ଲୁଲୁ ମହାପାତ୍ରଙ୍କ ସର୍ବଦଳୀୟ ଜୟନ୍ତୀ: ଯୁବକମାନଙ୍କ ଦ୍ବାରା ହିଁ ସମାଜରେ ପରିବର୍ତନ ଆସିପାରିବ

ଭୁବନେଶ୍ବର: ଲୁଲୁ ପିଲାଦିନୁ ରାଜନୀତି କରିବା ପାଇଁ ଲକ୍ଷ୍ୟ ରଖିଥିଲା। ଜଣେ ଅଦମ୍ୟ ସାହସୀ, ଦୃଢ଼ମନା ଓ ଅନ୍ୟକୁ ସାହାଯ୍ୟ କରିବାର ପ୍ରବୃତ୍ତି ଲୁଲୁ ନିକଟରେ ଭରି ରହିଥିଲା। ଯଦି କୌଣସି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଉଥିଲା, ତା’ ହେଲେ ଯେତେ ଅସୁବିଧା ଆସିଲେ ମଧ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିଲା ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।ଆଜି ଲୁଲୁ ସେନା ପକ୍ଷରୁ ଇଡିକଲ୍‌ ଅଡିଟୋରିୟମ୍‌ରେ ପୂର୍ବତନ ବିଧାୟକ ତଥା ଯୁବନେତା ସ୍ବର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ୫୬ତମ ସର୍ବଦଳୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଲୁଲୁ ସେନାର ସଭାନେତ୍ରୀ ଉପାସନା ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଯୋଗଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ପ୍ରତ୍ୟେକ ରାଜନୈତିକ ଦଳର ଏକ ନୀତି ଓ ଆଦର୍ଶ ରହିଛି। ମାତ୍ର ଆଜିର ସମୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ରା‌ଜନେତାମାନେ ଗୋଟିଏ ଦଳର ଟିକେଟ୍ ପାଇ ମଧ୍ୟ ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି। ଏଭଳି କାର୍ଯ୍ୟ ଦ୍ବାରା ସମାଜର କୌଣସି ମଙ୍ଗଳ ହେବ ନାହିଁ। ପୃଥିବୀର ଯେ କୌଣସି ସ୍ଥାନରେ ଯଦି ପରିବର୍ତ୍ତନ ଆସିଛି, ତାହା କେବଳ ଯୁବପିଢ଼ିଙ୍କ ଯୋଗୁଁ ସମ୍ଭବ ହୋଇଛି। ତେଣୁ ଯୁବକମାନେ ସମାଜ ପାଇଁ କିଛି କରିବାର ମନୋବୃତ୍ତି ରଖିଲେ, ତାହା ହିଁ ଲୁଲୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ବିଧାୟକ ବିଷ୍ଣୁ ସେଠୀ କହିଲେ, ଲୁଲୁ ବାବୁଙ୍କ ଅକାଳ ବିୟୋଗରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଥିଲା। କଂଗ୍ରେସ ଦଳରେ ତାଙ୍କୁ କୌଣସି ମୁକୁଟ ମିଳିନାହିଁ। ମାତ୍ର ସେ ଜଣେ ମୁକୁଟବିହୀନ ସମ୍ରାଟ ଥିଲେ। ବକ୍ସି ଜଗବନ୍ଧୁ ଡିଏନ୍‌ଏ ତାଙ୍କ ଦେହରେ ଭରି ରହିଥିଲା। ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ସ୍ବର୍ଗତ ଲୁଲୁ ବାବୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ସହ ବିତାଇଥିବା କିଛି ଅଭୁଲା ମୁହୂର୍ତ୍ତ ସଂପର୍କରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କଂଗ୍ରେସ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ସମାଜବାଦୀ ପାର୍ଟିର ରାଜ୍ୟ ସଂପାଦକ ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭରେ ଲୁଲୁ ସେନାର ଆବାହକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର