୍ୟପଟେ ଟିଟିଏସ୍‌ରେ ଆବର୍ଜନା ପରିଚାଳନାକୁ ନେଇ ଆଖିବୁଜା ଖର୍ଚ୍ଚ ହେଉଥିବାରୁ ଏହାକୁ ମଧ୍ୟ ବିରୋଧ ହୋଇଥିଲା। ଡାଲ୍‌ମିଆ ସିମେଣ୍ଟକୁ ଏଠାରୁ ଯାଉଥିବା ଆରଡିଏଫ୍‌(ରିଫ୍ୟୁଜ୍‌ଡ୍‌ ଡିରାଇଭ୍‌ଡ୍‌ ଫୁଏଲ୍‌) ପୁନଃପ୍ରକ୍ରିୟାକରଣ ପାଇଁ ୬.୫କୋଟି ଟଙ୍କା ବିଏମ୍‌ସି ଦେବ। ଆରଡିଏଫ୍‌ରେ ଗୁଡ୍‌ଆର୍ଥ ଅଧିକ ଥିବାରୁ ଏହାର ପ୍ରକ୍ରିୟାକରଣ ପାଇଁ ବିଏମ୍‌ସି ଡାଲ୍‌ମିଆଁ ସିମେଣ୍ଟକୁ ମାସିକ ୩ ଲକ୍ଷ ଟଙ୍କା ଦେବ। ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲେ ମଧ୍ୟ ବିଏମ୍‌ସି ଏହାକୁ ସର୍ବସମ୍ମତିକ୍ରମେ ପାରିତ କରିଛି। ସେହିଭଳି ପୋଖରିପୁଟ୍‌ ୱେଲ୍ଥ ସେଣ୍ଟରରେ ସଲିଡ୍‌ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ ଏକାଡେମି ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଆଗତ ହୋଇଛି। ଏଥିରେ ୩.୯୮କୋଟି ଖର୍ଚ୍ଚ ହେବ।

ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର (ଏଲଆରସି) କେବଳ ନିର୍ବାଚନୀ ପ୍ରଲୋଭନ ବୋଲି ବିଜେପିର କିଛି କର୍ପୋରେଟର ଅଭିଯୋଗ କରି ବୈଠକରେ ହୋହଲ୍ଲା କରିଥିଲେ। ରାମଚନ୍ଦ୍ର ରଣସିଂ, ଅପରୂପ ରାଉତ ପ୍ରମୁଖଙ୍କ ସମେତ ୯ ଜଣ କର୍ପୋରେଟର ପୋଡିୟମ ସାମ୍ନାରେ ବସି ରହିବାରୁ ସଭାକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେମାନେ ଅଭିଯୋଗ କରିଥିଲେ, ପ୍ରଥମେ କୌଣସି ରାଜସ୍ବ ବିଭାଗ ଅଧିକାରୀଙ୍କ ଦସ୍ତଖତ ବିନା ଏହି କାଗଜ ଦିଆଯାଉଥିଲା। ବିରୋଧ ହେବା ପରେ ତହସିଲଦାରଙ୍କ ଦସ୍ତଖତ ରହୁଛି। ନିକଟ ଅତୀତରେ କେତେକ ବାସିନ୍ଦା ଏହି କାଗଜକୁ ନେଇ ବ୍ୟାଙ୍କକୁ ଋଣ ପାଇଁ ଯାଇଥିଲେ। କିନ୍ତୁ ବ୍ୟାଙ୍କ ଏହାକୁ ବନ୍ଧକ ରଖି ଋଣ ଦେବାକୁ ମନା କରି ଦେବାରୁ ସେମାନଙ୍କର ଏହି କାଗଜ ଉପରେ ସନ୍ଦେହ ହୋଇଥିଲା। କମିସନର ଯାହାକୁ ପଟ୍ଟା ବୋଲି କହୁଛନ୍ତି ଏହା ଏକ ନକଲି କାଗଜ ଓ ନିର୍ବାଚନୀ ଥୋପ ବୋଲି ସେମାନେ ଅଭିଯୋଗ କରିଥିଲେ। ତେବେ ସ୍ବତନ୍ତ୍ର ଟିମ୍‌ ଜରିଆରେ ଏହି ଏଲ୍‌ଆରସିକୁ ନେଇ ରହିଥିବା ଅଭିଯୋଗର ସମାଧାନ କରାଯାଉଥିବା ମେୟର ସୁଲୋଚନା ଦାସ ବୁଝାଇବା ପରେ ସେମାନେ ଧାରଣାରୁ ଉଠିଥିଲେ, କିନ୍ତୁ କକ୍ଷତ୍ୟାଗ କରିଥିଲେ।
ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିବା ବେଳେ କର୍ପୋରେଟରମାନେ ଉପସ୍ଥିତ ଥିଲେ।