ଅନୁଗୁଳରୁ ଜବତ ହେଲା ବିଳାସପୂର୍ଣ୍ଣ କାର୍, ଲକ୍ଷାଧିକ ଟଙ୍କା, ୩ ଅଟକ

ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍ ଧରାପଡ଼ିବା ଘଟଣା

ଭୁବନେଶ୍ବର: ଅଭିନବ ଉପାୟରେ ଏଟିଏମ୍‌ ସଟର୍ କାଟି ସ୍ବତନ୍ତ୍ର ଡିଭାଇସ୍ ଖଞ୍ଜି ଲୁଟ୍‌ପାଟ୍ କରୁଥିବା ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌ର ଫେରାର୍ ଅନ୍ୟ ଜଣେ ସଦସ୍ୟକୁ ଗିରଫ କରିଛି ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାଡ୍। ବଢ଼େଇବାଙ୍କ ଛକରେ ଏଟିଏମ୍ ସଟର୍‌ ଟାମ୍ପରିଂ କରିବା ସମୟରେ ପୂର୍ବରୁ ଛକି ରହିଥିବା ଟିଏସ୍‌ଆଇ ଟିମ୍ ୨ଜଣଙ୍କୁ କାବୁ କରିଥିଲା। ହେଲେ ଘଟଣାସ୍ଥଳରୁ ଅନ୍ୟ ଜଣେ ଅପରାଧୀ ବିଳାସପୂର୍ଣ୍ଣ କାର୍ ଧରି ଖସିଯିବାରେ ସକ୍ଷମ ହୋଇଥିଲେ। ଖବର ପୁଲିସ ପାଖରେ ପହଞ୍ଚିବା ପରେ ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାଡ୍ ଆରମ୍ଭ କରିଥିଲା ଅପରେସନ। ଫେରାର୍ ଏଟିଏମ୍ ଲୁଟେରା ଓ କାର୍‌କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରାକୁ ଯାଞ୍ଚ୍ କରିବା ଆରମ୍ଭ କରିଥିଲା। ସିସି କ୍ୟାମେରା ଯାଞ୍ଚରୁ ଜଣାପଡ଼ିଥିଲା, ଏଟିଏମ୍ ଲୁଟେରା କାର୍ ନେଇ ମଙ୍ଗୁଳି ଟୋଲ୍ ଗେଟ୍ ଅତିକ୍ରମ କରି ଆଠଗଡ଼-ଅନୁଗୁଳ ରାସ୍ତାରେ ଯାଇଛନ୍ତି।

ଏହା ପରେ ସ୍ପେସାଲ୍ ସ୍କ୍ବାଡ୍ ଟିମ୍ ଅନୁଗୁଳ ଜିଲ୍ଲା ପୁଲିସକୁ ସନ୍ଦିଗ୍ଧ କାର୍ ବିଷୟରେ ସୂଚନା ଦେବା ସହ ଚେକିଂ କରି କାର୍‌କୁ ଅଟକ ରଖିବାକୁ କହିଥିଲା। ସ୍ପେସାଲ୍ ସ୍କ୍ବାଡ୍ ଓ ସ୍ଥାନୀୟ ଜିଲ୍ଲା ପୁଲିସ ନିକଟରୁ ଅଟକ କାର୍‌କୁ ଭୁବନେଶ୍ବର ଆଣିଥିବା ବେଳେ କାର୍‌ରୁ ଲକ୍ଷାଧିକ ଟଙ୍କା ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଭୁବନେଶ୍ବର ପୁଲିସ ଅଟକ ସମସ୍ତ ଅଭିଯୁକ୍ତ ହରିୟାଣା ଫରିଦାବାଦର ହୋଇଥିବା ବେଳେ ଦୁଇଜଣଙ୍କ ପରିଚୟ ସାମ୍‌ନାକୁ ଆସିଛି। ଫରିଦାବାଦ୍‌ର କିଫାୟତ୍‌ ଓ ମହମ୍ମଦ ସଲମାନ ଜଣାପଡ଼ିଥିବା ବେଳେ ଆଜି ଅଟକ ଥିବା ଲୁଟେରା ବିଷୟରେ ଖବର ମିଳିପାରିନାହିଁ।

ସମ୍ବନ୍ଧିତ ଖବର