ଲକ୍‌ଡାଉନ୍‌ ଯାତନା: ଦୁର୍ଦ୍ଦିନରେ ଚା’, ପାନ ଦୋକାନୀ

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ରାଜଧାନୀର ଶହ ଶହ ଚା’, ପାନ ଦୋକାନୀଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛି। ବିଭିନ୍ନ ଛକରେ ଥିବା ଛୋଟ ଛୋଟ ବଜାରରେ ସ୍ବଳ୍ପ ପୁଞ୍ଜି ବିନିଯୋଗ କରି ଗୁଜୁରାଣ ମେଣ୍ଟାଉଥିବା ଏଭଳି ଦୋକାନୀମାନେ ଏବେ ଲକ୍‌ଡାଉନ୍‌ ପ୍ରତ୍ୟାହାରର ଦିନ ଗଣୁଛନ୍ତି। ଦେଢ଼ ମାସ ହେଲା ପଇସାଟିଏ ରୋଜଗାର କରିନଥିବା ଏହି ଅତି କ୍ଷୁଦ୍ର ବେପାରୀମାନେ ପୁଣି ଲକ୍‌ଡାଉନ୍‌ ଅବଧି ବଢ଼ିବା ଚିନ୍ତାରେ ଛଟପଟ ହେଉଛନ୍ତି। ରାଜଧାନୀରେ ଚା’ ଓ ପାନ ଦୋକାନ ଅତି କ୍ଷୁଦ୍ର ବ୍ୟବସାୟଭାବେ ଗଣା। କିନ୍ତୁ ଏହି ଦୋକାନଗୁଡ଼ିକର ଚାହିଦା ବେଶ୍ ଅଧିକ। ହାଟ ବଜାର ଓ ଶିଳ୍ପାଞ୍ଚଳରେ ଏହି ସବୁ ଦୋକାନର ଚାହିଦା ବେଶ୍ ଅଧିକ। ତେବେ ଏଭଳି ଦୋକାନରୁ ଜଣେ ବେପାରୀ ଅତି ବେଶିରେ ଦୈନିକ ୫ ଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି। ସେଥିରେ ସେମାନଙ୍କର ଘରଭଡ଼ା, ପରିବାର ଚଳଣି ଖର୍ଚ୍ଚ ଓ ଦୋକାନ ପୁଞ୍ଜି ବାବଦ କରଜ ଶୁଝିବା ପ୍ରସଙ୍ଗ ରହିଛି।

ମାତ୍ର ଏବେ ଲକ୍‌ଡାଉନ୍ ସେମାନଙ୍କ ଜୀବିକା ଉପରେ ପ୍ରହାର କରିଛି। ଦୋକାନ ବନ୍ଦ ରହିବାରୁ ପଇସାଟିଏ ରୋଜଗାର ନାହିଁ। ବରଂ ହାତରେ ଯାହା କିଛି ସ୍ବଳ୍ପ ସଞ୍ଚୟ ଥିଲା, ତାହା ସରିଯାଇଛି। ଏବେ ମାଗିଯାଚି ଚଳିବା ଅବସ୍ଥାରେ ସୋମନେ ବଡ଼ କଷ୍ଟରେ ଦିନ କାଟୁଛନ୍ତି। ସେଥିରେ ପୁଣି କରଜଦାତାଙ୍କ କଟୁ କଥା ଶୁଣିବାକୁ ମିଳୁଛି ଓ ଘର ମାଲିକଙ୍କଠାରୁ ଘର ଛାଡ଼ିବା ପାଇଁ ଧମକ ବି ମିଳୁଛି। ଭିଏସ୍‌ଏସନଗରରେ ଚା’ ଦୋକାନଟିଏ କରିଥିବା ରାଜେନ୍ଦ୍ର ନାରାୟଣ ତ୍ରିପାଠୀଙ୍କ କହିବା କଥା ଆଉ ଅଧିକ ଦିନ ଲକ୍‌ଡାଉନ୍‌ ଲାଗୁ ରହିଲେ, ସେମାନେ ବଡ଼ଦାଣ୍ଡକୁ ଚାଲିଯିବା ନିଶ୍ଚିତ ହେବ। ତେଣୁ ଖୁବ୍‌ ଶୀଘ୍ର ସରକାର କିଛି ବ୍ୟବସ୍ଥା କରନ୍ତୁ। ଲକ୍‌ଡାଉନ୍‌ ହଟିବା ପାଇଁ ଦିନ ଗଣି ଗଣି ସେ ବିଚଳିତ ହୋଇ ପଡ଼ିଲେଣି ବୋଲି କହିଛନ୍ତି। ସେହିଭଳି ପାନ ଦୋକାନୀ କେଶବ ଦେହୁରୀଙ୍କ କହିବା କଥା ତାଙ୍କ ଭଳି ଦୋକାନୀ ମାତ୍ର କେଇ ଶହ ଟଙ୍କାର ମୁଣ୍ଡ। ଦିନେ ଦୋକାନ ବନ୍ଦ ହେଲେ ସେହି କିଛି ଟଙ୍କା ହାତକୁ ଆସିପାରେନି। ଫଳରେ ପିଲାଛୁଆଙ୍କ ପାଇଁ ଦାନା ଯୋଗାଡ଼ କାଠିକର ହୋଇପଡ଼େ। ଦୋକାନୀ କାବୁଲି ନାୟକ ତାଙ୍କ ଦୋକାନ ପାଇଁ କରିଥିବା ଋଣ ପରିଶୋଧକୁ ନେଇ ଘୋର ଚିନ୍ତାରେ ପଡ଼ିଥିବା କହିଛନ୍ତି। ପିଲାଛୁଆଙ୍କ ପାଇଁ ଖାଇବା ଯୋଗାଡ଼ କରିପାରୁନଥିବା କାବୁଲି ଏବେ ଋଣ ବୋଝ ପାଇଁ ଅଧିକ ଚିନ୍ତିତ ‌ବୋଲି କହିଛନ୍ତି। ତାଙ୍କ ଭଳି ଅତି କ୍ଷୁଦ୍ର ବେପାରୀଙ୍କୁ କିଛି ସରକାରୀ ସହାୟତା ମିଳିଲେ, ସେମାନେ ବଡ଼ ଉପକୃତ ହୁଅନ୍ତେ ବୋଲି କାବୁଲି କହିଛନ୍ତି।

ସମ୍ବନ୍ଧିତ ଖବର