ମା’ ଜାଗୁଳାଇଙ୍କ ଚୋରି ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର

ଜଟଣୀ: ଗତ ୭ତାରିଖରେ ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ଗ୍ରାମରେ ଚୋରି ହୋଇଯାଇଥିବା ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଅଷ୍ଟଧାତୁ ମୂର୍ତ୍ତି ମିଳିଛି। ମନ୍ଦିର ବେଢ଼ାରେ ଥିବା କୂଅରୁ ମୂର୍ତ୍ତି ଉଦ୍ଧାର କରାଯାଇଛି। ଆଜି ସକାଳେ ପୂଜକ ମନୋରଞ୍ଜନ ପଣ୍ଡା ପୂଜାର୍ଚ୍ଚନା ସାରି ପରିତ୍ୟକ୍ତ ଅବସ୍ଥାରେ ମନ୍ଦିର ବେଢ଼ାରେ ଥିବା କୂଅ ନିକଟକୁ ଯାଇଥିଲେ। କୂଅ ଭିତରେ ଏକ ନାଲି ମନ୍ଦାର ଫୁଲ ଭାସୁଥିବା ଦେଖିଥିଲେ। ମା’ଙ୍କ ପାଦରେ ଯେଉଁ କଉଡ଼ି ଦୁଇଟି ଥିଲା ତାହା କୂଅ ବେଢାରେ ପଡ଼ିଥିଲା। ଏହା ଦେଖି ମା’ଙ୍କ ମୂର୍ତ୍ତି କୂଅ ଭିତରେ ପଡ଼ିଥାଇ ପାରେ ବୋଲି ସନ୍ଦେହ କରିଥିଲେ। ଗ୍ରାମରୁ ଏକ ଲୁହା କଣ୍ଟା ଆଣି କୂଅରେ ବୁଲେଇବାରୁ କଣ୍ଟାଟି ମୂର୍ତ୍ତିରେ ଲାଗିଥିଲା। ଏହାପରେ ମୂର୍ତ୍ତିକୁ ଉଦ୍ଧାର କରାଯାଇଛି ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ରାଧାମୋହନ ପଟ୍ଟନାୟକ ଓ ସଂପାଦକ ଲକ୍ଷ୍ମୀଧର ମହାନ୍ତି ସୂଚନା ଦେଇଛନ୍ତି। ମା’ ଜାଗୁଳାଇଙ୍କ ମୂର୍ତ୍ତି ଉଦ୍ଧାର ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବହୁ ଶ୍ରଦ୍ଧାଳୁ ଆଜି ମା’ ଜାଗୁଳାଇଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ପ୍ରାଙ୍ଗଣରେ ଭିଡ଼ ଜମାଇଥିଲେ।

ସମ୍ବନ୍ଧିତ ଖବର