ଲୁଲୁ ମହାପାତ୍ରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ବର : କଂଗ୍ରେସର ପୂର୍ବତନ ବିଧାୟକ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ବରରେ ପାଳିତ ହୋଇଛି। ଏଥିପାଇଁ ଆଜି ସକାଳ ୭ଟାରେ କୁଆଖାଇ ନଦୀରେ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶତାଧିକ କଂଗ୍ରେସ କର୍ମୀ ସମୂହ ତିଳତର୍ପଣ କରିଥିଲେ। ପରେ ସ୍ଥାନୀୟ ୟୁନିଟ୍‌-୯ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। କମିଟି ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ମହାପାତ୍ରଙ୍କ ନେତୃତ୍ବ, ସାଂଗଠନିକ ଦକ୍ଷତା ଓ ଜନସେବା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାସ, ଦଳୀୟ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ବଭୂଷଣ ଦାସ, ମନୋଜ ସାହୁ, ମନ୍ମଥ ରାଉତରାୟ, ନାରାୟଣ ଜେନା, କିଷାନ ପଣ୍ଡା ପ୍ରମୁଖ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ। ପରେ କମିଟି ଅଧ୍ୟକ୍ଷ ଶ୍ରୀ ମହାନ୍ତି ଆଗାମୀ ୨୦୨୪ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଦଳକୁ କ୍ଷମତାକୁ ଫେରାଇ ଆଣିବାକୁ ଲୁଲୁ ଅନୁଗାମୀମାନଙ୍କୁ ସଂକଳ୍ପ ପାଠ କରାଇଥିଲେ।

ସମ୍ବନ୍ଧିତ ଖବର