ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାରର ଲୋକ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ ହୁଅନ୍ତି। ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗବୈରାଗ୍ୟଠୁ ଆରମ୍ଭକରି ସବୁ ପ୍ର‌ାକୃତିକ ବିପତ୍ତିଠାରୁ ରକ୍ଷା କରନ୍ତି। ଆସୁଥିବା ଅଦୃଶ୍ୟ ବିପତ୍ତି ଓ ଶତ୍ରୁମାନଙ୍କ ସହିତ ଲଢ଼େଇକରି ସେ ନିଜ ଗାଁକୁ ଘଣ୍ଟ ଘୋଡ଼େଇ ରଖନ୍ତି। ସବୁଠୁ ଉଲ୍ଲେଖନୀୟ, ଅଧିକାଂଶ ଗ୍ରାମଦେବତୀଙ୍କର ନାଁ ନିଚ୍ଛକ ଓଡ଼ିଆ ନାଁ- ଯେମିତିକି ସେ କାହିଁ କେ‌ତେ ପିଢ଼ି ଆଗରେ ପରିବାରର ଦାୟିତ୍ବ ନେଇଥିବା ଜଣେ ସାହସିନୀ, ଶକ୍ତିଶାଳୀ ଓଡ଼ିଆ ମା’! ଗ୍ରାମଦେବତୀଙ୍କ ପୂଜକ ବ୍ରାହ୍ମଣ ହେବା ନିହାତି ଆବଶ୍ୟକ ନୁହେଁ। ବିଧିବଦ୍ଧ ଗଢ଼ା ହୋଇଥିବା ଭାବେ ତାଙ୍କର ମୂର୍ତ୍ତି ବଦଳରେ କେବଳ କାଠ ବା ପଥର ରୂପରେ ସେ ବିଜେ କରିଥାଇ ପାରନ୍ତି। ପୁଣି ଗ୍ରାମବାସୀ ଖାଉଥିବା ଖାଦ୍ୟକୁ ସେ ଆନନ୍ଦର ସହ ଭୋଗଭାବେ ଗ୍ରହଣ କରନ୍ତି।
ଏବେ ଏକ ଆଧୁନିକ ସହରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜିର ଚଉଡ଼ା ରାସ୍ତା, ଫ୍ଲାଏଓଭର୍‌, ମଲ୍‌ ଓ କୋଠା ଆଦି ଭିତରେ ସେ ଗାଁଗୁଡ଼ିକ ହଜି ଯାଇଛନ୍ତି। କିନ୍ତୁ ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ହଜିଯାଇଥିବା ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା

Advertisment

ସୋମନାଥ ପରିଡ଼ା
ଭୁବନେଶ୍ବର: ବଡ଼ଗଡ଼ ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ବରଡ଼େଇ ପୂଜା ପାଉଛନ୍ତି। ମା’ଙ୍କ ସୁସଜ୍ଜିତ ପଥର ମୂର୍ତ୍ତିଙ୍କୁ ଏଠାରେ ପୂଜା କରାଯାଉଛି। ୬୦ ଦଶକ ପୂର୍ବରୁ ହାତଗଣତି କିଛି ପରିବାର ଓ ସେମାନଙ୍କ ଚାଳ ଛପର ଘରକୁ ଛାଡ଼ି ଦେଲେ ବଡ଼ଗଡ଼ର ଅଧିକାଂଶ ଅଞ୍ଚଳ ବଣ ଜଙ୍ଗଲ ଘେରା ଥିଲା। ସେତେବେଳେ ଜଙ୍ଗଲ ଭିତରେ ଖିରିକୋଳି ଗଛମୂଳେ ପୂଜା ପାଉଥିଲେ ମା’ ବରଡ଼େଇ ଠାକୁରାଣୀ। କ୍ରମେ ସହରର ଚାଳଘର ସବୁ କୋଠାରେ ପରିଣତ ହେଲା। ସେମିତି ଗଛମୂଳରେ ପୂଜା ପାଉଥିବା ମା’ଙ୍କ ପାଇଁ ଚାଳଘର ତିଆରିହେଲା, ଯାହା ପରେ ଆଜବେଷ୍ଟସ୍‌ ଘର ଏବଂ ପ୍ରାୟ ୧୫ ବର୍ଷ ତଳେ ଏକ ଛୋଟ ମନ୍ଦିରରେ ପରିଣତ ହୋଇଛି। ଏବେ ବଡ଼ଗଡ଼ର ମୂଳ ବାସିନ୍ଦାଙ୍କ ସହ ବାହାରୁ ଆସି ସେଠାରେ ଘର କରିଥିବା ଲୋକେ ମଧ୍ୟ ମା'ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ ହେଲେ ପ୍ରଥମ ନିମନ୍ତ୍ରଣ ମା’ ବରଡ଼େଇଙ୍କୁ ଦିଆଯାଏ। ବିବାହ ବେଳେ ଆଜି ବି ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଯାଆନ୍ତି ବଡ଼ଗଡ଼ବାସୀ। ସେହିପରି ଘର ପ୍ରତିଷ୍ଠା, ଚତୁର୍ଥ/ଅଷ୍ଟମ ପ୍ରହରୀ ସହ ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା'ଙ୍କ ପାଖରେ ପୂଜା କରାଯା‌ଏ।

ବରଡ଼େଇଙ୍କ ପାଖରେ ଦଶହରା, ପୂର୍ଣ୍ଣିମା ଓ ଅମାବାସ୍ୟା, ଦୋଳପର୍ବରେ ବିଶେଷ ପୂଜା ହୋଇଥାଏ। ବଡ଼ଗଡ଼ରେ ଏକ ଖଣ୍ଡାୟତ ପରିବାର ପୁରୁଷ ପୁରୁଷ ଧରି ମା’ଙ୍କ ପୂଜା କରି ଆସୁଛନ୍ତି। ଏବେ ପ୍ରଦୀପ ମହାନ୍ତି, ବସନ୍ତ ମହାନ୍ତି ଓ ଧୀରେନ ମହାନ୍ତି ପୂଜା କରୁଛନ୍ତି। ଧୀରେନଙ୍କ କହିବାନୁସାରେ, ପ୍ରତିଦିନ ସକାଳ ୬ଟାରେ ମନ୍ଦିର ଖୋଲାଯାଇ ପହିଲି ନୀତି, ସ୍ନାନ, ଆଳତି ସହ ଶୁଖିଲା ଭୋଗ କରାଯାଏ। ମାନସିକ ଅନୁସାରେ ପ୍ରତିଦିନ ଅନେକ ପରିବାର ମା’ଙ୍କ ପାଖରେ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି। ସଂକ୍ରାନ୍ତି ଓ ଅମାବାସ୍ୟାରେ ଏଠାରେ ଖେଚୁଡ଼ି ଭୋଗ କରାଯାଏ। ମଧ୍ୟାହ୍ନରେ କୌଣସି ଭୋଗ ଲଗାଯାଏ ନାହିଁ। ପୁଣି ସନ୍ଧ୍ୟାରେ ଆଳତି କରାଯାଇ ପହୁଡ଼ ପଡ଼େ। କୌଣସି ବିପଦ ପଡ଼ିଲେ ମା'ଙ୍କ ପାଖରେ ଅଧିଆ ପଡ଼ନ୍ତି ଶ୍ରଦ୍ଧାଳୁ। ବିପଦରୁ ମୁକ୍ତି ପାଇବା ପରେ କିମ୍ବା କୌଣସି କାର୍ଯ୍ୟ ସିଦ୍ଧିହେବା ପରେ ମା’ଙ୍କ ପାଖରେ ସେମାନେ ମାଟିଘୋଡ଼ା ଦେଇଥାନ୍ତି। ମାଟିଘୋଡ଼ା ଦେଲେ ମା’ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ବାସ ରହିଛି।

ଗ୍ରାମଦେବତା ପତିତପାବନ
ପ୍ରତି ଗାଁରେ ଗ୍ରାମଦେବତୀ ରହିଥାନ୍ତି। କିନ୍ତୁ ବଡ଼ଗଡ଼ରେ ଗ୍ରାମଦେବତୀଙ୍କ ସହ ଗ୍ରାମଦେବତା ଭାବେ ପତିତପାବନ ବିରାଜମାନ କରିଛନ୍ତି। ମନ୍ଦିରର ନିର୍ମାଣଶୈଳୀରୁ ଏହା ୪୦୦ରୁ ଅଧିକ ବର୍ଷ ତଳର ବୋଲି ଗ୍ରାମବାସୀ କହନ୍ତି। ମନ୍ଦିରରେ ଦାରୁରେ ନିର୍ମିତ ପତିତପାବନ ପୂଜା ପାଉଛନ୍ତି। ପୁରୀ ଶ୍ରୀମନ୍ଦିର ଅନୁସାରେ ଏଠାରେ ସମସ୍ତ ରୀତିନୀତି ହୁଏ। ହେଲେ ରଥଯାତ୍ରା ହୁଏନାହିଁ। ତେବେ ରଥଯାତ୍ରା ପୂର୍ବରୁ ଠାକୁର ଅଣସର ଘରେ ରହନ୍ତି। ଏଠି ଝାମୁ, ଦୋଳ, ଦେବସ୍ନାନ ପୂର୍ଣ୍ଣିମା, ନେତ୍ରୋତ୍ସବ, ଅଗ୍ନିଉତ୍ସବ, ରାଧାଷ୍ଟମୀ ପ୍ରମୁଖ ପାଳନ କରାଯାଏ। ଦୋଳ ଉତ୍ସବରେ ବିମାନରେ ଠାକୁର ଗାଁ ବୁଲନ୍ତି। ବର୍ଷସାରା ଠାକୁରଙ୍କ ପର୍ବପର୍ବାଣୀରେ ଗ୍ରାମବାସୀ ସାମିଲ ହୁଅନ୍ତି।

(ବଡ଼ଗଡ଼ ଗାଁର ବରିଷ୍ଠ ନାଗରିକ ଉମା ଶଙ୍କର ପଟ୍ଟନାୟକ ଓ କପିଳ ଦାସ, ପତିତପାବନଙ୍କ ପୂଜକ ଶ୍ରୀନିବାସ ପଣ୍ଡା, ମା’ ବରଡ଼େଇ ଠାକୁରାଣୀଙ୍କ ପୂଜକ ଧୀରେନ ମହାନ୍ତିଙ୍କ ସହ ଆଲୋଚନାରୁ ମିଳିଥିବା ତଥ୍ୟର ଭିତ୍ତିରେ)