ଭୁବନେଶ୍ବର: ବିଭିନ୍ନ ମାଟ୍ରିମୋନି ସାଇଟ୍ ଯୋଗୁ ବହୁ ଯୁବକ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇ ସଫଳ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ବହୁ ହାଇ ପ୍ରୋଫାଇଲ୍ ବିବାହ ମଧ୍ୟ ସମ୍ଭବ ହେଉଛି। ସେହିଭଳି କେହି କେହି ମିଛ କହି ପରେ ଧରାପଡ଼ୁଛନ୍ତି ଏବଂ ପରେ ସେମାନଙ୍କ ବିବାହ ବିଚ୍ଛେଦ ହେଉଛି। କିନ୍ତୁ କିଛି ଅପରାଧୀ ଏହି ପ୍ଲାଟଫର୍ମକୁ ବ୍ୟବହାର କରି ଅନ୍ୟକୁ ଚୂନ ଲଗାଉଛନ୍ତି। ମାଟ୍ରିମୋନି ସାଇଟ୍ରେ ମିଛ ନାଟକ ରଚନା କରି ଯୁବକ, ଯୁବତୀଙ୍କୁ ଫସାଇ ଲୁଟୁଛନ୍ତି। କିଏ ନିଜକୁ ମିସ୍ ଆଞ୍ଜେଲ୍ ପ୍ରିୟା କହିଲାଣି ତ କିଏ ମିଷ୍ଟର ଡକ୍ଟର ବୋଲି ପରିଚୟ ଦେଇ ଠକିଲାଣି। ଏମିତି କିଛି ମାମଲାରେ ପୁଲିସ ଅପରାଧୀମାନଙ୍କୁ ଠାବ କରି ଜେଲ୍ ହାଜତକୁ ପଠାଇଛି ଏବଂ ଏନେଇ ସମସ୍ତଙ୍କୁ ସତର୍କ କରାଇ ଚାଲିଛି। ତଥାପି ଅପରାଧୀମାନେ ମାଟ୍ରିମୋନି ସାଇଟ୍କୁ ଆୟୁଧ କରିବା ଉଦାହରଣ କମୁନାହିଁ। ସମ୍ପ୍ରତି ଏମିତି ଏକ ମହାଧୂର୍ତ୍ତକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବଡ଼ମଲ୍ଲୀପୁରର ଏହି ଧୂର୍ତ୍ତ ସତ୍ୟଜିତ୍ ସାମଲ ଏବେ ଗିରଫ ହୋଇଛି। ନିଜକୁ ଗୁଇନ୍ଦା ଅଧିକାରୀ, ପାଇଲଟ୍, କ୍ରାଇମ୍ବ୍ରାଞ୍ଚ ଅଧିକାରୀ, କର୍ପୋରେଟ୍ ହେଡ୍ ଭଳି ଚାକିରି କରିଥିବା ଦର୍ଶାଇ ସେ ୫ ମହିଳାଙ୍କୁ ବିବାହ କରିଛି ଏବଂ ସେମାନଙ୍କଠାରୁ କୋଟି କୋଟି ଟଙ୍କା ଲୁଟିଛି। ୨୦୨୨ ମସିହାରୁ ଓଡ଼ିଶାରେ ଗିରଫ ହୋଇଥିବା ଏଭଳି କିଛି ଅପରାଧୀଙ୍କୁ ନେଇ ଏହି ଉପସ୍ଥାପନା।
ନକଲି ନ୍ୟୁରୋଲୋଜି ଡାକ୍ତର
୨୦୨୨ ଫେବ୍ରୁଆରି ୨୧ରେ ଏଭଳି ଏକ ଅପରାଧରେ ଅଭିଯୁକ୍ତ ବିରଞ୍ଚି ନାରାୟଣ ନାଥ ବନ୍ଧା ହୋଇଥିଲା। ନିଜକୁ ଦିଲ୍ଲୀ ଏମ୍ସର ନ୍ୟୁରୋଲୋଜି ବିଭାଗ ଡାକ୍ତର ସୁଜିତ୍ ମିଶ୍ର କହି ଏକ ମାଟ୍ରିମୋନି ସାଇଟ୍ରେ ଯୋଡ଼ି ହୋଇଥିଲା। ଏହାପରେ ବାଲେଶ୍ବରରେ କାମ କରୁଥିବା ଜଣେ ମହିଳା ଡାକ୍ତରଙ୍କୁ ସେ ଟାର୍ଗେଟ୍ କରିଥିଲା। କିଛି ଦିନର ଯୋଗାଯୋଗ ପରେ ମହିଳା ଡାକ୍ତର ତାଙ୍କୁ ବିବାହ କରିବାକୁ ସମ୍ମତି ଜଣାଇଥିଲେ। ମହିଳା ଡାକ୍ତର ତାକୁ ଦେଖା କରିବାକୁ ବାରମ୍ବାର କହୁଥିଲେ ହେଁ ଠକ ବିରଞ୍ଚି ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଥିଲା। ବିଦେଶ ଯିବାକୁ ପଡ଼ୁଛି ବୋଲି କହି ମହିଳା ଡାକ୍ତରଙ୍କୁ ଭୁଆଁ ବୁଲାଇ ଚାଲିଥିଲା। ରେଳ ବିଭାଗରେ ପଦସ୍ଥ ଅଧିକାରୀ ଥିବା ମହିଳା ଡାକ୍ତରଙ୍କ ଭାଇ ନକଲି ଡାକ୍ତର ସୁଜିତ୍କୁ ସନ୍ଦେହ କରିଥିଲେ। ବିବାହ କଥା ପକ୍କା କରିବାକୁ ସେ ନକଲି ସୁଜିତ୍କୁ ନୂଆପଲ୍ଲୀସ୍ଥିତ ଏକ ଷ୍ଟାର୍ ହୋଟେଲ୍କୁ ଡକାଇଥିଲେ। ସେଠାରେ ନୂଆପଲ୍ଲୀ ଥାନା ପୁଲିସ ତାକୁ କାବୁ କରିଥିଲା। ପୁଲିସ ଖୋଳତାଡ଼ କରି ନକଲି ଡାକ୍ତର ସୁଜିତ୍ ମିଶ୍ର ଓରଫ୍ ଠକ ବିରଞ୍ଚିର ପର୍ଦ୍ଦାଫାସ କରିଥିଲା।
ସ୍ତ୍ରୀ ନାଁରେ ଅନ୍ୟ ସୁନ୍ଦରୀଙ୍କ ଫଟୋ
୨୦୨୪ ଜାନୁଆରି ୧୯ରେ ବନ୍ଧା ହୋଇଥିଲା ପୁରୀ ଅଞ୍ଚଳର ମହାଠକ ନୃସିଂହ ବିଶ୍ବାଳ। ଧୂର୍ତ୍ତ ଏକ ମାଟ୍ରିମୋନି ସାଇଟ୍ରେ ନିଜ ସ୍ତ୍ରୀ ନାଁକୁ ପଞ୍ଜୀକରଣ କରିଥିଲା। ସେଥିରେ ଅନ୍ୟ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇଥିଲା। ଫଟୋ ଦେଖି ଜଣେ ଇଂଜିନିୟର ଫସି ଯାଇଥିଲେ। ଯୋଗାଯୋଗ କରିବାର କିଛି ଦିନ ପରେ ବ୍ୟକ୍ତିଗତ ନମ୍ବର ଦିଆନିଆ ହୋଇ ଚାଟିଂ କରିଥିଲେ। ପ୍ରେମରେ ଫସାଇବା ପରେ ଠକ ବିଭିନ୍ନ ବାହାନା କରି ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲା। ଯୁବ ଇଂଜିନିୟର୍ ମାଟ୍ରିମୋନି ସାଇଟ୍ରେ ଜଣେ ଠକ ସହ ଯୋଗାଯୋଗରେ ଅଛନ୍ତି ବୋଲି ତିଳେ ମାତ୍ର ସନ୍ଦେହ କରିପାରି ନଥିଲେ। କିନ୍ତୁ ଲକ୍ଷାଧିକ ଟଙ୍କା ଦେବା ପରେ ଇଂଜିନିୟର୍ ଯୁବତୀଙ୍କୁ ସାକ୍ଷାତ କରିବାକୁ ଅଡ଼ି ବସିଲେ। କିଛି ଦିନ ବିଭିନ୍ନ ବାହାନା କରି ଠକ ଧରାଛୁଆଁ ଦେଲାନି। ପରେ କିନ୍ତୁ ମୋବାଇଲ୍ ବନ୍ଦ କରି ଗାୟବ ହୋଇଗଲା। ଅଭିଯୋଗ ପରେ ସାଇବର ଥାନା ପୁଲିସ ନୃସିଂହକୁ ଗିରଫ କରିଥିଲା।
କାଲିଫର୍ଣ୍ଣିଆର ନକଲି ଓଡ଼ିଆ ମେଡିକାଲ୍ ଛାତ୍ରୀ
୨୦୨୨ ଜୁଲାଇ ୨୧ରେ ଗିରଫ ହୋଇଥିଲା ବାଲେଶ୍ବରର ମିସ୍ ଆଞ୍ଜେଲ୍ ସୁଇଟ୍। ମାଟ୍ରିମୋନି ସାଇଟ୍ରେ ନିଜକୁ ସେ କାଲିଫର୍ଣ୍ଣିଆରେ ପଢ଼ୁଥିବା ମେଡିକାଲ ଛାତ୍ରୀ ବୋଲି ଉଲ୍ଲେଖ କରିଥିଲା। ଉକ୍ତ ମାଟ୍ରିମୋନି ସାଇଟ୍ରେ ଜଣେ ଯୁବ ଇଂଜିନିୟର୍ ମିସ୍ ଆଞ୍ଜେଲ୍ ସୁଇଟ୍ ସହ ସମ୍ପର୍କରେ ଆସିଥିଲେ। ପ୍ରେମସିକ୍ତ ଭାବର ଆଦାନପ୍ରଦାନ ପରେ ଯୁବ ଇଂଜିନିୟର୍ ଠକ ଯୁବତୀକୁ ବିଶ୍ବାସ କରିଯାଇଥିଲେ। ଏମିତି ଏକ ମଉକାରେ ମିସ୍ ଆଞ୍ଜେଲ୍ ମେଡିକାଲ୍ ପଢ଼ା ସମସ୍ୟା କଥା କହି ଭାବିସ୍ବାମୀକୁ କିଛି ଆର୍ଥିକ ସହାୟତା ମାଗିଥିଲା। ମିସ୍ ଆଞ୍ଜେଲ୍ର ପ୍ରେମରେ ପାଗଳ ହୋଇଥିବା ଯୁବ ଇଂଜିନିୟର୍ ତାକୁ ଅନ୍ଲାଇନ୍ ଯୋଗେ ୨୪ ଲକ୍ଷ ଟଙ୍କା ଦେଇଦେଲେ। ଟଙ୍କା ପାଇବା ପରେ ମିସ୍ ଆଞ୍ଜେଲ୍ ଉଭାନ ହୋଇଯାଇଥିଲା। ଠକାମିର ଶିକାର ହେବା ନିଶ୍ଚିତ ହୋଇ ଯୁବ ଇଂଜିନିୟର୍ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ।
୧୮ ମହିଳାଙ୍କ ମନର ମଣିଷ
୨୦୨୨ ଫେବ୍ରୁଆରି ୧୯ରେ ବହୁଚର୍ଚ୍ଚିତ ୧୮ ମହିଳାଙ୍କ ମନର ମଣିଷ ତଥା ନକଲି ଡାକ୍ତର ରମେଶ ସ୍ବାଇଁ ଗିରଫ ହୋଇଥିଲା। ନିଜକୁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟର ପଦସ୍ଥ ଅଧିକାରୀ କହି ଧୂର୍ତ୍ତ ରମେଶ ମାତ୍ର ୧୮ ମହିଳାଙ୍କୁ ବାହା ହୋଇ ଲକ୍ଷାଧିକ ଟଙ୍କା ସହ ବିପୁଳ ସୁନା ଗହଣା ଲୁଟିଥିଲା। ନିଜକୁ ୫୦ ବର୍ଷ ବୟସ ହୋଇଥିଲେ ବି ସେ ମାଟ୍ରିମୋନି ସାଇଟ୍ରେ ୪୪ ବର୍ଷ ବୋଲି ଦର୍ଶାଉଥିଲା। ବିଧବା, ସ୍ବାମୀ ପରିତ୍ୟକ୍ତାଙ୍କୁ ଟାର୍ଗେଟ୍ କରୁଥିଲା। ବଡ଼ କଥା ହେଉଛି, ସେ ନାମୀଦାମୀ ମହିଳାଙ୍କୁ ଫସାଇବାରେ ସକ୍ଷମ ହୋଇଥିଲା। ଆସାମର ଜଣେ ଡାକ୍ତର, ଦିଲ୍ଲୀର ଜଣେ ଓକିଲ, କେରଳର ଜଣେ ପ୍ରଶାସନିକ ଅଧିକାରିଣୀ, ପାରାମିଲିଟାରି ଫୋର୍ସର ଜଣେ ଅଧିକାରିଣୀ, ପଞ୍ଜାବର ଜଣେ ଶିକ୍ଷୟିତ୍ରୀଙ୍କ ଭଳି ୧୮ ଜଣ ମହିଳାଙ୍କ ସହ ରମେଶ ସାତଫେରା ନେଇସାରିଥିଲା। ବିବାହ କରିବା ପରେ ସେ କିଛି ଦିନ ମହିଳାଙ୍କ ସହ ରହୁଥିଲା ଏବଂ ଡ୍ୟୁଟିରେ ବାହାରକୁ ଯାଉଛି କହି ଓଡ଼ିଶା ପଳାଇଆସୁଥିଲା। ପୁଣି ବିବାହ କରୁଥିଲା। ମଝିରେ ମଝିରେ ସ୍ତ୍ରୀମାନଙ୍କ ପାଖକୁ ଯାଇ କିଛି ଦିନ ବିତାଉଥିଲା। ମିଛ କହି ସେ ମହିଳାମାନଙ୍କଠାରୁ ଟଙ୍କା ଓ ଗହଣା ଲୁଟୁଥିଲା। କିନ୍ତୁ ତା’ର ଏହି ନାଟକ ବେଶି ଦିନ ଲୁଚି ନଥିଲା। ଆସାମର ମହିଳା ଡାକ୍ତର ଓ ପଞ୍ଜାବର ଶିକ୍ଷୟିତ୍ରୀ ତାକୁ ଖୋଜିଖୋଜି ଓଡ଼ିଶାରେ ପହଞ୍ଚିବା ପରେ ତା’ର ଅସଲ ଚେହେରା ପଦାକୁ ଆସିଯାଇଥିଲା।