ପୀଠ ମାହାତ୍ମ୍ୟ, ମା’ ବନ୍ଦାଣ ବର

ଭୁବନେଶ୍ବର: କାହିଁ କେଉଁ ଅମଳର କଥା। ନୟାପଲ୍ଲୀ ଅଞ୍ଚଳର ଜନବସତିକୁ ଛାଡ଼ିଦେଲେ ଆଖ ପାଖ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଜଙ୍ଗଲ ଭିତରେ ବିଶାଳକାୟ ବରଗଛଟିଏ ଥିଲା। ବେହେରା ସାହିର ବାସିନ୍ଦାମାନେ ନିଜ ଘରେ ଗାଈ ରଖୁଥିବାରୁ ଦୋଳ ପୂର୍ଣ୍ଣମୀ ବେଳେ ଏଇ ବରଗଛ ତଳେ ଗୋ ବନ୍ଦାଣ ପର୍ବ ପାଳନ କରୁଥିଲେ। ବାଡ଼ି ଖେଳଠୁ ଆରମ୍ଭ କରି ଦୋଳପର୍ବକୁ ଏଇଠି ବେହେରାମାନେ ଧୁମ୍‌ଧାମରେ ପାଳୁୁଥିଲେ। ଫକୀର ବେହେରା ନାମକ ଜଣେ ବ୍ୟକ୍ତି ବେହେରା ସାହିର ଏକ ବେଲଗଛଠାରୁ କିଛି ଦୂରରେ ଏକ ମୂର୍ତି ଦେଖିବାକୁ ପାଇଲେ। ପରେ ସେ ତାହାକୁ ଆଣି ସେହି ଜଙ୍ଗଲ ମଧୢରେ ଥିବା ବରଗଛ ତଳେ ସ୍ଥାପନ କଲେ। ଦୋଳ ପୂର୍ଣ୍ଣମୀରେ ଗୋ ବନ୍ଦାଣ କରାଯାଉଥିବାରୁ ଏଠାରେ ସ୍ଥାପିତ ମା’ କାଳକ୍ରମେ ‘ମା’ ବନ୍ଦାଣ ବର’ ନାମରେ ପ୍ରତିଷ୍ଠିତ ହେଲେ। ସେହିଦିନଠାରୁ ମା’ ରୀତିମତ ପୂଜା ପାଇଲେ ବୋଲି କହିଛନ୍ତି ଯଦୁମଣି ବେହେରା।

ସ୍ଥାନୀୟ ଅଞ୍ଚଳବାସୀ ମା’ଙ୍କୁ ପ୍ରତ୍ୟକ୍ଷ ଦେବୀ ବୋଲି ବିବେଚନା କରନ୍ତି। ୧୯୮୨ରେ ଆଇଆର‌୍‌ସି ଗ୍ରାମ ପାଇଁ ଏଠାରୁ ଜଙ୍ଗଲ ସଫା ପାଇଁ ଜିଏ ବିଭାଗ ଦାୟିତ୍ବ ନେଇଥିଲେ। ତେବେ ଜଙ୍ଗଲ ତ ସଫା ହୋଇଥିଲା କିନ୍ତୁ କୌଣସି ଏକ ଭୌତିକ ଶକ୍ତିର ପ୍ରଭାବ ଯୋଗୁଁ ଏହି ବରଗଛ ପ୍ରଶାସନ କାଟିପାରି ନଥିଲା ବୋଲି ବରିଷ୍ଠ ବାସିନ୍ଦାଙ୍କ ବିଶ୍ବାସ। ମା’ଙ୍କ ଷୋଳପୂଜା କରୁଥିବା ଉମାକାନ୍ତ ନନ୍ଦଙ୍କ କହିବା ଅନୁଯାୟୀ, ଏଠି ସ୍ଥାପିତ ମା’ ପ୍ରତ୍ୟକ୍ଷ ଦେବୀ। ମା’ଙ୍କୁ ପୂଜା କରିବା ସମୟରେ ସେହି ଜାଗାକୁ ଆସିଲେ ଦେହ ଶୀତେଇ ଯାଏ। ପୁଣି ପୁଷ୍ପାଞ୍ଜଳି ଦେବାବେଳେ ଆଖିରେ ଲୁହ ଜକେଇ ଆସେ ବୋଲି ସେ କହିଛନ୍ତି। ଏଠି ରୀତିମତ ପୂଜା ଚାଲିଥିବା ବେଳେ ୧୯୮୭ ମସିହାରେ ଆଡ଼ମ୍ବରପୂର୍ଣ୍ଣ ପୂଜା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇ ମୃଣ୍ମୟୀ ମୂର୍ତି ପୂଜା ଆରମ୍ଭ କରିଥିଲେ। ସେବେଠାରୁ ଏଠାରେ ଜାକଜମକରେ ପୂଜା ଅନୁଷ୍ଠିତ ହୋଇ ଆସୁଛି। ଏହି ପୀଠର ଆଉ ଏକ ବିଶେଷତ୍ବ ହେଉଛି ଯେ, ଏଠାରେ ଏକ ସୁଡ଼ଙ୍ଗ ରହିଛି। ସ୍ଥାନୀୟ କର୍ପୋରେଟର ନବକିଶୋର ବେହେରା ଜନଶ୍ରୁତିକୁ ଆଧାର କରି କୁହନ୍ତି, ଏଠାରୁ ଏକ ସୁଡ଼ଙ୍ଗ ଖଣ୍ତଗିରି ପର୍ଯ୍ୟନ୍ତ ଏବ˚ ଖଣ୍ତଗିରିରୁ ବଡ଼ଗଡ଼ ପର୍ଯ୍ୟନ୍ତ ଯାଇଛି। ଯାହା ଏବେ ରାଜ୍ୟ ଅଭିଲେଖାଗାରରେ ଦୃଶ୍ୟମାନ ହୁଏ। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଗ୍ରାମର ଶଙ୍କର ବେହେରା ନାମକ ଜଣେ ବ୍ୟକ୍ତି ମଧୢ ସୁଡ଼ଙ୍ଗକୁ ଖୋଳି କିଛି ବାଟ ଯାଇଥିଲେ। ମାତ୍ର ଅଳ୍ପବାଟ ଯାଇ ସେ କୌଣସି କାରଣରୁ ଫେରି ଆସିଥିଲେ ବୋଲି ସେ କହିଛନ୍ତି। ତେବେ ଏ ସମ୍ବନ୍ଧରେ ଏଯାଏଁ ଗବେଷଣା ହୋଇପାରି ନଥିବାରୁ ସତ୍ୟାସତ୍ୟ ଦିଗ ଉନ୍ମୋଚନ ହୋଇପାରିନି।

ସମ୍ବନ୍ଧିତ ଖବର