ଲକ୍‌ଡାଉନ୍‌କୁ ମାସେ, ରାଜଧାନୀରେ କମିଛି ଅପରାଧ: ୨୨ ଥାନାରେ ୧୩୫ ଅଭିଯୋଗ

୫୦ ଲକ୍‌ଡାଉନ୍‌ ଉଲ୍ଲଙ୍ଘନ ଅଭିଯୋଗ, ୧୭ ଚୋରି, ୨୦ ଘରୋଇ ହିଂସା ଓ ୩୪ ନିଶା ବେପାର ମାମଲା

ଭୁବନେଶ୍ବର: ଲକ୍‌ଡାଉନ୍‌କୁ ମାସେ ପୂରିଛି। ରାଜଧାନୀରେ ଏହା ସଫଳ ହୋଇଛି। ଏହାର ସଫଳତା ପଛରେ କମିସନରେଟ୍‌ ପୁଲିସର ବଡ଼ ଭୂମିକା ରହିଛି। କୋଭିଡ୍‌-୧୯ ମୁକାବିଲା ବେଳେ ଗୋଟିଏ ଦୁଇଟି ଛୋଟବଡ଼ ଅପରାଧକୁ ଛାଡ଼ିଦେଲେ, ରାଜଧାନୀରେ ଅପରାଧ ସଂଖ୍ୟା କମି ଯାଇଛି। ତାଲାବନ୍ଦ ସଫଳ ହୋଇଥିବାରୁ ଅପରାଧୀମାନେ ମଧ୍ୟ ଘରୁ ବାହାରିବା ସମ୍ଭବ ହୋଇନାହିଁ।

ଅନ୍ୟପଟେ ତାଲାବନ୍ଦ ବେଳେ ସମସ୍ତେ ଘରେ ରହୁଥିବାରୁ ଘରୋଇ ହିଂସା ବଢ଼ିବା ନେଇ ‌ଯେଉଁ ଆକଳନ କରାଯାଉଥିଲା, ତାହା ଘଟିନାହିଁ। ଯେତିକି ଅଭିଯୋଗ ଆସିଛି, ସେଗୁଡ଼ିକୁ ପୁଲିସ ଗୁରୁତ୍ବର ସହ ନେଇ ସମାଧାନ କରିଛି। ସମାଧାନ ପରେ ମାମଲା ଉପରେ ମଧ୍ୟ ପୁଲିସ ଲଗାତାର ନଜର ରଖିଛି। ଫଳରେ ଘରୋଇ ହିଂସା ମାମଲା କେଉଁଠି ହେଲେ ଉଗ୍ରରୂପ ନେଇନାହିଁ। ଏହି ମାସେ ଅବଧି ମଧ୍ୟରେ ରାଜଧାନୀର ୨୨ଟି ଥାନାକୁ ଆସିଛି ୧୩୫ ଅଭିଯୋଗ। ଯେଉଁଥିରେ ୫୦ଟି ଅଭିଯୋଗ ଲକଡାଉନ୍‌ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଥିବା ବେଳେ ୩୪ଟି ମଦ ତଥା ନିଶା ବେପାର ସଂକ୍ରାନ୍ତ ମାମଲା ରହିଛି। ସେହିପରି ୧୭ଟି ଚୋରି ଅଭିଯୋଗ ରହିଥିବା ବେଳେ ପାଖାପାଖି ୨୦ଟି ଘରୋଇ ହିଂସା ଅଭିଯୋଗ ରହିଛି। ତେବେ ସମସ୍ତ ଘରୋଇ ହିଂସା ମାମଲ‌ା ପୁଲିସ ହସ୍ତକ୍ଷେପ ପରେ ସମାଧାନ ହୋଇଛି। ଚୋରି ମାମଲା ମଧ୍ୟରେ ସହିଦନଗର ଥାନା ଟଙ୍କପାଣି ରୋଡ୍‌ର ସାଇ ବିହାରରେ ହୋଇଥିବା‌ ଚୋରି ସବୁଠାରୁ ବଡ଼ ଥିଲା। ଦୁର୍ବୃତ୍ତ କବାଟ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୫୦ ହଜାର ନଗଦ ଟଙ୍କା ନେଇ ଯାଇଥିଲେ। ଜଗତସିଂହପୁର ଚକ୍ରଧରପୁର ଗ୍ରାମର ଅଜିତ ପଟ୍ଟନାୟକ ଦେଢ଼ବର୍ଷ ହେବ ଏଠାରେ ଭଡ଼ା ଘରେ ରହୁଥିଲେ। ମାର୍ଚ୍ଚ ୨୩ ତାରିଖରେ ସେ ଘରକୁ ଯାଇଥିବା ବେଳେ ତାଲାବନ୍ଦ ଯୋଗୁଁ ସେ ଆଉ ଫେରି ପାରି ନ ଥିଲେ। ଗତ ୧୫ ତାରିଖ ରାତିରେ ଚୋର କବାଟ ଭାଙ୍ଗି ସର୍ବସ୍ବ ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଚୋରର ସନ୍ଧାନ ପାଇ ପାରିନାହିଁ।

ସେହିଭଳି ମାର୍ଚ୍ଚ ୩୧ ତାରିଖରେ ଖଣ୍ଡଗିରି ଥାନା ଅଞ୍ଚଳରେ ଚୋରି ହୋଇଥିଲା। ଅପରାହ୍‌ଣ ୪ଟା ବେଳେ ଡୁମୁଡୁମା ହାଉସିଂ ବୋର୍ଡ କଲୋନିର ଦୀପକ ମହାପାତ୍ରଙ୍କ ଘରେ ପଶି ଦୁର୍ବୃତ୍ତମାନେ ଆଲମାରି ଭାଙ୍ଗି ୫୮ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ନେଇ ଯାଇଥିଲେ। ସେ ଦୁଇଟା ବେଳେ ଖାଇବା ପାଇଁ ବାହାରକୁ ଯାଇଥିଲେ। ଖାଇସାରି ୪ଟା ବେଳେ ଫେରିବା ପରେ ଘର କବାଟ ତଡ଼ା ଯିବା ସହ ଆଲମାରି ଭଙ୍ଗା ଯାଇଥିଲା। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଚୋରର ସନ୍ଧାନ ପାଇ ନାହିଁ। ଚୋର ଏଠାରେ ଏକ ବାଇକ୍‌ ଛାଡ଼ି ଯାଇଥିବା ନେଇ ଅଭିଯୋଗ ହୋଇଛି। ହେଲେ ବାଇକ୍‌ ଜରିଆରେ ପୁଲିସ ଚୋର ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ।
ଏହି ଦୁଇଟି ବଡ଼ ଘଟଣାକୁ ଛାଡ଼ିଦେଲେ ଏକମାସର ତାଲାବନ୍ଦ ଅବଧିରେ ଆଉ ବଡ଼ ଘଟଣା ଘଟିନାହିଁ। ଅନ୍ୟ ଦିନ ଅପେକ୍ଷା ଏହି ସମୟରେ ଅପରାଧ ପରିମାଣ ଢେର୍‌ କମ୍‌ ରହିଛି।

ସମ୍ବନ୍ଧିତ ଖବର