ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାରର ଲୋକ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ ହୁଅନ୍ତି। ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗଠୁ ଆରମ୍ଭକରି ସବୁ ପ୍ର‌ାକୃତିକ ବିପତ୍ତିଠାରୁ ରକ୍ଷା କରନ୍ତି। ଏବେ ଏକ ଆଧୁନିକ ସହରରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜିର ଚଉଡ଼ା ରାସ୍ତା, ଫ୍ଲାଏଓଭର୍‌, ମଲ୍‌ ଓ କୋଠା ଆଦି ଭିତରେ ସେ ଗାଁଗୁଡ଼ିକ ହଜି ଯାଇଛନ୍ତି। କିନ୍ତୁ ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ହଜିଯାଇଥିବା ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା

Advertisment

ହରପ୍ରିୟା ପୃଷ୍ଟି
ଫଟୋ: ନରସିଂହ ପରିଡ଼ା
ଖଣ୍ଡଗିରି: ନୂଆପଲ୍ଲୀ ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ବରଦେଇ ପୂଜା ପାଉଛନ୍ତି। ଦେବୀ କେଉଁଠୁ ଆସି‌ଲେ, ତାଙ୍କୁ କିଏ ଆଣିଥିଲା କେହି ଜାଣନ୍ତି ନାହିଁ। ପୁରୁଣା ଲୋକେ ଏତିକି କହନ୍ତି, ପୂର୍ବେ ମା’ ଏ ବିଶାଳ ବଉଳଗଛମୂଳେ ପୂଜା ପାଉଥିଲେ। ମା’ଙ୍କର ୨ଟି କଳାଘୋଡ଼‌ା ୨ଟି ପଥର ଭିତର ଛାଉଣୀ କରି ରଖାଯାଇଥିଲା। ସାହାଡ଼ା, ବର, ଓସ୍ତ, ଚାକୁଣ୍ଡା, ଜଙ୍ଗଲି ଫୁଲ, କଣ୍ଟେଇକୋଳି, ଖିରିକୋଳି ଗଛ ଠାକୁରାଣୀଙ୍କ ଆସ୍ଥାନର ଚାରିପଟେ ଥିଲା। କ୍ରମେ ଜଙ୍ଗଲ ଭଳି ରହିଥିବା ନୂଆପଲ୍ଲୀ ଗ୍ରାମ ସହରରେ ପରିଣତ ହେଲା। ଲୋକଙ୍କ ଚାଳଘର କୋଠାରେ ପରିଣତ ହେଲା। ତା’ପରେ ଗ୍ରାମର ରକ୍ଷାକାରିଣୀଙ୍କୁ ଆଉ ଗଛମୂଳେ ନରଖିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଲେ। ତେଣୁ ୬୦ ବର୍ଷ ତଳେ ମା’ଙ୍କ ମନ୍ଦିର ଓ ନୂତନ ମୂର୍ତ୍ତି ତିଆରି କରାଯାଇ ସେଥିରେ ପ୍ରାଣ ପ୍ରତିଷ୍ଠା କରାଗଲା। ଏବେ ଗାଁର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନି ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ, ବ୍ରତଘର ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଉଛି। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଗ୍ରାମବାସୀ ଯାଆନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯା‌ଏ। ଗ୍ରାମରେ କାହାର କିଛି ଜିନିଷ ହଜିଲେ କିମ୍ବା ଯେ କୌଣସି ବିପଦ ପଡ଼ିଲେ, ମା’ଙ୍କ ପାଖରେ ଅଧିଆ ପଡ଼ି ଲୋକେ ମାନସିକ କରନ୍ତି। ଗାଆଁର ପୁରୁଣା ଲୋକ କହନ୍ତି, ମା’ ଭକ୍ତଙ୍କର ସବୁ ପ୍ରାଥର୍ନା ୨୧ ଦିନ ଭିତରେ ପୂରଣ ହେବାର ବର ଦେଉଥିବାରୁ ମା’ଙ୍କ ନାଁ ‘ବରଦେଇ’।
ଆଗରୁ ଦଶହରାରେ ଏହି ପୀଠରେ ବଳି ପଢ଼ୁଥିଲା। ଏବେ ବଳି ବନ୍ଦ ହୋଇ ଯାଇଛି। ମାନସିକ ପୂରଣ ହେଲେ ଛେଦ ବଦଳରେ ମନ୍ଦିରକୁ ଲୋକେ ଶୁଖିଲାଖାଦ୍ୟ ଦାନ କରୁଛନ୍ତି। ସବୁ ପୂର୍ଣ୍ଣିମା ଓ ଅମାବାସ୍ୟାରେ ଏଠାରେ ବିଶେଷ ପୂଜା ହୋଇଥାଏ। ଠାକୁରାଣୀଙ୍କ ଝାମୁଯାତ୍ରା, ଯଜ୍ଞ ଓ ଦଶହରା ପୂଜା ମଧ୍ୟ ଜାକଜମକରେ ହୁଏ। ବିଶ୍ବାସ ଅଛି ଯେ ମା’ଙ୍କ ପାଖରେ ଅଧିଆ ପଡ଼ିଲେ ମ‌ା’ ସବୁ ଦୁଃଖ ହରଣ କରନ୍ତି। ଠାକୁରାଣୀଙ୍କ ମନ୍ଦିର ହେବା ପରେ ଆଉ ଗାଁରେ କିଛି କାମ ଅଟକିନି। ସବୁ ଶାନ୍ତିରେ ହେଉଛି, କେଉଁଥିରେ ବି ବାଧା ଆସିନି। ଅନନ୍ତନାରାୟଣ ସାମନ୍ତରାୟ ଏବେ ଏହି ମନ୍ଦିରର ପୂଜକ ଅଛନ୍ତି।

(ସ୍ଥାନୀୟ ଅଧିବାସୀ ଅର୍ଜୁନ ବେହେରା, ବନ୍ଦିତା ପାଲ୍‌, ନଟବର ସାମନ୍ତରାୟ ଓ ଅନନ୍ତ ନାରାୟଣ ମହାପାତ୍ରଙ୍କ ସୂଚନା ଅନୁସାରେ)