ପୂରା ହଟିନପାରେ ଲକ୍‌ଡାଉନ୍‌, ଜିଲ୍ଲାୱାରୀ ସଂକ୍ରମଣ ସ୍ଥିତି

ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ନିୟମ କଡ଼ାକଡ଼ି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ହାତ ୫ ପ୍ରତିଶତ ତଳେ ରହିଛି। କିନ୍ତୁ କିଛି ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାର ରହିଛି। ତେଣୁ ଏହି ଜିଲ୍ଲାଗୁଡ଼ିକ ଉପରେ ଏବେ ସରକାରଙ୍କ ଫୋକସ୍ ରହିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେବା ସହ ଏଠାରେ କୋଭିଡ୍ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହା ସହିତ ଘରକୁ ଘର ବୁଲି ଚାଲିଥିବା ସର୍ଭେ କାର୍ଯ୍ୟକ୍ରମ ଦ୍ବାରା କୋଭିଡ ତଥା ଅନ୍ୟନ୍ୟ ରୋଗୀ ମାନଙ୍କର ଚିହ୍ନଟ ଏବଂ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇ ପାରୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହାକୁ ଆହୁରି ଗୁରୁତର ସହ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ କୋଭିଡ୍‌ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସମୀକ୍ଷା କରିଥିଲେ। ତୃତୀୟ ଲହରରେ ପ୍ରସ୍ତୁତି ସ୍ବରୂପ ଶିଶୁ ରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ତଥା ଡାକ୍ତରମାନଙ୍କର ଏ ସମ୍ପର୍କିତ ତାଲିମକୁ ପ୍ରାଥମିକତା ଦେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ। ସେହିପରି ବିଭିନ୍ନ ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଣ୍ଟ ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ଷମ ହୋଇପାରିବ, ତାହା ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ଶୀଘ୍ର ଟିକାକରଣ ଆଗାମୀ କିଛି ମାସ ପାଇଁ ଆମର ମୁଖ୍ୟ ଫୋକସ୍ ହୋଇ ରହିବ। ବର୍ତ୍ତମାନ ଆମେ ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦେଉଛୁ। ଟିକା କେନ୍ଦ୍ରଗୁଡ଼ିକରେ ବିଭିନ୍ନ ସୁବିଧାର ବିକାଶ ପାଇଁ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। କୋଭିଡ ନିୟମ ସମ୍ପର୍କରେ ଲୋକଙ୍କୁ ବାରମ୍ବାର ସଚେତନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଭିଡ଼କୁ ନ ଯିବା ଆଦି କୋଭିଡ ନିୟମକୁ କଡ଼ିକଡ଼ି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

ଘରକୁ ଘର ସର୍ଭେକୁ ଆହୁରି ତ୍ବରାନ୍ବିତ କରାଯିବ
ଫୋକସ୍‌ରେ ଅବିଭକ୍ତ ପୁରୀ, କଟକ, ବାଲେଶ୍ବର,ମୟୂରଭଞ୍ଜ

ସମୀକ୍ଷାରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଞ୍ଚଳର ୧୭ଟି ଜିଲ୍ଲାରେ ଆଂଶିକ ଅନଲକ୍ ପରେ ମଧ୍ୟ କୋଭିଡ କେସରେ କୌଣସି ବୃଦ୍ଧି ହୋଇନାହିଁ। କିନ୍ତୁ ଉପକୂଳ ଓ ଉତ୍ତର ଓଡ଼ିଶାର ଅବିଭକ୍ତ ପୁରୀ, କଟକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି. କେ. ମହାପାତ୍ର କହିଥିଲେ ଯେ ଗଞ୍ଜାମ ଓ ଝାରସୁଗୁଡ଼ା ଜିଲ୍ଲାରେ ସଂକ୍ରମଣ ହାର ଏକ ପ୍ରତିଶତରୁ ତଳେ ଥିବା ବେଳେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୯-୧୫ ପ୍ରତିଶତ ରହୁଥିବାରୁ ଏହା ଉପରେ ଅଧିକ ଫୋକସ କରାଯାଇଛି। ଲକଡାଉନ କଡ଼ାକଡ଼ି ସହିତ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍, ଟେଷ୍ଟିଂ ଆଦି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଜୁଲାଇ ୧୫ ବେଳକୁ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର